*ନୂଆପଡ଼ାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ: ସମସ୍ତ ସରକାରୀ କାର୍ଯ୍ୟାଳୟରେ ସାଧୁତାର ଶପଥ ପାଠ*
ନୂଆପଡ଼ା(ମିଖାଏଲ ନନ୍ଦ)
ତା.୨୬/୧୦:
ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬ ପାଳନର ଅଂଶସ୍ୱରୂପ ଆଜି ନୂଆପଡ଼ା ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଅଧିକାରୀ ଓ କର୍ମଚାରୀମାନେ ସାଧୁତାର ଶପଥ ଗ୍ରହଣ କରିଥିଲେ।
ଏହି କ୍ରମରେ କୋମନା ବ୍ଲକ ସଭାଗୃହଠାରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଅନ୍ୟା ଦାସଙ୍କ ନେତୃତ୍ୱରେ ମିଳିତ ଅଭିଯୋଗ ଶୁଣାଣି ଶିବିର ଅବସରରେ ସାଧୁତାର ଶପଥ ପାଠ ଅନୁଷ୍ଠିତ ହୋଇଥିଲା।
ଚଳିତ ବର୍ଷ ଅକ୍ଟୋବର ୨୬ ତାରିଖରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ “ସାଧୁତାରୁ ସମୃଦ୍ଧି” (Probity for Prosperity) ବିଷୟବସ୍ତୁକୁ ଆଧାର କରି ଏହି ସପ୍ତାହ ପାଳନ କରାଯାଉଛି। ଦୁର୍ନୀତି ଦେଶର ଆର୍ଥିକ, ରାଜନୈତିକ ଓ ସାମାଜିକ ପ୍ରଗତିରେ ଏକ ପ୍ରମୁଖ ପ୍ରତିବନ୍ଧକ ହୋଇଥିବାରୁ ଏହାର ମୂଳୋତ୍ପାଟନ ପାଇଁ ସରକାର, ନାଗରିକ ସମାଜ ଓ ଘରୋଇ କ୍ଷେତ୍ରର ସମ୍ମିଳିତ ପ୍ରୟାସ ଆବଶ୍ୟକ।
ଶପଥ ପାଠ ଅବସରରେ ସାଧୁତା, ସଚ୍ଚୋଟତା ଓ ସ୍ୱଚ୍ଛତା ବଜାୟ ରଖିବା ସହ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଆଇନର ଶାସନକୁ ଅନୁପାଳନ କରିବା, ଉତ୍କୋଚ ନ ଦେବା କିମ୍ବା ନ ନେବା, ସମସ୍ତ ଦାୟିତ୍ୱକୁ ନିଷ୍ଠା ଓ ସ୍ୱଚ୍ଛତାର ସହ ସମ୍ପାଦନ କରିବା ଏବଂ ଜନସାଧାରଣଙ୍କ ହିତ ସାଧନ ପାଇଁ କାର୍ଯ୍ୟ କରିବାକୁ ସଂକଳ୍ପ ନିଆଯାଇଥିଲା। ଏଥିସହ ନିଜ ବ୍ୟକ୍ତିଗତ ଆଚରଣରେ ଉଦାହରଣମୂଳକ ସାଧୁତା ବଜାୟ ରଖିବା ଏବଂ ଦୁର୍ନୀତି ସମ୍ପର୍କିତ କୌଣସି ଘଟଣା ଦୃଷ୍ଟିକୁ ଆସିଲେ ଉପଯୁକ୍ତ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବା ପାଇଁ ଶପଥ ନିଆଯାଇଥିଲା।
ଏହି ଅବସରରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ବନଖଣ୍ଡ ଅଧିକାରୀ (ବନ୍ୟପ୍ରାଣୀ) ସମୀର ସାହୁ, ଉପଜିଲ୍ଲାପାଳ ସୁର୍ମି ସୋରେନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଇଶାନୀ ମିତ୍ର, କୋମନା ବ୍ଲକ ଅଧ୍ୟକ୍ଷା ଅନୁସୂୟା କୁମ୍ଭାର ଓ ଉପାଧ୍ୟକ୍ଷ ଜୟଦେବ ପ୍ରଧାନ, ବିଡିଓ ପବିତ୍ର କୁମାର ସାମଲଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ଅନ୍ୟାନ୍ୟ ପ୍ରତିନିଧି ଉପସ୍ଥିତ ଥିଲେ।
ଏଥିରେ ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର ଯନ୍ତ୍ରୀ, ଲାଇନ୍ ବିଭାଗର ଅଧିକାରୀ, ବ୍ଲକସ୍ତରୀୟ ଅଧିକାରୀ ଓ କର୍ମଚାରୀଙ୍କ ସମେତ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।
ସାଧୁତା ଓ ସଚ୍ଚୋଟତାକୁ ବ୍ୟକ୍ତିଗତ ଜୀବନ ତଥା ସରକାରୀ କାର୍ଯ୍ୟଧାରାର ଅବିଚ୍ଛେଦ୍ୟ ଅଂଶ ଭାବେ ଗ୍ରହଣ କରିବା ସହ ଦୁର୍ନୀତି ବିରୋଧରେ ସମୂହ ସଂକଳ୍ପ ଓ ସକ୍ରିୟ ସହଯୋଗ ମାଧ୍ୟମରେ ଏକ ସ୍ୱଚ୍ଛ, ଉତ୍ତରଦାୟୀ ଓ ଦୁର୍ନୀତିମୁକ୍ତ ସମାଜ ଗଠନ କରିବା ଏହି ସଚେତନତା ସପ୍ତାହର ମୁଖ୍ୟ ବାର୍ତ୍ତା।
