ଲାଞ୍ଜିଗଡ ବ୍ଲକ୍ରେ ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
୪୨ଟି ଅଭିଯୋଗ ଗ୍ରହଣ, ୩ ଟି ଅଭିଯୋଗର ତତ୍କାଳ ସମାଧାନ
(ଡା:ରମେଶ କୁମାର.ନି:ପ୍ର)
ଭବାନୀପାଟଣା ତା. ୨୬.୧୦.୨୦୨୬:
ଜନସାଧାରଣଙ୍କ ଅଭିଯୋଗର ଶୁଣାଣି କରି ସେଗୁଡ଼ିକର ତ୍ୱରିତ ଓ ନ୍ୟାୟସଙ୍ଗତ ସମାଧାନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆଜି କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ବ୍ଲକ୍ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିଥିଲେ।ଏହି ଶିବିରରେ ଉପ ଜିଲ୍ଲାପାଳ ଭବାନୀପାଟଣା ଆସ୍ନି ଏ.ଏଲ, ବ୍ଲକ୍ ଅଧ୍ୟକ୍ଷ କମଳା ପାତ୍ର, ଜିଲ୍ଲା ପରିଷଦ ସଦସ୍ୟ ପରୀକ୍ଷିତ ନାୟକ ଉପସ୍ଥିତ ଥିଲେ।
ଶିବିରରେ ବିଭିନ୍ନ ସମସ୍ୟାର ସମାଧାନ ଆଶାରେ ଆସିଥିବା ଅଭିଯୋଗକାରୀମାନେ ନିଜ ନିଜର ସମସ୍ୟା ଓ ଅଭିଯୋଗକୁ ଜିଲ୍ଲାପାଳ ନିକଟରେ ଉପସ୍ଥାପନ କରିଥିଲେ। ଜିଲ୍ଲାପାଳ ଅଭିଯୋଗଗୁଡ଼ିକୁ ଗୁରୁତ୍ୱର ସହ ବିଚାର କରିବା ସହ ସମ୍ପୃକ୍ତ ବିଭାଗର ଅଧିକାରୀମାନଙ୍କୁ ଆବଶ୍ୟକ ତଦନ୍ତ ଓ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଏହି ଅଭିଯୋଗ ଶୁଣାଣି ଶିବିରରେ ମୋଟ ୪୨ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୨୩ଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୧୯ଟି ଗ୍ରାମ୍ୟ ଓ ସାମୂହିକ ଅଭିଯୋଗ ରହିଥିଲା। ଗ୍ରହଣ କରାଯାଇଥିବା ଅଭିଯୋଗଗୁଡ଼ିକ ମଧ୍ୟରୁ ୩ଟିର ସମାଧାନ ତତ୍କାଳ ଘଟଣାସ୍ଥଳରେ କରାଯାଇଥିଲା। ଅବଶିଷ୍ଟ ଅଭିଯୋଗଗୁଡ଼ିକର ତ୍ୱରିତ ତଦନ୍ତ ଓ ନିୟମାନୁଯାୟୀ ସମାଧାନ ପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକୁ ପଠାଯାଇଥିଲା।
