*ଖଡ଼ିଆଳରେ କବି ସାମୁଏଲ ଦାନୀଙ୍କ ଇଂରାଜୀ କାବ୍ୟଗ୍ରନ୍ଥ “Calligraphy of an Adolescent Night”ର ଭବ୍ୟ ଉନ୍ମୋଚନ।*
ନୂଆପଡ଼ା( ମିଖାଏଲ ନନ୍ଦ)
ତା-୧୮/୧0
ନୂଆପଡା ଜିଲ୍ଲା ଅନ୍ତର୍ଗତ ଖଡ଼ିଆଳ ସ୍ଥିତ ଜାଇକା ରେଷ୍ଟୁରାଣ୍ଟ ପରିସରରେ ସାହିତ୍ୟ ପ୍ରେମୀ ଓ ବିଜ୍ଞ ବୁଦ୍ଧିଜୀବୀମାନଙ୍କ ଗହଣରେ କବି ସାମୁଏଲ ଦାନୀଙ୍କ ନୂତନ ଇଂରାଜୀ କବିତା ପୁସ୍ତକ “Calligraphy of an Adolescent Night” ର ଏକ ଆକର୍ଷଣୀୟ ଓ ଭବ୍ୟ ଉନ୍ମୋଚନ ଉତ୍ସବ ସମ୍ପନ୍ନ ହୋଇଯାଇଛି। ଏହି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ନୂଆପଡ଼ା ଜିଲ୍ଲାର ପ୍ରମୁଖ ସାହିତ୍ୟିକ, ଗବେଷକ, ପ୍ରଶାସକ ଓ ବୁଦ୍ଧିଜୀବୀମାନେ ଯୋଗଦେଇ ନୂତନ ଗ୍ରନ୍ଥର ସାହିତ୍ୟିକ ଗାମ୍ଭୀର୍ଯ୍ୟ ଉପରେ ବିସ୍ତୃତ ଆଲୋକପାତ କରିବା ସହ କବିଙ୍କର ପୂର୍ବପ୍ରକାଶିତ କୃତିଗୁଡ଼ିକର ସମ୍ୟକ୍ ଆଲୋଚନା କରିଥିଲେ।
ଏହି ସାହିତ୍ୟିକ ସମାରୋହରେ ଅବସରପ୍ରାପ୍ତ ଆୟକର କମିଶନର ଶ୍ରୀକାନ୍ତ ଚାଟାର୍ଜୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଆମେରିକାର ସୁନାମଧନ୍ୟ ନେହେରୁ-ଫୁଲବ୍ରାଇଟ ଗବେଷିକା ମେରୀ ଗିରାର୍ଡ ଫିରାବେଣ୍ଡ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ବିଶିଷ୍ଟ ଗବେଷକ ଡକ୍ଟର ଫଣିନ୍ଦମ୍ ଦେଓ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ଏବଂ ପ୍ରାଧ୍ୟାପକ ଲୋହିତାକ୍ଷ ଯୋଷୀ ମୁଖ୍ୟ ସମୀକ୍ଷକ ଭାବେ ଯୋଗଦେଇ ପୁସ୍ତକର କାବ୍ୟିକ ଶୈଳୀ ଓ ନାନ୍ଦନିକ ଦିଗ ସମ୍ପର୍କରେ ଗଭୀର ବିଶ୍ଲେଷଣ କରିଥିଲେ।
ଆଲୋଚନା ପ୍ରସଙ୍ଗରେ ଅତିଥିମାନେ ମତ ପ୍ରକାଶ କରିଥିଲେ ଯେ, ଏହି କାବ୍ୟଗ୍ରନ୍ଥଟି ବିଶେଷ ଭାବରେ ସର୍ବହରାର ପ୍ରେମ ଓ ଏକ ଭିନ୍ନ ସ୍ୱାଦର ପ୍ରେମ ସମ୍ପର୍କରେ ରଚିତ ହୋଇଛି। କବି ସାମୁଏଲ ଦାନୀ ନିଜର ଶାଣିତ ଶବ୍ଦ ସଂଯୋଜନା ଦ୍ୱାରା ନବକୈଶୋରୀୟ ଅନୁଭୂତି, ଚେତନା ଏବଂ ସର୍ବହରାର ପ୍ରେମ ଭାବନାକୁ ଅତ୍ୟନ୍ତ ସୁନ୍ଦର ଓ ଅନନ୍ୟ ଦୃଷ୍ଟିକୋଣରୁ ରୂପାୟିତ କରିପାରିଛନ୍ତି।
ଏହି ଉନ୍ମୋଚନୀ ସନ୍ଧ୍ୟାରେ ଡକ୍ଟର ସୁଶାନ୍ତ ବିଶି, ଶଶୀ ଭୂଷଣ ଖମାରୀ, ଶ୍ରୀମତୀ ସବିତା ଚାଟାର୍ଜୀ, ଶ୍ରୀମତୀ ନିଳୀମା ରାଣୀ ସାଗର, ଶ୍ରୀମତୀ ରାଜଶ୍ରୀ ଦଣ୍ଡସେନା, ଶ୍ରୀ ଅଶ୍ୱିନୀ ପାଢ଼ୀ, ଶ୍ରୀ ଶଙ୍କର ମେହେର, ଡକ୍ଟର ପଦ୍ମଲୋଚନ ବର୍ମା, ମନ୍ତୁ ଠାକୁର, ଡକ୍ଟର ମଧୁଲିକା ପାଲ, ଇଞ୍ଜିନିୟର ଅଭିଜିତ୍ ପାଲ, ବୁଲୁ ନନ୍ଦଙ୍କ ସମେତ ଅଞ୍ଚଳର ବହୁ ବିଦଗ୍ଧ କବି, ଲେଖକ ଓ ସାହିତ୍ୟପ୍ରେମୀ ଯୋଗଦେଇଥିଲେ।
କାର୍ଯ୍ୟକ୍ରମର ଆରମ୍ଭରେ ଅଧ୍ୟାପକ ସିତୁ ପଣ୍ଡା ସ୍ୱାଗତ ଭାଷଣ ଦେଇଥିବା ବେଳେ ଶ୍ରୀ ଶଙ୍କର ମେହେର ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ସମଗ୍ର କାର୍ଯ୍ୟକ୍ରମଟି ଅତ୍ୟନ୍ତ ଉତ୍ସାହଜନକ ଓ ସାହିତ୍ୟମୟ ପରିବେଶ ମଧ୍ୟରେ ସଫଳତାର ସହ ଶେଷ ହୋଇଥିଲା।
