*ଚିତ୍ରଡା NAC ରେ ନିମ୍ନମାନର କାର୍ଯ୍ୟ, ମୋରଡା BDO ଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଅଭିଯୋଗ*
*ମୋରଡା, ୨୭/୧୦ -* ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଅଧୀନ ଚିତ୍ରଡା ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ଅଞ୍ଚଳରେ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଓ ନିମ୍ନମାନର ନିର୍ମାଣ ହେଉଥିବା ଅଭିଯୋଗ ହୋଇଛି। ଏନେଇ ଆଜି ସ୍ଥାନୀୟ ଗ୍ରାମବାସୀ ମାନେ ଏକାଠି ହୋଇ ମୋରଡା ବିଡ଼ିଓ ଅଣାକର ନାଏକଙ୍କ ଜରିଆରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି।
ଅଭିଯୋଗ ପତ୍ର ଅନୁଯାୟୀ, ଚିତ୍ରଡା NAC ଘୋଷଣା ହେବା ପରେ ଏହି ଅଞ୍ଚଳରେ ବ୍ଲକ କିମ୍ବା ପଞ୍ଚାୟତ ତରଫରୁ କୌଣସି ଉନ୍ନୟନମୂଳକ କାର୍ଯ୍ୟ ନିର୍ମାଣ ପାଇଁ ନିର୍ଦ୍ଦେଶ ହୋଇ ନ ଥିଲେ ମଧ୍ୟ ପଞ୍ଚାୟତ ରାଜ ବିଭାଗ ପକ୍ଷରୁ ୩ ଲକ୍ଷ ଟଙ୍କା ବ୍ୟୟ ଅଟକଳ ମୂଲ୍ୟରେ କନିଷ୍ଠ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି।
ଉକ୍ତ NAC ଅଧୀନ ଡାଙ୍ଗରବିଲା PWD ରୋଡ଼ ଠାରୁ କାଜଲ ସୋରେନଙ୍କ ଘର ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ନିର୍ମାଣରେ ଲକ୍ଷାଧିକ ଟଙ୍କା ହରିଲୁଟ ହେଉଥିବା ଅଭିଯୋଗ ହୋଇଛି। ସରକାରଙ୍କ ଏଷ୍ଟିମେଟ ଓ ଗାଇଡଲାଇନ ଅନୁସାରେ ଉକ୍ତ କାର୍ଯ୍ୟରେ ୧ ଫୁଟ କଟ ଅଫ, ୨ ଇଞ୍ଚ ବାଲି, ୪ ଇଞ୍ଚ ମେଟାଲ କଂକ୍ରିଟ ଓ ୪ ଇଞ୍ଚ ଚିପ୍ସ କଂକ୍ରିଟ ରହିବା କଥା। ମାତ୍ର ବାସ୍ତବ କ୍ଷେତ୍ରରେ ଏହାର କିଛି ହିଁ ଅନୁପାଳନ କରାଯାଇ ନାହିଁ। ବ୍ୟବହୃତ ସିମେଣ୍ଟ ଓ ଚିପ୍ସ ଅତ୍ୟନ୍ତ ନିମ୍ନମାନର ହୋଇଥିବା ବେଳେ କାଦୁଅ ମିଶା ବାଲିରେ କଂକ୍ରିଟ ମିଶ୍ରଣ କରାଯାଇଛି।
ସେହିପରି ପଞ୍ଚାୟତ ସମିତି ମୋରଡା ତରଫରୁ MP LAD ପାଣ୍ଠିର ୩ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେଉଥିବା ବିଶ୍ରାମାଗାର କାର୍ଯ୍ୟଟି ମଧ୍ୟ ବେଆଇନ ଭାବେ ନିର୍ମାଣ ହେଉଛି। ସୂଚନା ଫଳକରେ ଲେଖା ହୋଇଥିବା ସ୍ଥାନରେ ନିର୍ମାଣ ନ ହୋଇ କୌଣସି ନିର୍ଦ୍ଦେଶ ବିନା ରାଜାବନ୍ଧ ନିକଟରେ ଥିବା ଗୋଚର ଜମିରେ ବିନା ଜମି ମଞ୍ଜୁରୀ ଆଦେଶରେ ନିର୍ମାଣ କରାଯାଇଛି। ଏଷ୍ଟିମେଟ ଅନୁସାରେ ଗ୍ରେଡ ବିମ ଓ କଲମ ନିର୍ମାଣ କରାଯାଇ ନାହିଁ। ୮ ଇଞ୍ଚ ମେଟାଲ କଂକ୍ରିଟ ଓ ୧ ଫୁଟର କଲମ ବେଶ ହୋଇନଥିବା ବେଳେ କଳଙ୍କିଯୁକ୍ତ ରଡ଼ରେ କାର୍ଯ୍ୟ କରାଯାଉଛି।
ତେଣୁ ଉକ୍ତ ଦୁଇଟି କାର୍ଯ୍ୟର ଲାବୋରେଟୋରୀ ଟେଷ୍ଟ କରାଯିବା ସହ ଯୁଗ୍ମ ତଦନ୍ତ କରି ସମ୍ପୃକ୍ତ ଅଧିକାରୀ ଓ ଯନ୍ତ୍ରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।
ମୟୂରଭଞ୍ଜରୁ ମୋନାଲୀ ସାହୁଙ୍କ ସହ ଶୁଭାଶିଷ ଚ଼ୌଧୂରୀଙ୍କ ରିପୋର୍ଟ ଭଞ୍ଜଦୂତ ଖବର
