*ସିନାପାଲି ବିଇଓ ଅଫିସରେ ଛାତ୍ରଛାତ୍ରୀ ବସି ପଢିଲେ ପାଠ କାପସି ସ୍କୁଲ ଖୋଲିବାକୁ ଜୋରଦାର ଦାବି*
ନୂଆପଡା(ମିଖାଏଲ ନନ୍ଦ)
ତା-୧୦/୧୦
ନୂଆପଡ଼ା ଜିଲ୍ଲା ସିନାପାଳ ବ୍ଲକ ସଦର ପଞ୍ଚାୟତ କାପସି ଏଟେଣ୍ଡ ସ୍କୁଲ ଖୋଲିବା ଦାବିରେ ସ୍କୁଲର ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀମାନେ ଏକ ନିଆରା ପ୍ରତିବାଦ କରିଛନ୍ତି। ବିଦ୍ୟାଳୟ ବନ୍ଦ ରହିଥିବାରୁ ଛାତ୍ରଛାତ୍ରୀମାନେ ବାଧ୍ୟ ହୋଇ ସିନାପାଲି ବିଇଓ କାର୍ଯ୍ୟାଳୟରେ ବସି ପାଠ ପଢ଼ି ଏହାର ପ୍ରତିବାଦ ଜଣାଇଛନ୍ତି।
ଆଜିକୁ ୪୦ ବର୍ଷରୁ ଅଧିକ ସମୟ ଧରି ଏହି ବିଦ୍ୟାଳୟ ଚାଲିଆସୁଥିବା ବେଳେ ପ୍ରଶାସନର ମନମୁଖୀ ନୀତି ଯୋଗୁଁ ଏହା ବନ୍ଦ ହୋଇଯାଇଛି ବୋଲି ଅଭିଯୋଗ ହୋଇଛି।
ସ୍କୁଲ ବନ୍ଦ ହେବା କାରଣରୁ ଛାତ୍ରଛାତ୍ରୀ ଙ୍କୁ ଅଧ କିଲୋମିଟରରୁ ଅଧିକ ଦୂରକୁ ପାଠ ପଢ଼ିବାକୁ ଯିବାକୁ ପଡ଼ୁଛି ଏବଂ ଯିବାଆସିବା ବେଳେ ବାଟରେ ମଦ କୋଠି ମଧ୍ୟ ପଡୁଛି।
ସରକାରଙ୍କ ପକ୍ଷରୁ ଅନ୍ୟ ଏକ ସରକାରୀ ବିଦ୍ୟାଳୟରେ ନାମଲେଖାଇବାକୁ କୁହାଯାଉଥିଲେ ମଧ୍ୟ ସେଠାକୁ ଯିବା ପାଇଁ ରାସ୍ତାରେ ନାଳ ଓ ବ୍ରିଜ୍ ପାର ହେବାକୁ ପଡ଼ୁଥିବାରୁ ପିଲାମାନଙ୍କ ପାଇଁ ବହୁ କଷ୍ଟକର ହେଉଛି।
ଏନେଇ ଗ୍ରାମବାସୀମାନେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ। ଯଦି ଶୀଘ୍ର ଏହାର ସମଧାନ ନ ହୁଏ, ତେବେ ଆଗକୁ ବଡ଼ଧରଣର ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଦ୍ୱାରା ଚେତାବନୀ ଦିଆଯାଇଛି।
ଏହି ପ୍ରତିବାଦ ସମୟରେ ଅଞ୍ଚଳର ବହୁ ଗ୍ରାମବାସୀ ଓ ସ୍ଥାନୀୟ ଲୋକେ ଉପସ୍ଥିତ ରହି ସ୍କୁଲ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ଦାବି କରିଛନ୍ତି।
