ସରସ ସୁନ୍ଦର ଘଟଗାଁ ଗଠନକୁ ନେଇ ଆଲୋଚନା ଚକ୍ର
ଘଟଗାଁର ଅଂଚଳର କେତେଜଣ ସଚେତନ ନାଗରିକଙ୍କ ଆବାହକତ୍ୱରେ ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଘଟଗାଁ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅବସରପ୍ରାପ୍ତ ବିଶିଷ୍ଟ ଶିକ୍ଷାବିତ ବଟକୃଷ୍ଣ ନାଥଙ୍କ ଅଧ୍ୟକ୍ଷତାରେ ଘଟଗାଁ ବ୍ଲକର ଶତାଧିକ ବୁଦ୍ଧିଜୀବି ମାନଙ୍କୁ ନେଇ “ଘଟଗାଁରେ ସାମାଜିକ ସଂସ୍କାରର ଆବଶ୍ୟକତା “ଶୀର୍ଷକକୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି ! ଏଥିରେ ମୁଖ୍ୟ ଅତିଥି ଭାବେ ଘଟଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଖଗେଶ୍ୱର ବରାଳ, ସମ୍ମାନିତ ଅତିଥି ରୂପେ ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ଜେନା ଓ ଭାଗିରଥି ପୃଷ୍ଟି ଏବଂ ସମ୍ମାନିତ ବକ୍ତା ରୂପେ ଅବସରପ୍ରାପ୍ତ ବ୍ୟାଙ୍କ ଅଫିସର କୁଳମଣି ମଣ୍ଡଳ ଯୋଗ ଦେଇଥିଲେ !
ଆଲୋଚନା ଚକ୍ରରେ ମୁଖ୍ୟତଃ ମାତାରିଣୀ ପୀଠ ଘଟଗାଁ ଯେଉଁ ଆଧ୍ୟାତ୍ମିକତା ଓ ଧାର୍ମିକତାକୁ ନେଇ ସାରା ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରସିଦ୍ଧି ଲାଭ କରିଛି ତାର ପାରିପାର୍ଶିକ ସାତ୍ତ୍ଵିକ ପରିବେଶର ସ୍ଥିତାବସ୍ଥାକୁ କିପରି ଆହୁରି ଅଧିକ ସରସ ସୁନ୍ଦର କରି ଗଢି ତୋଳାଯିବ ସେ ସମର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା ! ବିଶେଷ କରି ସ୍ଥାନୀୟ ନିସ୍ଵାର୍ଥପର ଜନସାଧାରଣଙ୍କ ମାଧ୍ୟମରେ ପ୍ରଶାସନର ସହଯୋଗ ନେଇ ପୀଠର ସ୍ୱଚ୍ଛତା ରକ୍ଷା, ଶିକ୍ଷାରେ ନୈତିକତା ଓ ବୌଦ୍ଧିକତାର ଗୁରତ୍ୱ, ଅସାମାଜିକ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଯେପରି ତାରିଣୀ ତୀର୍ଥ ଯାତ୍ରୀ କୌଣସି ହଟହଟା କିମ୍ବା ଶୋଷଣର ଶିକାର ନହୁଅନ୍ତି ସେଥିପ୍ରତି ସାବଧାନତା ଅବଲମ୍ବନ ଓ ସ୍ଥାନୀୟ ସଂସ୍କୃତିର ବ୍ୟାପକ ପ୍ରଚାର ପ୍ରସାର,ମାତାରିଣୀ ପାଠାଗାର, ମାତାରିଣୀ ଗବେଷଣା କେନ୍ଦ୍ର ପୁନର୍ଗଠନ,ଟ୍ରାଫିକ ସମସ୍ୟା ଦୂରୀକରଣ, ବାଇପାସରୁ କଲେଜ ଛକ ପର୍ଯ୍ୟନ୍ତ ବିଦ୍ୟୁତ କରଣ ଏବଂ ମନ୍ଦିର ସମ୍ମୁଖରେ ପୀଢ଼ି ପରେ ପୀଢ଼ି ଭିକ୍ଷାବୃତ୍ତି କରି ଚଳୁଥିବା ମହ୍ଲାର ଜାତିର ଲୋକ ମାନଙ୍କୁ ଥଇଥାନ କରିବା ! ଏଥିସହ ପବିତ୍ର କ୍ଷେତ୍ରକୁ ନିଶା ମୁକ୍ତ ଓ ମନ୍ଦିରର ନିର୍ଦ୍ଧିଷ୍ଟ ଦୂରତା ପର୍ଯ୍ୟନ୍ତ ମାଛ ଦୋକାନ, ମାଂସ ଦୋକାନକୁ ଉଛେଦ କରିବା ! ଯଥା ଶୀଘ୍ର ଏ ସହରକୁ କିପରି ଏନ, ଏ, ସିର ମାନ୍ୟତା ମିଳିବ ଓ ଘଟଗାଁର ସ୍ୱାଭିମାନ “ନଡ଼ିଆ କୋରା “ଉନ୍ନତ ମାନର କରାଯାଇ ଜି, ଆଇ ତ୍ୟାଗ ଲାଭ ହେବ ସେଥିପ୍ରତି ଧ୍ୟାନ ଦିଆଯିବା ନେଇ ଆଲୋଚନା ଚକ୍ରରେ ଉପସ୍ଥିତ ଅଧିକାଂଶ ବୁଦ୍ଧିଜୀବି ନିଜସ୍ୱ ମନ୍ତବ୍ୟ ପ୍ରଦାନ କରିଥିଲେ ! ମଞ୍ଚ ସଂଚାଳନ କରିଥିଲେ ଅବସରପ୍ରାପ୍ତ ଶିକ୍ଷାବିତ ପରମେଶ୍ୱର ବେହେରା ! ସଦାଶିବ ସାହୁ, ଦୟାନିଧି ମହାନ୍ତ, ରଶ୍ମି ରଞ୍ଜନ ରାଉତ, ଯତୀନ୍ଦ୍ର ବେଜ, ସଂଜୀବ ସାହୁ, ପୂର୍ଣ୍ଣଚନ୍ଦ୍ର ରାଉତ ଓ ସନାତନ ସାହୁ ଓ ଅନ୍ୟ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ !
