ସୋର ତହସିଲର ବଡ଼ କାର୍ଯ୍ୟନୁଷ୍ଠାନ: ଅତର୍କିତ ଚଢ଼ାଉରେ ଦୁଇଟି ବେଆଇନ ବାଲି ବୋଝେଇ ଟ୍ରକ ଜବତ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ପ୍ରଶାସନିକ କଡ଼ା କାର୍ଯ୍ୟାନୁଷ୍ଠାନ ଫଳରେ ସୋର ଅଞ୍ଚଳରେ ବେଆଇନ ବାଲି ଚାଲାଣକାରୀଙ୍କ ମଧ୍ୟରେ କମ୍ପନ ସୃଷ୍ଟି ହୋଇଛି। ଆଜି ସୋର ତହସିଲ ପକ୍ଷରୁ ମାଟିଆ ପଲା ଛକ ନିକଟରେ କରାଯାଇଥିବା ଏକ ଅତର୍କିତ ଚଢ଼ାଉରେ ଦୁଇଟି ବେଆଇନ ବାଲି ବୋଝେଇ ଟ୍ରକ ଜବତ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ଆନନ୍ଦପୁର ପଟୁ ସୋର ଅଭିମୁଖେ ବିନା କୌଣସି ବୈଧ କାଗଜପତ୍ର କିମ୍ବା ଅନୁମତିରେ ବାଲି ବୋଝେଇ ହୋଇ ଗାଡ଼ିଗୁଡ଼ିକ ଯାଉଥିବା ନେଇ ସୋର ତହସିଲଦାର କୃଷ୍ଣ ମୋହନ ସିଂହଙ୍କୁ କୌଣସି ବିଶେଷ ସୂତ୍ରରୁ ଗୁପ୍ତ ସୂଚନା ମିଳିଥିଲା। ଏହି ଖବର ପାଇବା ପରେ ତହସିଲଦାର ନିଜେ ଏକ ଟିମ୍ ସହ ତତ୍ପରତା ପ୍ରକାଶ କରି ମାଟିଆପଲା ଛକ ନିକଟରେ ଓପନ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ତହସିଲଦାର ଦୁଇଟି ସନ୍ଦେହଜନକ ଟ୍ରକକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚରୁ ଗାଡ଼ି ଦୁଇଟିରେ ବେଆଇନ ଭାବରେ ବାଲି ଚାଲାଣ କରାଯାଉଥିବା ସ୍ପଷ୍ଟ ହୋଇଥିଲା। ଜବତ ହୋଇଥିବା ଟ୍ରକ ଦୁଇଟିର ନମ୍ବର ହେଉଛି— ଓଡି ୦୧ ଏ ଡବ୍ଲୁ ୮୬୧୯ ଏବଂ ଓଡି ୨୨ ଏ ସି ୯୯୧୫।ପରେ ପ୍ରଶାସନ ପକ୍ଷରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଉଭୟ ଜବତ ଟ୍ରକକୁ ସୋର ପୋଲିସ ଜିମା ଦାରୀରେ ହସ୍ତାନ୍ତର କରାଯାଇଛି। ସୋର ପ୍ରଶାସନର ଏଭଳି କଠୋର ପଦକ୍ଷେପକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଥିବା ବେଳେ ବେଆଇନ ବାଲି ମାଫିଆମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଆଗାମୀ ଦିନରେ ଏଭଳି ଚଢ଼ାଉ ଆହୁରି ଜୋରଦାର କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
