ଆରମ୍ଭ ହେଲା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬
‘ସାଧୁତାରୁ ସମୃଦ୍ଧି’ର ବାର୍ତ୍ତା ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଧିକାରୀ ଓ କର୍ମଚାରୀଙ୍କ ଶପଥ ପାଠ
ଛତ୍ରପୁର, ତା ୨୬/୧୦: ଦୁର୍ନୀତିମୁକ୍ତ ସମାଜ ଗଠନ ସହ ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା, ସାଧୁତା ଓ ଉତ୍ତରଦାୟିତ୍ୱ ବଜାୟ ରଖିବା ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଛି ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬। ଅକ୍ଟୋବର ୨୬ରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ପାଳନ ହେଉଥିବା ଏହି ସପ୍ତାହର ବିଷୟବସ୍ତୁ ହେଉଛି ‘ସାଧୁତାରୁ ସମୃଦ୍ଧି’।
ଏହି ଅବସରରେ ଆଜି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଦେବଦତ୍ତ ପଣ୍ଡା ଅଧିକାରୀ ଓ କର୍ମଚାରୀମାନଙ୍କୁ ସାଧୁତାର ଶପଥ ପାଠ କରାଇଥିଲେ। ଜିଲ୍ଲାର ଅନ୍ୟ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ମଧ୍ୟ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଦୁର୍ନୀତି ଦେଶର ଆର୍ଥିକ, ରାଜନୈତିକ ଓ ସାମାଜିକ ପ୍ରଗତିରେ ଏକ ପ୍ରମୁଖ ପ୍ରତିବନ୍ଧକ ହୋଇଥିବାରୁ ଏହାର ନିରାକରଣ ପାଇଁ ପ୍ରତ୍ୟେକ ନାଗରିକଙ୍କ ସଚେତନତା ଓ ସହଯୋଗ ଜରୁରୀ। ଶପଥ ପାଠ ଅବସରରେ ଲାଞ୍ଚ ନ ଦେବା ଓ ନ ନେବା, ନିଜ କର୍ତ୍ତବ୍ୟ ସମ୍ପାଦନରେ ସ୍ୱଚ୍ଛତା ଓ ସଚ୍ଚୋଟତା ବଜାୟ ରଖିବା ପାଇଁ ଅଧିକାରୀ ଓ କର୍ମଚାରୀମାନେ ସଂକଳ୍ପ ନେଇଥିଲେ।
ଏହି କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ଡ. ଅରୁଣ କୁମାର ଖଣ୍ଡା, କସ୍ତୁରୀ ସ୍ୱାଇଁ, ସୁଚିସ୍ମିତା ପାଣି, ଲଳିତ ଦେବୀଦାନ, ଶିକ୍ଷିତା ଗୌଡ଼, ସହକାରୀ କଲେକ୍ଟର ଅଦିତି ଆଚାର୍ଯ୍ୟ, ତାପସ କୁମାର ସାମଲ, ସୁଦାମ ସ୍ୱାଇଁଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।
ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ସଚେତନତା ଶୋଭାଯାତ୍ରା, ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଓ ଆଲୋଚନାଚକ୍ର ଆୟୋଜନ କରାଯିବ।
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଗଞ୍ଜାମ
