ମାସ ହେବ ରାସନ ପାଇଁ ଡହଳ ବିକଳ ଗରିବ ଖଟିଖିଆ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)::: ୪ ମାସ ହେବ ରାସନ ପାଇଁ ଡହଳ ବିକଳ ଗରିବ ଖଟିଖିଆ: ବ୍ଲକ କାର୍ଯ୍ୟାଳୟ ଆଗରେ କଲେ ବିକ୍ଷୋଭ । ଦୀର୍ଘ ୪ ମାସ ହେବ ରାସନରୁ ବଞ୍ଚିତ ହେବା ପରେ, ଶେଷରେ ନିଜର ହକ୍ ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି ଶତାଧିକ ହିତାଧିକାରୀ। ସୋର ବ୍ଲକ ମୁଳିସିଂ ପଞ୍ଚାୟତର ଥାଳା ଏବଂ ଶ୍ୟାମପୁର ଗାଁ। ୧୩ ଓ ୧୪ ନମ୍ବର ୱାର୍ଡରେ ରହୁଛନ୍ତି ୧୦୦୦ରୁ ଅଧିକ ହିତାଧିକାରୀ। ପୂର୍ବରୁ ସବୁକିଛି ଠିକ୍ ଚାଲିଥିଲା। ପୁରୁଣା ଡିଲର ଅଚ୍ୟୁତାନନ୍ଦ ଶିଅଳ ଙ୍କ ଅସୁସ୍ଥତା ପରେ, ଯୋଗାଣ ବିଭାଗ ନୂଆ ଡିଲର ଭାବେ କୈଳାଶ ଚନ୍ଦ୍ର ନାୟକଙ୍କୁ ଦାୟିତ୍ୱ ଦେଇଥିଲା। ନୂଆ ଡିଲର ପ୍ରଥମ ମାସ ଠିକ ଠାକ ଚାଉଳ ଦେଇଦେଲେ। ହେଲେ ଆଗକୁ ଚାଉଳ ନେଇ ନିଜ ଭିତରେ ବଣ୍ଟନ କରିବା ସହ ଯଦି କମ ପଡ଼ିବ ତେବେ ଟଙ୍କା ଦେବାକୁ ପଡ଼ିବ ବୋଲି ଅଜବ ସର୍ତ୍ତ ରଖିଥିଲେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଦିନ ମଜୁରିଆ ଲୋକଟିଏ ଦିନ ଯାକ ହାଡ଼ଭଙ୍ଗା ପରିଶ୍ରମ କଲେ ଯାଇ ଚୁଲି ଜଳେ। ସେମାନେ କାମ ଦାମ ଛାଡ଼ି ରାସନ ଆଣିବେ କେମିତି? ଗୋଟିଏ ମାସ କଷ୍ଟେମଷ୍ଟେ ଖର୍ଚ୍ଚ ଉଠାଇଲେ, କିନ୍ତୁ ପରେ ହାତ ଟେକି ଦେଲେ। ଫଳରେ ଗତ ୪ ମାସ ହେବ ସରକାରୀ ରାସନରୁ ସମ୍ପୂର୍ଣ୍ଣ ବଞ୍ଚିତ ହୋଇ ରହିଲେ ଏହି ଦୁଇ ଗାଁର ଶତାଧିକ ପରିବାର। ଆଜି ବାଧ୍ୟ ହୋଇ ନିଜର ହକ୍ ମାଗିବାକୁ ସୋର ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ ଏହି ଖଟିଖିଆ ଲୋକେ। ମାତ୍ର ସେଠାରେ ବିଡିଓ ଓ ଯୋଗାଣ ଅଧିକାରୀଙ୍କୁ ନପାଇ ଲୋକଙ୍କ ଅସନ୍ତୋଷ ଆହୁରି ତୀବ୍ର ହୋଇଥିଲା। ପରେ ଗ୍ରାମବାସୀମାନେ ସୋର ବିଧାୟକଙ୍କୁ ଭେଟି ନିଜର ଦୁର୍ଦ୍ଦଶା ବିଷୟରେ ଅବଗତ କରାଇଥିଲେ। ବିଧାୟକ ମଧ୍ୟ ତୁରନ୍ତ ବିଭାଗୀୟ ଅଧିକାରୀଙ୍କ ସହ କଥା ହୋଇ ଖୁବଶୀଘ୍ର ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟପକ୍ଷରେ, ଏହି ଘଟଣାକୁ ନେଇ ଯୋଗାଣ ଅଧିକାରୀଙ୍କ ସହ ଯୋଗାଯୋଗ କରାଯିବାରୁ ସେ ସମସ୍ୟାର ସମାଧାନ ହୋଇଥିବା ସ୍ପଷ୍ଟ କରିଛନ୍ତି। ଆଗାମୀ ଦିନରେ ଗ୍ରାମବାସୀଙ୍କ ତରଫରୁ ଏକ ଘର ଯୋଗାଇ ଦେଲେ ତାହା ସବ କଲେକ୍ଟରଙ୍କ ଅନୁମୋଦନ ପାଇଁ ପଠାଯାଇ ସୁବିଧାରେ ରାସନ ସାମଗ୍ରୀ ପ୍ରଦାନ କରାଯିବ ବୋଲି ପ୍ରକାଶ କରିଥିଲେ। ଏ ବିଷୟରେ ଗ୍ରାମବାସୀଙ୍କୁ ଜଣାଇ ଦିଆଯାଇଛି ବୋଲି ବ୍ଲକ ଯୋଗାଣ ଅଧିକାରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି। ଅନ୍ୟ ପକ୍ଷରେ ରାସନ ସାମଗ୍ରୀ ବଣ୍ଟନ ପାଇଁ ରଖିଥିବା କୌଣସି ପ୍ରକାର ସର୍ତ୍ତ ଓ ଅଭିଯୋଗକୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସମ୍ପୃକ୍ତ ଡିଲର। ଦେଖାଯାଉ କେବେ ସମସ୍ୟାର ସମାଧାନ ହୋଇ ଗ୍ରାମବାସୀଙ୍କ ୪ ମାସର ଚାଉଳ ମିଳିପାରୁଛି।
