କନ୍ଧମାଳରେ ଗଞ୍ଜେଇ ଚାଷ ଉପରେ ବଡ଼ ଧରଣର ଚଢ଼ାଉ ,୬ ଗିରଫ
କନ୍ଧମାଳ:
କନ୍ଧମାଳ ଜିଲ୍ଲାରେ ବେଆଇନ ଗଞ୍ଜେଇ ଚାଷ ନିର୍ମୂଳ କରିବା ପାଇଁ ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ଼ ଧରଣର ଅଭିଯାନ ଆରମ୍ଭ ହୋଇଛି। ଗତ ୨୫ ତାରିଖରେ ଜିଲ୍ଲାର ୬ଟି ଥାନା ଅଞ୍ଚଳରେ ଏକକାଳୀନ ଚଢ଼ାଉ କରାଯାଇ ପ୍ରାୟ ୧୯୯ ଏକର ଜମିରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି। ଏହି ଅଭିଯାନରେ ଗଞ୍ଜେଇ ଚାଷରେ ସମ୍ପୃକ୍ତି ଅଭିଯୋଗରେ ୬ ଜଣଙ୍କୁ ଗିରଫ କରାଯାଇଛି। ଆଗାମୀ ଦିନରେ ଡ୍ରୋନ୍ ନିରୀକ୍ଷଣ ମାଧ୍ୟମରେ ଗଞ୍ଜେଇ ଚାଷ ଚିହ୍ନଟ କରି ଚଢ଼ାଉକୁ ଅଧିକ ଜୋରଦାର କରାଯିବାକୁ ପଦକ୍ଷେପ ନିଆଯାଇଛି। ଜିଲ୍ଲାର ଦୁର୍ଗମ ଅଞ୍ଚଳଗୁଡ଼ିକରେ ବେଆଇନ ନିଶାଦ୍ରବ୍ୟ ଚାଷକୁ ରୋକିବା ଲକ୍ଷ୍ୟରେ ପୋଲିସ, ଅବକାରୀ, ରାଜସ୍ୱ ଓ ବନ ବିଭାଗର ମିଳିତ ଟିମ୍ ଏହି ଅଭିଯାନରେ ସାମିଲ ହୋଇଥିଲେ। ବାଲିଗୁଡ଼ା, ଫିରିଙ୍ଗିଆ, ଖଜୁରୀପଡ଼ା, ଟିକାବାଲି, ତୁମୁଡ଼ିବନ୍ଧ ଓ ଗୋଛାପଡ଼ା ଥାନା ଅଞ୍ଚଳରେ ଚଢ଼ାଉ କରାଯାଇ ବେଆଇନ ଗଞ୍ଜେଇ ଚାଷକୁ ଚିହ୍ନଟ କରାଯିବା ସହ ନଷ୍ଟ କରାଯାଇଥିଲା। ପ୍ରତ୍ୟେକ ଚଢ଼ାଉକାରୀ ଟିମ୍ରେ ପ୍ରାୟ ୪୦ରୁ ୬୦ ଜଣ ଅଧିକାରୀ ଓ କର୍ମଚାରୀ ସାମିଲ ହୋଇଥିଲେ।
ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ଖଜୁରୀପଡ଼ା ଥାନା ଅଞ୍ଚଳର ପ୍ରମୋଦ ପ୍ରଧାନ (୪୯), ବିରେନ୍ଦ୍ର ପ୍ରଧାନ (୨୮) ଓ ଅଭିମନ୍ୟୁ ନାୟକ (୪୮), ଫିରିଙ୍ଗିଆ ଥାନା ଅଞ୍ଚଳର ଚିତ୍ରସେନ କହଁର (୫୩) ଏବଂ ବାଲିଗୁଡ଼ା ଥାନା ଅଞ୍ଚଳର ଚୈତନ୍ୟ ରଣା (୪୪) ଓ ପ୍ରେମାନନ୍ଦ ମଲ୍ଲିକ (୩୭)। ପ୍ରଶାସନ ପକ୍ଷରୁ କେବଳ ଗଞ୍ଜେଇ ଗଛ ନଷ୍ଟ କରିବାରେ ଅଭିଯାନକୁ ସୀମିତ ରଖାଯାଇନାହିଁ। ଏହା ପଛରେ ଥିବା ଆର୍ଥିକ ପୃଷ୍ଠପୋଷକ, ଚାଷ ପାଇଁ ଜମି ଯୋଗାଉଥିବା ବ୍ୟକ୍ତି ଓ ସଂଗଠିତ ଗଞ୍ଜେଇ ଚାଲାଣ ନେଟୱର୍କକୁ ଚିହ୍ନଟ କରିବା ଦିଗରେ ମଧ୍ୟ ତଦନ୍ତ ଜାରି ରହିଛି। ଆଇନଗତ ପ୍ରକ୍ରିୟା ଅନୁସାରେ ନଷ୍ଟ କରାଯାଇଥିବା ଗଞ୍ଜେଇ ଗଛର ନମୁନା ସଂଗ୍ରହ କରି ସିଲ୍ କରାଯାଇଛି। ଏହି ନମୁନାଗୁଡ଼ିକୁ ରାସାୟନିକ ପରୀକ୍ଷା ପାଇଁ ଭୁବନେଶ୍ୱରସ୍ଥିତ ରାଜ୍ୟ ଫୋରେନସିକ୍ ବିଜ୍ଞାନ ପରୀକ୍ଷାଗାରକୁ ପଠାଯିବ ବୋଲି ପ୍ରେସ୍ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ଅଭିଯାନର ସମସ୍ତ ପ୍ରକ୍ରିୟାକୁ ଫଟୋ ଓ ଭିଡିଓ ମାଧ୍ୟମରେ ରେକର୍ଡ କରାଯାଇଛି। କନ୍ଧମାଳ ଏସ୍ପି ରମେନ୍ଦ୍ର ପ୍ରସାଦଙ୍କ ସମେତ ଫିରିଙ୍ଗିଆ ଥାନା ଅଧିକାରୀ ମୁରଲୀଧର ସାହୁ ଓ ଖଜୁରୀପଡ଼ା ଥାନା ଅଧିକାରୀ ଚାପଧାରୀ ପ୍ରଧାନଙ୍କ ସୂଚନା ଅନୁଯାୟୀ, ଆଗାମୀ ଦିନରେ ଡ୍ରୋନ୍ ନିରୀକ୍ଷଣ ଓ ବିଭିନ୍ନ ବିଭାଗର ସମନ୍ୱୟରେ ଏଭଳି ଚଢ଼ାଉ ଜାରି ରହିବ। ବେଆଇନ ଗଞ୍ଜେଇ ଚାଷ ଓ ଚାଲାଣକୁ ମୂଳୋତ୍ପାଟନ କରିବା ପାଇଁ ପ୍ରଶାସନର ଏହି ପଦକ୍ଷେପ ଆଗାମୀ ଦିନରେ ଆହୁରି ଜୋରଦାର ହେବ ବୋଲି ଆଶା କରାଯାଉଛି।
