ଜିଲ୍ଲାପାଳଙ୍କ ସିନାପାଲି ଗସ୍ତ, ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା
ସିନାପାଲି,୨୩/୧୦(ଧର୍ମେନ୍ଦ୍ର କୁମାର ଗହିର)(ନିପ୍ର)ନୂଆପଡ଼ା ଜିଲ୍ଲାର ସିନାପାଲିରେ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ଅନ୍ୟା ଦାସ। ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ ପରେ ତାଙ୍କର ଏହା ପ୍ରଥମ ସିନାପାଲି ଗସ୍ତ। ଏହି ଗସ୍ତ ସମୟରେ ଷ୍ଟାଡିୟମ ନିର୍ମାଣ, ସ୍ୱାସ୍ଥ୍ୟସେବାର ଉନ୍ନତି ଏବଂ ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ଉପରେ ଗୁରୁତ୍ୱ ଦିଆଯାଇଛି। ସିନାପାଲିରେ ବ୍ଲକସ୍ତରୀୟ ଷ୍ଟାଡିୟମ ନିର୍ମାଣ ଦାବିରେ ସ୍ଥାନୀୟ ଯୁବସମାଜ, କ୍ରୀଡ଼ାପ୍ରେମୀ ଓ ଜୟ ଜଗନ୍ନାଥ ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଉପଯୁକ୍ତ ଜମି ଚିହ୍ନଟ, ଜମିର କିସମ ପରିବର୍ତ୍ତନ ଓ ଆବଶ୍ୟକ ଅନୁମୋଦନ ପ୍ରଦାନ ପାଇଁ ଏଥିରେ ଦାବି କରାଯାଇଛି। ସେହିପରି ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ ସମୟରେ ବ୍ଲକ ଉପାଧ୍ୟକ୍ଷା ମୀନା ଘିଭେଲା ସ୍ୱାସ୍ଥ୍ୟସେବାର ବିଭିନ୍ନ ସମସ୍ୟା ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଆଣିଥିଲେ। ବିଶେଷଜ୍ଞ ଡାକ୍ତରଙ୍କ ଅଭାବ, ଅଲଟ୍ରାସାଉଣ୍ଡ ଓ ଡିଜିଟାଲ୍ ଏକ୍ସ-ରେ ସୁବିଧା ନଥିବା, ଫିଜିଓଥେରାପି ସେବାର ଅଭାବ ଏବଂ ନବନିର୍ମିତ ୩୦ ଶଯ୍ୟାବିଶିଷ୍ଟ ସ୍ୱାସ୍ଥ୍ୟକେନ୍ଦ୍ର କୋଠା ହସ୍ତାନ୍ତରରେ ବିଳମ୍ବ ଭଳି ସମସ୍ୟାର ସମାଧାନ ପାଇଁ ଦାବି ହୋଇଛି। ଏହାପରେ ଜିଲ୍ଲାପାଳ ହାତୀବନ୍ଧା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ମାର୍କେଟ ୟାର୍ଡ ଓ ୧୦୦ ଶଯ୍ୟାବିଶିଷ୍ଟ ଛାତ୍ରାବାସ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟର ଅଗ୍ରଗତି ଓ ଗୁଣବତ୍ତା ଯାଞ୍ଚ କରିଥିଲେ। ପ୍ରକଳ୍ପଗୁଡ଼ିକୁ ଶୀଘ୍ର ସମ୍ପୂର୍ଣ୍ଣ କରି ଲୋକଙ୍କ ବ୍ୟବହାର ପାଇଁ ଉପଲବ୍ଧ କରାଇବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ।ଏହି ଗସ୍ତରେ ସିନାପାଲି ବ୍ଲକର ବିଭିନ୍ନ ଅଧିକାରୀ ଓ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ।
ତେବେ ସିନାପାଲିରେ ଷ୍ଟାଡିୟମ ନିର୍ମାଣ, ଉନ୍ନତ ସ୍ୱାସ୍ଥ୍ୟସେବା ଓ ନିର୍ମାଣାଧୀନ ପ୍ରକଳ୍ପର ତ୍ୱରିତ କାର୍ଯ୍ୟାନ୍ୱୟନ ନେଇ ଜିଲ୍ଲାପାଳଙ୍କ ଏହି ଗସ୍ତ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ନୂଆ ଆଶା ସୃଷ୍ଟି କରିଛି ।
