ଶିଙ୍ଗିପୁର ଗ୍ରାମରେ ବେଆଇନ ଦେଶୀ ମଦ ପ୍ରସ୍ତୁତି ଉପରେ ପୋଲିସ ଓ ରାଜସ୍ୱ ବିଭାଗର ମିଳିତ ଚଢ଼ାଉ।
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କେ. ସୀତାପୁର ଗ୍ରାମ ପଞ୍ଚାୟତର ଶିଙ୍ଗିପୁର ଗ୍ରାମରେ ବେଆଇନ ଭାବେ ଦେଶୀ ମଦ ପ୍ରସ୍ତୁତି ଓ ବିକ୍ରି ଚାଲିଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା । ଏହି ସୂଚନା ଆଧାରରେ S.P ଗଜପତି ଙ୍କ ଆଦେଶ ଅନୁଯାଏ ଆଜି ତା. ୨୫.୧୦.୨୦୨୬ ରିଖ ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ମିଳିତ ଚଢ଼ାଉ କରାଯାଇଥିଲା । ପାରଳାଖେମୁଣ୍ଡି ଏସ୍.ଡି.ପି.ଓ. ଶ୍ରୀ ମାଧବାନନ୍ଦ ନାୟକଙ୍କ ତତ୍ତ୍ୱାବଧାନରେ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ପ୍ରଶାନ୍ତ ଭୂପତି, ଏସ୍.ଆଇ. ପ୍ରିୟବ୍ରତ ସ୍ୱାଇଁ, ଏସ୍.ଆଇ. ପି. ଜଗରଙ୍ଗା, କେ. ସୀତାପୁର ରାଜସ୍ୱ ନିରୀକ୍ଷକ, ଏକ ସେକ୍ସନ୍ ଏ.ପି.ଆର୍. ଫୋର୍ସ ଏବଂ ଥାନାର ଅନ୍ୟାନ୍ୟ ପୋଲିସ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଥିଲେ। ଚଢ଼ାଉ ସମୟରେ ୧୫ଟି ବେଆଇନ ଦେଶୀ ମଦ ରନ୍ଧା ସ୍ଥାନ ଠାବ କରାଯାଇଥିଲା। ସେଠାରୁ ପ୍ରାୟ ୮୭୫ କିଲୋଗ୍ରାମ ମହୁଲ ପୋଚ (୩୫ ବସ୍ତା), ୧୦୦ ଲିଟର ପ୍ରସ୍ତୁତ ଦେଶୀ ମଦ, ୨ଟି ଆଲୁମିନିୟମ ବାସନ, ୫ଟି ମାଟି ହାଣ୍ଡି ଏବଂ ମଦ ପ୍ରସ୍ତୁତିରେ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ ଠାବ କରାଯାଇଥିଲା। ଆବଶ୍ୟକ ନମୁନା ସଂଗ୍ରହ ଓ ଆଇନଗତ ପ୍ରକ୍ରିୟା ପରେ ବିପୁଳ ପରିମାଣର ମହୁଲ ପୋଚକୁ ଘଟଣାସ୍ଥଳରେ ନଷ୍ଟ କରାଯାଇଥିଲା। ପୋଲିସକୁ ଦେଖି ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶରେ ଅପମିଶ୍ରିତ ଓ ବିଷାକ୍ତ ହୋଇପାରୁଥିବା ଦେଶୀ ମଦ ପ୍ରସ୍ତୁତ କରାଯାଉଥିବା ଜଣାପଡ଼ିଛି, ଯାହା ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଓ ଜୀବନ ପ୍ରତି ଗୁରୁତର ବିପଦ ସୃଷ୍ଟି କରିପାରେ । ଏହି ଘଟଣାରେ ପାରଳାଖେମୁଣ୍ଡି ଥାନା କେସ୍ ନଂ. 432/2026 dated 25.10.2026 U/s 274/275/112(2) BNS R/w Sec. 52(a)/55 of Odisha Excise Act ଅନୁଯାୟୀ ୧୫ ଜଣ ନାମିତ ଅଭିଯୁକ୍ତ ଓ ଅନ୍ୟ ଅଜଣା ସହଯୋଗୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତମାନଙ୍କୁ ଠାବ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରହିଛି। ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ଦୃଷ୍ଟିରୁ ବେଆଇନ ଓ ଅପମିଶ୍ରିତ ମଦ ପ୍ରସ୍ତୁତି ଏବଂ ବିକ୍ରି ବିରୋଧରେ ଗଜପତି ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ ଆଗକୁ ମଧ୍ୟ ଜାରି ରହିବ।
