*ବାଲିଘର ପକ୍ଷରୁ ସାହିତ୍ୟ ସାଧକ ଭାସ୍କର ଶତପଥୀଙ୍କ ୮୭ତମ ଜନ୍ମ ଜୟନ୍ତୀ ପାଳିତ -ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଅବଦାନକୁ ସ୍ମରଣ*
ତିର୍ତୋଲ, (ଭଂଜଦୂତ ଖବର ): ଜଗତସିଂହପୁର ଜିଲ୍ଲା ତିର୍ତୋଲ ର ପୁରାତନ ଓ ଅଗ୍ରଣୀ ସାହିତ୍ୟ ସାଂସ୍କୃତିକ ଅନୁଷ୍ଠାନ ବାଲିଘର ସାହିତ୍ୟ ସଂସ୍କୃତି ପ୍ରତିଷ୍ଠାନ ଏବଂ ବାଲିଘର ଫାଉଣ୍ଡେସନ ପକ୍ଷରୁ ରବିବାର ବରିଷ୍ଠ ସାହିତ୍ୟିକ, ଶିକ୍ଷାବିତ୍ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପଣ୍ଡିତ ଭାସ୍କର ଚନ୍ଦ୍ର ଶତପଥୀଙ୍କ ୮୭ତମ ଜନ୍ମ ଜୟନ୍ତୀ ଅତି ଆଡମ୍ବର ସହକାରେ ପାଳିତ ହୋଇଯାଇଛି।
ଫାଉଣ୍ଡେସନର ଅଧ୍ୟକ୍ଷ କୈଳାସ ଚନ୍ଦ୍ର ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ଓ ବରିଷ୍ଠ ସାମ୍ବାଦିକ ଅମରଜ୍ୟୋତି ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଭବ୍ୟ ସମାରୋହରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାମ୍ୟବାଦୀ ନେତା ତଥା ଚିନ୍ତକ କମ୍ରେଡ ଶଶୀଭୂଷଣ ସ୍ୱାଇଁ ଯୋଗ ଦେଇ କହିଥିଲେ, “ଭାସ୍କର ଶତପଥୀ କେବଳ ଜଣେ ଶିକ୍ଷକ ନୁହଁନ୍ତି, ସେ ଜଣେ ଅନୁଷ୍ଠାନ। ତାଙ୍କ କଲମରୁ ସମାଜ ଶିଖେ, ତାଙ୍କ ଜୀବନରୁ ନୈତିକତା ଶିଖେ।”
ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ନାରାୟଣ ନାୟକ, ବିଶିଷ୍ଟ ଆଇନଜୀବୀ ଡ. ବୀରନାରାୟଣ ପାତ୍ର, ପଣ୍ଡିତ ନାଗମଣି କର ପ୍ରମୁଖ ଶ୍ରୀ ଶତପଥୀଙ୍କ ସାହିତ୍ୟ କୃତି, ଶିକ୍ଷା ଦର୍ଶନ ଏବଂ ସମାଜ ସଂସ୍କାର କ୍ଷେତ୍ରରେ ତାଙ୍କର ଅବଦାନ ଉପରେ ଆଲୋକପାତ କରିଥିଲେ।
ଏହି ଅବସରରେ ସାମ୍ବାଦିକ ଶ୍ରୀକାନ୍ତ ଦାଶ, ଗୌରାଙ୍ଗ ଚରଣ ସ୍ୱାଇଁ, ଗୋପାଳ କୃଷ୍ଣ ଦାସ, କବି ଶ୍ୟାମ ସୁନ୍ଦର ବେହେରା, ମନସୁର ଅଲ୍ଲୀ, ଗୋବିନ୍ଦ ବିଶ୍ୱାଳ, ଆଶିଷ ପରିଜା, ଜାନକୀବଲ୍ଲଭ ଶତପଥୀ, ରବୀ ନାରାୟଣ ସାହୁ, ବୈଦ୍ୟନାଥ ସାହୁ, କୈଳାସ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇ ଶ୍ରୀ ଶତପଥୀଙ୍କ ବହୁମୁଖୀ ପ୍ରତିଭା ବିଷୟରେ ସ୍ମୃତିଚାରଣ କରିଥିଲେ। ଶେଷରେ ବାଲିଘର ପକ୍ଷରୁ ପଣ୍ଡିତ ଭାସ୍କର ଶତପଥୀଙ୍କୁ ଅଙ୍ଗବସ୍ତ୍ର, ଉତ୍ତରୀୟ, ପୁଷ୍ପଗୁଚ୍ଛ ଏବଂ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଉପସ୍ଥିତ କବି ଓ ଲେଖକମାନେ ନିଜ ସ୍ୱରଚିତ କବିତା ପାଠ କରି ସଭାକୁ ମନୋରଞ୍ଜନ କରିଥିଲେ। ସମାରୋହ ଶେଷରେ ସାମ୍ବାଦିକ ଚନ୍ଦନ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
