ଡୁମାକୁମ୍ପା କ୍ଲଷ୍ଟରରେ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ।
ଭଞ୍ଜନଗର -୧୦/୧୦ (ପ୍ରଫୁଲ୍ଲ କୁମାର ମହାରଣା ) ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଡୁମାକୁମ୍ପା କ୍ଲଷ୍ଟରର ଡୁମାକୁମ୍ପା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶିଶୁ ମହୋତ୍ସବ ‘ସୁରଭି’ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ବ୍ଲକ୍ ଏ.ବି.ଇ.ଓ ସୁବାସିନୀ ତ୍ରିପାଠୀ ଓ ଗଜେନ୍ଦ୍ର ସେଠୀ ଙ୍କ ସମେତ ପ୍ରଧାନଶିକ୍ଷକ ସଚ୍ଚିଦାନନ୍ଦ ପ୍ରଧାନ ଏବଂ ସି.ଆର.ସି.ସି ସୁଲଗ୍ନା ସ୍ୱାର ଅତିଥି ଭାବେ ଯୋଗଦେଇଥିଲେ। ଛାତ୍ରଛାତ୍ରୀମାନଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶ ଓ ସୃଜନଶୀଳତାର ପରିପ୍ରକାଶ ନିମନ୍ତେ ବିତର୍କ, ପ୍ରବନ୍ଧ ଲିଖନ, ସଙ୍ଗୀତ, କୁଇଜ୍, ସୁନ୍ଦର ହସ୍ତାକ୍ଷର ଲିଖନ, ଚିତ୍ରାଙ୍କନ, ବକ୍ତୃତା , ଗଣିତ ଦୌଡ଼, ମଧ୍ୟାହ୍ନ ଭୋଜନ ଶିଳ୍ପ କଳା ସମେତ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ବିଜୟୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ସହ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଅନୁଷ୍ଠିତ ସାଂସ୍କୃତିକ ଦଳଗତ ନୃତ୍ଯ ପ୍ରତିଯୋଗିତାର ବିଚାରକ ଭାବେ ମୁଜାଗଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ତ୍ରିନାଥ ବେହେରା ଅନ୍ୟତମ ଓଡ଼ିଆ ଅଧ୍ୟାପକ ବାବୁଲାଲ ଗୌଡ଼ ଏବଂ ବଡ଼କୋଦଣ୍ଡା ଗ୍ରାମର ଯୁବ ନାଟ୍ୟ ନିର୍ଦ୍ଦେଶକ ଚିରଞ୍ଜୀବୀ ସାହୁ ଦାୟିତ୍ୱ ତୁଲାଇଥିଲେ। ଅନୁଷ୍ଠିତ ଏହି ସାଂସ୍କୃତିକ ଦଳଗତ ନୃତ୍ଯ ପରିବେଷଣରେ ଇନ୍ଦାଗଡ଼ (ଡହ) ୟୁ.ଜି.ଏଚ୍.ଏସ୍ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଖମାରେଡ଼ି ୟୁ.ପି.ଏସ୍ ଦ୍ୱିତୀୟ ଏବଂ ଗୁରାବାଡ଼ି ପି.ୟୁ.ପି.ଏସ୍ ତୃତୀୟ ସ୍ଥାନ ହାସଲ କରିଥିଲେ। ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ଶାସମଲ, ରମେଶ ଚନ୍ଦ୍ର ବେହେରା, ସୁଦାମ ଦଳବରା, କାଳୀଚରଣ ନାୟକ, ଦାଶରଥି ବିଷୋୟୀ, ମହେଶ୍ୱର ବିଶ୍ୱାଳ, ପ୍ରଦୀପ ଗୌଡ଼, ଗୌରଚନ୍ଦ୍ର ପଣ୍ଡା, ମଦନ ମୋହନ ନାୟକ, ବିଶ୍ୱଜିତ ସ୍ୱାଇଁ, ତ୍ରିନାଥ ପ୍ରଧାନ, ଶିକ୍ଷୟତ୍ରୀ ପି. ଶିଲା ଚାର୍ଲିସ୍, ସାଗରିକା ସାହୁ, ମମତା ସାହୁ, ସୁବାସିନୀ ବେହେରା, ଲିଜା ଗୌଡ଼, ଲିଜାଲିନ ଗୌଡ଼ଙ୍କ ପ୍ରମୁଖଙ୍କ ସମେତ ଏହି ମହୋତ୍ସବର ସୁଚାରୁ ଆୟୋଜନ ଓ ସଫଳ ପରିଚାଳନାରେ ଡୁମାକୁମ୍ପା କ୍ଲଷ୍ଟରର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।ଶେଷରେ ସି.ଆର.ସି.ସି ସୁଲଗ୍ନା ସ୍ୱାର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଶିଶୁ ମହୋତ୍ସବ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ, ଆତ୍ମବିଶ୍ୱାସ ବୃଦ୍ଧି ଏବଂ ସୁସ୍ଥ ପ୍ରତିଯୋଗିତାମୂଳକ ମନୋଭାବ ସୃଷ୍ଟି କରିବାରେ ସହାୟକ ହୋଇଥିଲା। ପ୍ରକାଶ ଥାଉକି ପ୍ରତ୍ୟେକ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନେ ବ୍ଲକସ୍ତରୀୟ ‘ସୁରଭି’ ମହୋତ୍ସବରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ ।
