ସୋସିଆଲ୍ ମିଡିଆରେ ‘କରଂସାନୀ ବାୟିକା’ ବର୍ଷା ସାହୁଙ୍କ ଧମାକା: ଭାଇରାଲ୍ ହେଉଛି ବଡ଼ସାଜବହାଲ ଗ୍ରାମର ଲୋକକଳା ଭିଡିଓ
ବରଗଡ: ୦୧/୧୦(ନି ପ୍ର) ପାରମ୍ପରିକ ଲୋକକଳା, ସଂସ୍କୃତି ଓ ନୃତ୍ୟ-ଗୀତର ଅନନ୍ୟ ସଙ୍ଗମସ୍ଥଳୀ ଆମ ଓଡ଼ିଶା ମାଟି । ପୁଣି ଥରେ ଲୋକକଳା ଓ ପଶ୍ଚିମ ଓଡ଼ିଶାର ସଂସ୍କୃତିକୁ ନେଇ ସୋସିଆଲ୍ ମିଡିଆରେ ଚର୍ଚ୍ଚା ଜୋର୍ ଧରିଛି ‘ବି .ଏସ . ମା’ କରମସାନୀ’ ଗ୍ରୁପ୍ର କରଂସାନୀ ବାୟିକା’ ଭାବେ ପରିଚିତ, ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ବଡ଼ସାଜବହାଲ ଗ୍ରାମର ବର୍ଷା ସାହୁଙ୍କ ଏକ ଭିଡିଓ ଏବେ ଇଣ୍ଟରନେଟ୍ରେ ଭାଇରାଲ ହେବାରେ ଲାଗିଛି । ତାଙ୍କର ସୁନ୍ଦର କଳାକାରୀ, ପାରମ୍ପରିକ ଅଭିନୟ ଏବଂ ମନମୁଗ୍ଧକର ଶୈଳୀକୁ ଦେଖି ଦର୍ଶକମାନେ ନିଜର ଆତ୍ମବିଭୋର ଭାବପ୍ରକାଶ କରୁଛନ୍ତି ।
ସୋସିଆଲ୍ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ଏବେ ହଲଚଲ୍ ସୃଷ୍ଟି କରିଛି ଏକ ମନଛୁଆଁ ଭିଡିଓ । ନିଜର ନିଶ୍ଠା, ଅସାଧାରଣ ପ୍ରତିଭା ଓ ନିଆରା ଶୈଳୀ ପାଇଁ ଚାରିଆଡ଼େ ପ୍ରଶଂସାର ପାତ୍ର ସାଜିଛନ୍ତି ଯୁବ କଳାକାର ବର୍ଷା ସାହୁ । ବି ଏସ . ମା କରଂସାନୀ ଅନୁଷ୍ଠାନର ପ୍ରମୁଖ ସଦସ୍ୟା ତଥା କରମ ସାନୀ ବାୟିକା ଭାବେ ନିଜକୁ ଗଢ଼ିତୋଳିଥିବା ବର୍ଷା, ନିଜ ଗାଁ ବଡ଼ସାଜବହାଲର ନାଁ ଏବେ ଆଗ ଧାଡ଼ିରେ ପହଞ୍ଚାଇ ପାରିଛନ୍ତି ।
ପାରମ୍ପରିକ କରମସାନୀ ପୂଜା, ନୃତ୍ୟ ଓ ସଂସ୍କୃତିକୁ ନେଇ ବର୍ଷାଙ୍କ ଜୀବନ୍ତ ପ୍ରଦର୍ଶନ ପ୍ରତ୍ୟେକଟି ଦର୍ଶକଙ୍କ ମନ ଜିଣିନେଇଛି । ସେ ପରିବେଷଣ କରୁଥିବା ପାରମ୍ପରିକ ଗୀତର ତାଳେ ତାଳେ ତାଙ୍କର ସୁନ୍ଦର ଆବେଗ, ନୃତ୍ୟ ଶୈଳୀ ଓ ସାଂସ୍କୃତିକ ଭାବନା ଲୋକଙ୍କୁ ବାନ୍ଧି ରଖୁଛି । ସୋସିଆଲ ମିଡ଼ିଆ ରେ ଏହି ଭିଡିଓ ଭାଇରାଲ୍ ହେବା ପରେ ଶହ ଶହ ଲୋକ ଏହାକୁ ପସନ୍ଦ କରିବା ସହ ନିଜ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଶେୟାର କରୁଛନ୍ତି ।
ଏହି ସଫଳତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏବେ ଉତ୍ସାହ ଓ ଆନନ୍ଦର ପରିବେଶ ଦେଖିବାକୁ ମିଳିଛି । ବଡ଼ସାଜବହାଲ ଗ୍ରାମର ପ୍ରାଚୀନ ଲୋକକଳା ଓ ସଂସ୍କୃତିକୁ ଏହିପରି ଯୁବପିଢ଼ିଙ୍କ ଦ୍ୱାରା ଆଗକୁ ନିଆଯାଉଥିବାରୁ ଗ୍ରାମବାସୀ ତଥା ଅଞ୍ଚଳବାସୀ ବର୍ଷାଙ୍କ ପ୍ରଚେଷ୍ଟାକୁ ବେଶ୍ ପ୍ରଶଂସା କରୁଛନ୍ତି ।
ଆଜିକାଲିର ଆଧୁନିକ ଯୁଗରେ ଯେତେବେଳେ ଯୁବପିଢ଼ି ପାଶ୍ଚାତ୍ୟ ସଂସ୍କୃତି ଆଡ଼କୁ ଢଳୁଛନ୍ତି, ସେତେବେଳେ ବର୍ଷା ସାହୁଙ୍କ ପରି କଳାକାରମାନେ ନିଜର ମାଟି, ଲୋକକଳା ଓ ସଂସ୍କୃତିକୁ ଜୀବନ୍ତ ରଖିବା ପାଇଁ ଯେଉଁ ପ୍ରୟାସ କରୁଛନ୍ତି, ତାହା ପ୍ରକୃତରେ ପ୍ରଶଂସନୀୟ । ବର୍ଷାଙ୍କର ଏହି କଳାକାରୀ ଆଗାମୀ ଦିନରେ ଅନେକ ଯୁବକଳାକାରଙ୍କ ପାଇଁ ପ୍ରେରଣା ସାଜିବ, ଏଥିରେ ସନ୍ଦେହ ନା
ହିଁ ।
