ବହୁ ବର୍ଷ ପରେ ନିର୍ବାଚନ, ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଏବିଭିପିର ବାଜିମାତ୍
ବାଲିଗୁଡ଼ା, (ନି.ପ୍ର )୧୫/୧୦: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ୨୦୨୬-୨୭ ଶିକ୍ଷାବର୍ଷର ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ସମର୍ଥିତ ପ୍ରାର୍ଥୀମାନେ ବୃହତ୍ ବିଜୟ ହାସଲ କରିଛନ୍ତି। ଦୀର୍ଘ ବର୍ଷ ପରେ ମହାବିଦ୍ୟାଳୟରେ ଛାତ୍ର ନିର୍ବାଚନ ହୋଇଥିବାରୁ ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖାଦେଇଛି।
ମହାବିଦ୍ୟାଳୟ ପକ୍ଷରୁ ଅକ୍ଟୋବର ୧୫ ତାରିଖରେ ପ୍ରକାଶିତ ଅଧିକାରିକ ବିଜ୍ଞପ୍ତି ଅନୁଯାୟୀ, ଛାତ୍ର ସଂସଦ ଓ ଛାତ୍ର ସଂଘ ନିର୍ବାଚନରେ ବିଭିନ୍ନ ପଦବୀ ପାଇଁ ମୋଟ ୮ ଜଣ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି।
ନିର୍ବାଚିତ ପ୍ରାର୍ଥୀଙ୍କ ମଧ୍ୟରେ ସଭାପତି ଭାବେ ଶ୍ରୀଧର ସିଓ , ଉପସଭାପତି ଭାବେ ଅବିନାଶ ମାସିହା ଦିଗାଲ, ସାଧାରଣ ସମ୍ପାଦକ ଭାବେ ଅଭୟ ପଟମାଝୀ ଏବଂ ଯୁଗ୍ମ ସମ୍ପାଦକ ଭାବେ ଅଂଶୁମାନ ବେହେରା ନିର୍ବାଚିତ ହୋଇଛନ୍ତି। ସେହିପରି ଆଥଲେଟିକ୍ କ୍ଲବ୍ ସମ୍ପାଦକ ଭାବେ ଇଶାକ ନାୟକ, ସହକାରୀ ଆଥଲେଟିକ୍ କ୍ଲବ୍ ସମ୍ପାଦକ ଭାବେ ସୌମ୍ୟ ରଞ୍ଜନ ମଲ୍ଲିକ, ଡିଏସ୍ଏ ସମ୍ପାଦକ ଭାବେ ଏତି ନାୟକ ଏବଂ ସହକାରୀ ଡିଏସ୍ଏ ସମ୍ପାଦକ ଭାବେ ବିଜୟ କହଁର ନିର୍ବାଚିତ ହୋଇଛନ୍ତି। ଏହି ବିଜୟ ପରେ ଏବିଭିପି ସମର୍ଥକଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଛି। ନବନିର୍ବାଚିତ ଛାତ୍ର ପ୍ରତିନିଧିମାନେ ମହାବିଦ୍ୟାଳୟର ଶିକ୍ଷାଗତ ପରିବେଶର ଉନ୍ନତି ଛାତ୍ରଛାତ୍ରୀ ଙ୍କ ସମସ୍ୟାର ସମାଧାନ ଓ ଛାତ୍ର ସ୍ୱାର୍ଥର ଦିଗରେ କିପରି କାର୍ଯ୍ୟ କରିବେ, ତାହା ଏବେ ସମସ୍ତଙ୍କ ନଜର ରେ ରହିଛି।
