ପେଣ୍ଡରାବନ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ସମୀକ୍ଷା କଲେ ଜିଲ୍ଲାପାଳ
*ଜଳସେଚନ ସୁବିଧାର ସମ୍ପ୍ରସାରଣ ପାଇଁ ନୂତନ ଭୂତଳ ପାଇପ୍ଲାଇନ୍ ପ୍ରକଳ୍ପ ଉପରେ ଗୁରୁତ୍ୱ*।
ନୂଆପଡ଼ା(ମିଖାଏଲ ନନ୍ଦ)
ତା. ୧୫/୧୦:
ନୂଆପଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀମତୀ ଅନ୍ୟା ଦାସ ଆଜି କୋମନା ବ୍ଲକ ଅନ୍ତର୍ଗତ ପେଣ୍ଡରାବନ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ (MIP) ପରିଦର୍ଶନ କରି ଏହାର ସ୍ଥିତି ଓ ଜଳସେଚନ କ୍ଷମତା ସମୀକ୍ଷା କରିଛନ୍ତି।
ଜିଲ୍ଲାପାଳ ପ୍ରକଳ୍ପର ଜଳ ଉତ୍ସ, ଜଳଧାରଣ କ୍ଷମତା ଓ କେନାଲ ବ୍ୟବସ୍ଥା ସମ୍ପର୍କରେ କ୍ଷୁଦ୍ର ଜଳସେଚନ ବିଭାଗର ଅଧିକାରୀମାନଙ୍କ ସହ ଆଲୋଚନା କରିବା ସହ ଏହାର ଜଳସେଚନ ସମ୍ଭାବନା ଓ ଉପଯୋଗିତା ସମ୍ପର୍କରେ ସମୀକ୍ଷା କରିଥିଲେ।
ପେଣ୍ଡରାବନ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଜଳଗ୍ରହଣ କ୍ଷେତ୍ରଫଳ ୪୧.୪୪ ବର୍ଗ କିଲୋମିଟର ହୋଇଥିବାବେଳେ ଏହାର ଜଳଧାରଣ କ୍ଷମତା ୪.୪୬୯ ନିୟୁତ ଘନମିଟର। ପ୍ରକଳ୍ପର ବନ୍ଧର ଦୈର୍ଘ୍ୟ ୪୪୪ ମିଟର ଏବଂ କେନାଲ ବ୍ୟବସ୍ଥାର ମୋଟ ଦୈର୍ଘ୍ୟ ୧୮ କିଲୋମିଟର। ଏହି ପ୍ରକଳ୍ପ ମାଧ୍ୟମରେ ଅଞ୍ଚଳର ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇଦେବାର ସମ୍ଭାବନା ରହିଛି।
ଏଥିସହ ଜିଲ୍ଲାର ବିଭିନ୍ନ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ବର୍ତ୍ତମାନର ସ୍ଥିତି, ଜଳସେଚନ କ୍ଷମତା ଏବଂ ଭବିଷ୍ୟତରେ ସେଗୁଡ଼ିକର ଉନ୍ନତୀକରଣ ଓ ସମ୍ପ୍ରସାରଣ ପାଇଁ ପ୍ରସ୍ତାବିତ ଯୋଜନା ସମ୍ପର୍କରେ ମଧ୍ୟ ଜ଼ିଲ୍ଲାପାଳ ଆଲୋଚନା କରିଥିଲେ।
ଜିଲ୍ଲାରେ ଉପଲବ୍ଧ ଜଳସମ୍ପଦର ସର୍ବୋତ୍ତମ ଉପଯୋଗ ଏବଂ ଜଳସେଚନ ସୁବିଧାର ସମ୍ପ୍ରସାରଣ ଉପରେ ଗୁରୁତ୍ୱାରୋପ କରି ଜିଲ୍ଲାପାଳ ନୂତନ ଭୂତଳ ପାଇପ୍ଲାଇନ୍ (UGPL) ଜଳସେଚନ ପ୍ରକଳ୍ପ ହାତକୁ ନେବା ପାଇଁ ପରାମର୍ଶ ଦେଇଥିଲେ। ଏହାଦ୍ୱାରା ଜଳର ଅପଚୟ ହ୍ରାସ ପାଇବା ସହ ଜଳସେଚନର ଦକ୍ଷତା ବୃଦ୍ଧି ହେବ ଏବଂ ଅଧିକ ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇଦେବା ସମ୍ଭବ ହୋଇପାରିବ। ଏହି ପଦକ୍ଷେପ ଜିଲ୍ଲାର କୃଷକମାନଙ୍କ ପାଇଁ ଲାଭଦାୟକ ହେବ ବୋଲି ଆଶା କରାଯାଉଛି।
ଏହି ପରିଦର୍ଶନ ସମୟରେ କ୍ଷୁଦ୍ର ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଚନ୍ଦ୍ରଶେଖର ସେଠୀଙ୍କ ସମେତ ବିଭାଗର ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।
