ଦୀର୍ଘ ବର୍ଷ ଧରି ଟିଣ ଘରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀପୁରୁଣା ଓ ଜରାଜୀର୍ଣ୍ଣ ଶ୍ରେଣୀଗୃହରେ ଚାଲିଛି ପାଠପଢ଼ା, ନୂଆ କୋଠା ନିର୍ମାଣକୁ ଅପେକ୍ଷା।
ବାଲିଗୁଡ଼ା: (ନ.ପ୍ର )୨/୧୦/୨୦୨୬:
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ଦୀର୍ଘ ବର୍ଷ ଧରି ଏକ ପୁରୁଣା ଟିଣ ଘରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଚାଲିଥିବା ଅଭିଯୋଗ ହୋଇଛି। ବର୍ଷ ପରେ ବର୍ଷ ବିତିଯାଇଥିଲେ ମଧ୍ୟ ସ୍କୁଲ ପାଇଁ ଏକ ନୂତନ ଓ ସୁରକ୍ଷିତ ଶ୍ରେଣୀଗୃହ ନିର୍ମାଣ ହୋଇନଥିବାରୁ ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ଗ୍ରାମବାସୀଙ୍କ କହିବା ଅନୁଯାୟୀ, ସ୍କୁଲର ଏହି ପୁରୁଣା କୋଠାଟି ୧୯୮୮-୮୯ ମସିହାରେ ନିର୍ମାଣ ହୋଇଥିଲା। ଦୀର୍ଘ ସମୟ ଧରି ବ୍ୟବହାର ହେବା ଯୋଗୁଁ ଏହାର ଅବସ୍ଥା ଏବେ ଜରାଜୀର୍ଣ୍ଣ ହୋଇପଡ଼ିଛି। ତଥାପି ବାଧ୍ୟ ହୋଇ ଏହି ପୁରୁଣା ଟିଣ ଘରେ ଛାତ୍ରଛାତ୍ରୀ ପାଠ ପଢୁଥିବା ଦେଖିବାକୁ ମିଳୁଛି।
ବିଶେଷକରି ବର୍ଷା ଦିନରେ ଟିଣ ଛାତ ଯୋଗୁଁ ଶ୍ରେଣୀଗୃହରେ ପାଣି ପଡ଼ିବା, ଶବ୍ଦ ଓ ଅନ୍ୟାନ୍ୟ ସମସ୍ୟା ଯୋଗୁଁ ପାଠପଢ଼ା ବାଧାପ୍ରାପ୍ତ ହେବାର ଆଶଙ୍କା ରହୁଛି। ଏଥିସହ ପୁରୁଣା କୋଠାର ସ୍ଥିତିକୁ ନେଇ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ମଧ୍ୟ ଅଭିଭାବକମାନେ ଚିନ୍ତା ପ୍ରକାଶ କରିଛନ୍ତି।
ଶିକ୍ଷାର ମାନ ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ଭିତ୍ତିଭୂମିର ଉନ୍ନତି ଅତ୍ୟନ୍ତ ଆବଶ୍ୟକ। ଦୀର୍ଘ ବର୍ଷ ଧରି ଟିଣ ଘରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ପୁରୁଣା ଘର ସ୍ଥାନରେ ଶୀଘ୍ର ଏକ ନୂତନ, ସୁରକ୍ଷିତ ଓ ଆଧୁନିକ ଶ୍ରେଣୀ ଗୃହ ନିର୍ମାଣ କରାଯାଉ ବୋଲି ଅଭିଭାବକ ଓ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଦାବି ରଖିଛନ୍ତି।
