ବାତ୍ୟା ମୁକାବିଲା ପାଇଁ ପ୍ରଶାସନର ପ୍ରସ୍ତୁତ ବୈଠକରେ ଯୋଗଦେଲେ ବିଧାୟକ ରୂପେଶ ପାଣିଗ୍ରାହୀ, ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ଓ ଅନ୍ୟାନ୍ୟ ଅଧିକାରୀ।
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲା ରେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବାତ୍ୟା ପ୍ରସ୍ତୁତି ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଯୋଗଦେଇଥିଲେ। ଏହି ବୈଠକରେ ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ଉପଜିଲ୍ଲାପାଳ ଏବଂ ବାତ୍ୟା ସମ୍ପର୍କିତ ନୋଡାଲ ଅଧିକାରୀ ବିଜୟ କୁମାର ଦାସଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।
ବୈଠକରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବକୁ ମୁକାବିଲା କରିବା, ଜିଲ୍ଲାର ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ଆଗୁଆ ପ୍ରସ୍ତୁତି ଏବଂ ଜନସାଧାରଣଙ୍କ ଧନଜୀବନ ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରାଯାଇଥିଲା।
ବାତ୍ୟା ସମୟରେ ଯେପରି କୌଣସି ଅଞ୍ଚଳରେ ଜନଜୀବନ ପ୍ରଭାବିତ ନହୁଏ, ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଏବଂ ଆଗୁଆ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଶେଷକରି ବିପଦସଙ୍କୁଳ ଅଞ୍ଚଳରେ ରହୁଥିବା ଲୋକଙ୍କ ସୁରକ୍ଷା, ଆବଶ୍ୟକ ସ୍ଥଳେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର, ରିଲିଫ୍ ବ୍ୟବସ୍ଥା, ଜରୁରୀକାଳୀନ ସେବା ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ଆଲୋଚନା ହୋଇଥିଲା।
ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଏଭଳି ପରିସ୍ଥିତିରେ ସାଧାରଣ ଲୋକଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେବା ସହ ଆବଶ୍ୟକ ସମୟରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ଓ ସମ୍ପୃକ୍ତ ବିଭାଗଗୁଡ଼ିକୁ ସତର୍କ ରହିବା ସହ ପରିସ୍ଥିତି ଉପରେ ନିରନ୍ତର ନଜର ରଖିବା ଏବଂ ଆବଶ୍ୟକ ସମୟରେ ତୁରନ୍ତ ସହାୟତା ଯୋଗାଇଦେବା ପାଇଁ ପ୍ରସ୍ତୁତ ରହିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।
