*ସୋଲାର ପମ୍ପ ଲାଗିଲା, ହେଲେ ଗ୍ରାମବାସୀଙ୍କ ଜଳକଷ୍ଟ କମିଲାନି!*
ରାଇଘର:ତା୨୬/୧୦ (ଉମେଶ ସାହୁ): ପାଣି କେବଳ ଶୋଷ ମେଣ୍ଟାଇବାର ମାଧ୍ୟମ ନୁହେଁ, ଏହା ପ୍ରତ୍ୟେକ ପରିବାରର ଜୀବନ ଓ ଜୀବିକା ସହ ଜଡ଼ିତ। ହେଲେ ସକାଳେ ଘରେ ପାଣି ନଥିଲେ ରୋଷେଇଠାରୁ ଆରମ୍ଭ କରି ପିଲାଙ୍କ ସ୍କୁଲ ଯିବା ଓ ପରିବାରର ଦୈନନ୍ଦିନ କାମ ପର୍ଯ୍ୟନ୍ତ ସବୁକିଛି ପ୍ରଭାବିତ ହୁଏ। ଏଭଳି ସମସ୍ୟାର ସାମ୍ନା କରୁଛନ୍ତି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ମୁଣ୍ଡିବେଢ଼ା ପଞ୍ଚାୟତର ଭିମାଟିକରା ଗ୍ରାମବାସୀ।
ଗ୍ରାମରେ ପୂର୍ବରୁ ନଳକୂପରେ ହ୍ୟାଣ୍ଡପମ୍ପ ଥିବାରୁ ଲୋକେ ନିଜ ସୁବିଧା ଅନୁସାରେ ପାଣି ସଂଗ୍ରହ କରିପାରୁଥିଲେ। କିନ୍ତୁ ଏବେ ନଳକୂପକୁ ସୋଲାର ପ୍ୟାନେଲ୍ ସହ ସଂଯୋଗ କରାଯିବା ପରେ ସକାଳ ପ୍ରାୟ ୧୦ଟାରେ ପାଣି ମିଳୁଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ଫଳରେ ସକାଳୁ ପାଣି ଆବଶ୍ୟକ କରୁଥିବା ପରିବାରଗୁଡ଼ିକ ନାନା ଅସୁବିଧାରେ ପଡ଼ୁଛନ୍ତି।
ଏହି ସମସ୍ୟା ଦିନମଜୁରିଆ ପରିବାର ପାଇଁ ଆହୁରି ଗମ୍ଭୀର। ସକାଳୁ କାମକୁ ଗଲେ ଘରେ ଚୁଲି ଜଳେ, ପରିବାରର ପେଟକୁ ଦାନା ଯାଏ। କିନ୍ତୁ ପାଣି ନଥିଲେ ରୋଷେଇ ହେବ କିପରି? ପିଲାମାନେ ଖାଇ ସ୍କୁଲ ଯିବେ କେମିତି? ଆଉ ପାଣି ଅପେକ୍ଷାରେ ରହିଲେ ଦିନର ମଜୁରି ହରାଇବାର ଆଶଙ୍କା। ଏପଟେ ପରିବାରର ଆବଶ୍ୟକତା, ସେପଟେ ରୋଜଗାରର ଚିନ୍ତା ଏହି ଦୁଇଟି ମଧ୍ୟରେ ଅସହାୟ ହେଉଛନ୍ତି ଗ୍ରାମବାସୀ।
ପାଣି ଯୋଗାଣରେ ସୋଲାର ପ୍ରଯୁକ୍ତିର ବ୍ୟବହାର ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ଯେଉଁ ବ୍ୟବସ୍ଥା ଲୋକଙ୍କ ଜୀବନକୁ ସହଜ କରିବା କଥା, ତାହା ଯଦି ଆବଶ୍ୟକ ସମୟରେ ପାଣି ଯୋଗାଇ ନପାରେ, ତେବେ ଏହାର ଉଦ୍ଦେଶ୍ୟ କେତେଦୂର ସଫଳ ହେଉଛି, ତାହା ନିଶ୍ଚୟ ବିଚାରଯୋଗ୍ୟ।
ଗ୍ରାମବାସୀଙ୍କ ଆଶା, ସମ୍ପୃକ୍ତ ବିଭାଗ ଏହି ସମସ୍ୟାକୁ ଗୁରୁତ୍ୱର ସହ ନେଇ ସକାଳୁ ପାଣି ମିଳିବାର ବ୍ୟବସ୍ଥା କରିବ। ଆବଶ୍ୟକ ହେଲେ ପୂର୍ବଭଳି ହ୍ୟାଣ୍ଡପମ୍ପରେ ପାଣି ଉଠାଇବାର ବିକଳ୍ପ ସୁବିଧା ମଧ୍ୟ ଯୋଗାଇ ଦିଆଯାଉ।
କାରଣ, ଗୋଟିଏ ଗରିବ ପରିବାର ପାଇଁ ପାଣିର ଅଭାବ କେବଳ ଶୋଷର କଷ୍ଟ ନୁହେଁ; ଏହା ଚୁଲି ଜଳିବା, ପିଲାଙ୍କ ପାଠପଢ଼ା ଓ ଦିନର ରୋଜଗାର ସହ ଜଡ଼ିତ। ଭିମାଟିକରାବାସୀଙ୍କ ଏହି ଦୈନନ୍ଦିନ ଯନ୍ତ୍ରଣା କେବେ ଦୂର ହେବ, ଏବେ ସମସ୍ତଙ୍କ ନଜର ସମ୍ପୃକ୍ତ ବିଭାଗର ପଦକ୍ଷେପ ଉପରେ।
