ଦାମୋଦର ସଂସ୍କୃତ ଡିଗ୍ରୀ ମହାବିଦ୍ୟାଳୟରେ ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କ ଶପଥ ପାଠ ସମାରୋହ
ଭଦ୍ରକ, ୧୬ ଅକ୍ଟୋବର ୨୦୨୬: ଭଦ୍ରକ ପୁରୁଣାବଜାରସ୍ଥିତ ଦାମୋଦର ସଂସ୍କୃତ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ନବନିର୍ବାଚିତ ଛାତ୍ର ପ୍ରତିନିଧିମାନଙ୍କ ଶପଥ ପାଠ ସମାରୋହ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ନିତ୍ୟାନନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ ସଭାରେ ଉଦ୍ଘାଟକ ଭାବେ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡକ୍ଟର ପ୍ରମୋଦ କୁମାର ନାୟକ, ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ଡକ୍ଟର କୃପାସିନ୍ଧୁ ନାୟକ, ମୁଖ୍ୟବକ୍ତା ଭାବେ ଗଦାଧର ନାୟକ ଏବଂ ସମ୍ମାନିତ ଅତିଥି ଭାବେ ଅକ୍ଷୟ କୁମାର ପାଣିଗ୍ରାହୀ ଯୋଗଦେଇଥିଲେ।
ଅତିଥିମାନେ ନିଜ ବକ୍ତବ୍ୟରେ କହିଥିଲେ ଯେ ଛାତ୍ରଛାତ୍ରୀମାନେ ସୁସଂଗଠିତ ଓ ଶୃଙ୍ଖଳିତ ଜୀବନଯାପନ କରିବା ସହ ନିଜ କର୍ତ୍ତବ୍ୟ ପ୍ରତି ସଚେତନ ରହିଲେ ସମାଜରେ ସୁଧାର ଆଣିପାରିବେ। ଏଥିସହିତ ମହାବିଦ୍ୟାଳୟର ଗୌରବ ବୃଦ୍ଧି ଓ ଶୈକ୍ଷିକ ପରିବେଶର ଉନ୍ନତି ପାଇଁ ଛାତ୍ର ପ୍ରତିନିଧିମାନେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ସେମାନେ ପରାମର୍ଶ ଦେଇଥିଲେ।
ଏହି ଅବସରରେ ନବନିର୍ବାଚିତ ଛାତ୍ର ସଂସଦର ସଭାପତି ସୌରଭ ଦାସ, ଉପସଭାପତି ଜ୍ୟୋତିରଞ୍ଜନ ରାଉତ, ସାଧାରଣ ସମ୍ପାଦକ ମାନସ କୁମାର ବାରିକ, ସହସମ୍ପାଦକ ଅଜିତ ପୋତି, ସାଂସ୍କୃତିକ ସମ୍ପାଦିକା ଅସୀମା ପଣ୍ଡା ଏବଂ କ୍ରୀଡ଼ା ସମ୍ପାଦକ ରାମା ହାଁସଦାଙ୍କୁ ବିଧିବଦ୍ଧ ଭାବେ ସଂସ୍କୃତ ଭାଷାରେ ଶପଥ ପାଠ କରାଯାଇଥିଲା।
ମହାବିଦ୍ୟାଳୟର ନୋଡାଲ ଅଫିସର ପ୍ରବତୀ ନାୟକ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସଂଯୋଜିକା ସ୍ୱର୍ଣ୍ଣଲତା ପାକଳ ଧନ୍ୟବାଦ ଅର୍ପଣ କରିଥିଲେ।
ପରିଶେଷରେ ସର୍ବଶ୍ରୀ ରଘୁନାଥ ନାୟକ, ଗୌରାଙ୍ଗ ଦାଶ ଓ ଆଶୁତୋଷ ସିଂହ ସଭା ପରିଚାଳନାରେ ସହଯୋଗ କରିଥିଲେ। ଏହି ସମାରୋହ ମାଧ୍ୟମରେ ନବନିର୍ବାଚିତ ଛାତ୍ର ପ୍ରତିନିଧିମାନେ ନିଜ ନିଜ ଦାୟିତ୍ୱ ନିଷ୍ଠାର ସହ ନିର୍ବାହ କରିବା ନିମନ୍ତେ ସଂକଳ୍ପବଦ୍ଧ ହୋଇଥିଲେ।ଭଦ୍ରକ ରୁ ଜିଲ୍ଲା ପ୍ରତିନିଧି ସୀତାକାନ୍ତ ବିଶ୍ବାଳ ଙ୍କ ରିପୋର୍ଟ।
