ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ନେଇ ସିନାପାଲି ପ୍ରଶାସନର ସତର୍କତା
ଘରୁ ବାହାରିବାକୁ ବାରଣ, ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ
ସିନାପାଲି,୨୭/୧୦(ଧର୍ମେନ୍ଦ୍ର କୁମାର ଗହିର)(ନିପ୍ର) ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କ ପାଇଁ ସତର୍କତା ଜାରି କରାଯାଇଛି। ବାତ୍ୟାର ସମ୍ଭାବ୍ୟ ପ୍ରଭାବରୁ ଜୀବନ ଓ ସମ୍ପତ୍ତିର ସୁରକ୍ଷା ପାଇଁ ଘରୁ ଅଯଥା ବାହାରକୁ ନଯିବା ସହ ସୁରକ୍ଷିତ ସ୍ଥାନରେ ରହିବାକୁ ପ୍ରଶାସନ ପରାମର୍ଶ ଦେଇଛି। ପ୍ରଶାସନ ପକ୍ଷରୁ ମାଟିଘର, ନଦୀକୂଳ ଓ ଖାଲୁଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ବିଶେଷ ସତର୍କ ରହିବାକୁ କୁହାଯାଇଛି। ଆବଶ୍ୟକ ପଡ଼ିଲେ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀ କିମ୍ବା ସୁରକ୍ଷିତ ପକ୍କା ଗୃହକୁ ଯିବାକୁ ନିର୍ଦ୍ଦେଶ ରହିଛି। ବାତ୍ୟା ସମୟରେ ବିଦ୍ୟୁତ୍ ଖୁଣ୍ଟ, ଝୁଲନ୍ତା ତାର ଓ ବଡ଼ ଗଛ ନିକଟକୁ ନଯିବାକୁ ସତର୍କ କରାଯାଇଛି। ଆଗାମୀ ଦୁଇରୁ ତିନି ଦିନ ପାଇଁ ଶୁଖିଲା ଖାଦ୍ୟ, ପାନୀୟ ଜଳ, ଔଷଧ, ଟର୍ଚ୍ଚ ଓ ମୋବାଇଲ୍ ଚାର୍ଜର ଆଦି ମହଜୁଦ ରଖିବା ସହ ଜରୁରୀ କାଗଜପତ୍ର ସୁରକ୍ଷିତ ରଖିବାକୁ କୁହାଯାଇଛି। ଏଥିସହ ଗୃହପାଳିତ ପଶୁପକ୍ଷୀଙ୍କୁ ସୁରକ୍ଷିତ ସ୍ଥାନରେ ରଖିବା ଏବଂ ବାତ୍ୟା ସମ୍ପର୍କିତ ଅପ୍ରମାଣିତ ଖବର ଓ ଗୁଜବରୁ ଦୂରେଇ ରହି କେବଳ ସରକାରୀ ସୂଚନା ଉପରେ ଭରସା କରିବାକୁ ପ୍ରଶାସନ ନିବେଦନ କରିଛି।
କୌଣସି ଜରୁରୀ ପରିସ୍ଥିତି ଉପୁଜିଲେ ନିଜ ଅଞ୍ଚଳର ୱାର୍ଡ ସଭ୍ୟ, ସରପଞ୍ଚ କିମ୍ବା ବ୍ଲକ ପ୍ରଶାସନ ସହ ଯୋଗାଯୋଗ କରିବାକୁ କୁହାଯାଇଛି। ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଜନସାଧାରଣଙ୍କ ସହଯୋଗ ଓ ସଚେତନତା ଜରୁରୀ ବୋଲି ସିନାପାଲି ବ୍ଲକ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।
