ମଦ, ଗଞ୍ଜେଇ ଓ ଡ୍ରଗ୍ସ ବିକ୍ରି ବନ୍ଦ ଦାବିରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ପହଞ୍ଚିଲେ ଶତାଧିକ ମହିଳା
ଉଦଳା, ୨୬/୧୦: ଗ୍ରାମରେ ମଦ, ଗଞ୍ଜେଇ ଓ ଡ୍ରଗ୍ସ ବିକ୍ରି ବନ୍ଦ କରିବା ଦାବିରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଶତାଧିକ ମହିଳା। ବାରମ୍ବାର ଅଭିଯୋଗ ସତ୍ତ୍ୱେ କୌଣସି ସୁଫଳ ନମିଳିବାରୁ ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ତେଲଦିହୁଡ଼ି ଗ୍ରାମର ମହିଳାମାନେ ଆଜି ଯୁଗ୍ମ ଜନଶୁଣାଣି ଶିବିରରେ ପହଞ୍ଚି ଜିଲ୍ଲାପାଳଙ୍କୁ ଅଭିଯୋଗ ଜଣାଇଛନ୍ତି।
ମହିଳାମାନଙ୍କ ଅଭିଯୋଗ ଅନୁଯାୟୀ, ଗ୍ରାମରେ ବେଆଇନ ଭାବେ ମଦ, ଗଞ୍ଜେଇ ଓ ଡ୍ରଗ୍ସ ବିକ୍ରି ହେଉଥିବାରୁ ଏହାର କୁପ୍ରଭାବ ସାଧାରଣ ଜୀବନ ଉପରେ ପଡ଼ୁଛି। ନିଶାଦ୍ରବ୍ୟ ସେବନ ଯୋଗୁଁ ଅନେକ ପରିବାରରେ ଅଶାନ୍ତି ଓ ବିଶୃଙ୍ଖଳା ସୃଷ୍ଟି ହେଉଛି। ଏହାଦ୍ୱାରା ଗ୍ରାମର ଶାନ୍ତିଶୃଙ୍ଖଳା ମଧ୍ୟ ବ୍ୟାହତ ହେଉଥିବା ସେମାନେ କହିଛନ୍ତି।
ଏନେଇ ପୂର୍ବରୁ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ମଧ୍ୟ ଆଶାନୁରୂପ ପଦକ୍ଷେପ ନିଆଯାଇନଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ତେଣୁ ଏହି ସମସ୍ୟାର ସ୍ଥାୟୀ ସମାଧାନ ଏବଂ ନିଶାଦ୍ରବ୍ୟ ବିକ୍ରି ବନ୍ଦ କରିବା ପାଇଁ ସେମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି ରଖିଛନ୍ତି।
ଏହାପରେ ମଧ୍ୟ ଯଦି ପ୍ରଶାସନ ପକ୍ଷରୁ ଠୋସ୍ ପଦକ୍ଷେପ ନିଆନଯାଏ, ତେବେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି।
