ବିଜୁ ଜନତା ଦଳ ତରଫରୁ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ମାଲକାନଗିରି,୦୨/୧୦
ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟ ବିଜୁ ଜନତା ଦଳର ରାଜ୍ୟବ୍ୟାପୀ ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଥିବା ବେଳେ ଆଜି ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀଙ୍କ ନେତୃତ୍ୱରେ ମାଲକାନଗିରି ପୌର ପରିଷଦ ଓ ଚାଲାଣ ଗୁଡା ଗ୍ରାମ ପଞ୍ଚାୟତର ଟିଟିବେରୀ ଗ୍ରାମରେ ଜନ ସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମାଲକାନଗିରି ପୌର ପରିଷଦର ଦୈନିକ ବଜାର ଠାରେ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇ ପଦଯାତ୍ରା ଆରମ୍ଭ କରାଯାଇଥିଲା। ପରେ ମାଲକାନଗିରି ବ୍ଲକ ର ଚାଲାଣ ଗୁଡା ଗ୍ରାମ ପଞ୍ଚାୟତର ଟିଟିବେରୀ ଗ୍ରାମରେ ୫୦୦ ରୁ ଉର୍ଦ୍ଧ୍ବ ଜନ ସାଧାରଣଙ୍କ ଉପସ୍ଥିତିରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଏକ ଜନ ସମ୍ପର୍କ ପଦଯାତ୍ରା ସହିତ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଟିଟିବେରୀ ଗ୍ରାମର ପ୍ରତ୍ୟେକ ଘରେ ଘରେ ଜନ ସମ୍ପର୍କ ପଦଯାତ୍ରା କରି ଡବଲ ଇଞ୍ଜିନ ସରକାରଙ୍କ ବିଫଳତା ଓ ବିଜେଡି ଶାସନ ସମୟର ସଫଳତାକୁ ନେଇ ବାର୍ତ୍ତାକୁ ପ୍ରଚାର କରାଯାଇଥିଲା। ଆଜିର କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ତଥା ଜନଜାତି ସେଲ୍ ରାଜ୍ୟ ଉପ ସଭାପତି ମାନସ ମାଡକାମୀ ଯୋଗ ଦେଇ ନିଜ ଭାଷଣରେ ବିଜେପି ଦଳ ନିର୍ବାଚନ ସମୟରେ ଲୋକ ମାନଙ୍କୁ ଯେଉଁ ପ୍ରତିଶୃତି ଦେଇଥିଲା, ତାହାକୁ ଗତ ଅଢ଼େଇ ବର୍ଷ ମଧ୍ୟରେ ପୂରଣ କରି ପାରିଲା ନାହିଁ। ଚାଷୀ, ଯୁବ, ଛାତ୍ର, ନାରୀ, ଆଦିବାସୀ, ଦଳିତ, ସଂଖ୍ୟା ଲଘୁ ଆଦି ସମସ୍ତ ବର୍ଗର ଲୋକେ ପ୍ରତାରଣାର ଶିକାର ହୋଇଛନ୍ତି। ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ନାରୀ ନିର୍ଯ୍ୟାତନା ବୃଦ୍ଧି ପାଉଛି। କେନ୍ଦ୍ର ସରକାର ଏମଏମଡିଆର ଆକ୍ଟ ଜରିଆରେ ଓଡ଼ିଶାର ଅର୍ଥନୈତିକ ଅଧିକାରକୁ କ୍ଷୁର୍ଣ୍ଣ କରିଛନ୍ତି । ଗତ ଅଢେଇ ବର୍ଷ ମଧ୍ୟରେ ବିଜେପି ସରକାରଙ୍କ ମାଳ ମାଳ ବିଫଳତା ରହିଛି। ଗାଁ ଓ ସହରର ରାସ୍ତା ଗୁଡିକର ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ବୃଦ୍ଧ ବୃଦ୍ଧା, ବିକଳାଙ୍ଗ, ବିଧବା ଆଦିଙ୍କୁ ଭତ୍ତା ମିଳୁନାହିଁ। ଅର୍ଥନୈତିକ ଅଭିବୃଦ୍ଧି ହ୍ରାସ ପାଇଥିବା ବେଳେ ଓଡିଶା ଋଣ ଭାରରେ ଡୁବି ଗଲାଣି। ଆବାସ ଗୃହ ନାହିଁ, ଜୀବନ ଜୀବିକା ଉପେକ୍ଷିତ ହୋଇଛି ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ଦ୍ରୁତ ଗତିରେ ବୃଦ୍ଧି ପାଇଛି ବୋଲି ଶ୍ରୀ ମାଡକାମୀ ଉପସ୍ଥିତ ଜନ ସାଧାରଣ ଙ୍କୁ ବୁଝାଇଲେ । ଏହି ପଦଯାତ୍ରାରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ତଥା ଜିଲ୍ଲା ବିଜୁ ମହିଳା ନେତ୍ରୀ ସମାରି ତାଙ୍ଗୁଲ ,ମାଲକାନଗିରି ପୌର ପରିଷଦ ଅଧ୍ୟକ୍ଷ ମନୋଜ କୁମାର ବାରିକ ,ପୌର ପରିଷଦ ଉପାଧ୍ୟକ୍ଷା କବିତା ମହନ୍ତ ,ବିଜେଡି ଜିଲ୍ଲା ବରିଷ୍ଠ ନେତା ତଥା ଆଇନଜୀବୀ ଗୋପାଳ କୃଷ୍ଣ ପଣ୍ଡା , ବିଜେଡି ଜିଲ୍ଲା ଉପ ସଭାପତି ପ୍ରଫୁଲ ପଣ୍ଡା , ସଂଖ୍ୟା ଲଘୁ ସେଲ୍ ଜିଲ୍ଲା ସଭାପତି ରାଜେନ୍ଦ୍ର ଖସଲା , ଜିଲ୍ଲା ବିଜୁ ଛାତ୍ର ସଭାପତି ସୁବ୍ରତ କୁମାର ଦାସ ,ଜିଲ୍ଲା ମହିଳା ନେତ୍ରୀ ପ୍ରଶାନ୍ତିଲତା ବିଶୋଇ ,ମାଲକାନଗିରି ବ୍ଲକ ଅଧ୍ୟକ୍ଷା ଗୌରୀ ପଡ଼ିଆମୀ ,ପଡିଆ ବ୍ଲକ ଅଧ୍ୟକ୍ଷା ଦେବେ ମାଡି ,ଜିଲ୍ଲା ପରିଷଦ ସଭ୍ୟ ମୁକା ମାଡକାମୀ , ବିଜେଡି ସମ୍ପାଦକ ବିକାଶ ମଣ୍ଡଳ ,ସମ୍ପାଦକ କେ.ରାହୁଲ ,ସମ୍ପାଦକ କଣ୍ଟେସ ପୋଟଲା ,ବରିଷ୍ଠ ନେତା କାମେଶ୍ବର ରାଓ ,ଯୁବ ନେତା ଗାନ୍ଧୀ ପଣ୍ଡା , କିଶୋର ସିକଦାର ଚାଲାଣ ଗୁଡା ସରପଞ୍ଚ ଅରକ୍ଷିତ ନାୟକ ପ୍ରମୁଖ ଉପସ୍ଥିତ ଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ମାଲକାନଗିରି ବ୍ଲକ ସଭାପତି ସର୍ବ କୁମାର ବିଶୋଇ ।
(ରିପୋର୍ଟ: ସାମ୍ବାଦିକ ରଞ୍ଜିତ କୁମାର ମଣ୍ଡଳ, ମାଲକାନଗିରି)
