ଦୟାଶୁଣୀ ମଧ୍ୟ ଇଂରାଜି ବିଦ୍ୟାଳୟ ରାସ୍ତା ପାଲଟିଛି ମରଣ ଯନ୍ତା, ପ୍ରଶାସନର ଦୃଷ୍ଟି ପଡ଼ିବ କେବେ ?
ଚଣ୍ଡିଖୋଲ ୧/୧୦(ଭଞ୍ଜ ଦୂତ, ଅମିତ ମହାନ୍ତି )ଯାଜପୁର ଜିଲ୍ଲା ବଡଚଣା ବ୍ଲକ ବନ୍ତଳା ପଞ୍ଚାୟତ ଅନ୍ତର୍ଗତ ଉପୁଳା ସ୍ଥିତ ଦୟାଶୁଣୀ ମଧ୍ୟ ଇଂରାଜି ବିଦ୍ୟାଳୟରେ ଷଷ୍ଠ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୫୦ ରୁ ଅଧିକ ଛାତ୍ର ଛାତ୍ରୀ ଅଧ୍ୟୟନ କରନ୍ତି। ବିଦ୍ୟାଳୟ ନିକଟସ୍ଥ ଗ୍ରାମ ମାନଙ୍କରୁ ପିଲାମାନେ ସାଇକେଲ୍ ଯୋଗେ ଆସି ଏହି ବିଦ୍ୟାଳୟରେ ପଢ଼ି ଥାନ୍ତି।ଏହି ବିଦ୍ୟାଳୟର ଏକ ମାତ୍ର ୩୦ ଫୁଟ୍ ଲମ୍ବର ରାସ୍ତା ହାଇଲେବେଲ୍ କେନାଲକୁ ସଂଯୋଗ ହୋଇଛି।ଏହି ରାସ୍ତା ମଧ୍ୟ ଖାଲ ଖମାରେ ପରିପୂର୍ଣ। ଅସରାଏ ବର୍ଷାରେ ରାସ୍ତାରେ ମଧ୍ୟରେ ଥିବା ଖାଲଖମାରେ ପାଣି ଜମି ରହୂ ଥିବାରୁ ରାସ୍ତା ନିରୂପଣ କରିବା ଖୁବ୍ ଅସମ୍ଭବ ହୋଇପଡେ। ପିଲାମାନେ ଠିକ୍ ଭାବେ ରାସ୍ତା ନିରୂପଣ କରି ନ ପାରି ସୃଷ୍ଟି ହୋଇଥିବା ଏହି ଗର୍ତ୍ତରେ ପଡ଼ି ବହୁ ସମୟରେ ଖଣ୍ଡିଆ ଖାବରା ହେଉଥିବାର ବହୁ ନଜିର୍ ରହିଛି। ଆହୁରି ମଧ୍ୟ ଏହି ବିଦ୍ୟାଳୟ ରାସ୍ତା ଠାରୁ ହାଇଲେବେଲ୍ କେନାଲ ବନ୍ଧ ବହୁ ଉଚ୍ଚରେ ଥିବାରୁ କୋମଳମତି ପିଲାମାନେ କେନାଲ୍ ବନ୍ଧରୁ ବିଦ୍ୟାଳୟ ଅଭିମୁଖେ ସାଇକେଲ୍ ଗଡାଇବା ବେଳେ ଅନେକ ବାର ବିଦ୍ୟାଳୟ ପ୍ରାଚୀରର ଧକ୍କା ହୋଇ କ୍ଷତାକ୍ତ ହେଉଛନ୍ତି। ଅନ୍ତତଃ ପକ୍ଷେ ଏହି ରାସ୍ତାକୁ ବନ୍ଧ ସହିତ ସମତୁଲ କରି ନିର୍ମାଣ କରିବା ପାଇଁ ବୁଦ୍ଧିଜୀବୀଙ୍କ ପକ୍ଷରୁ ବହୁବାର ଅଭିଯୋଗ ହୋଇଛି। ହେଲେ ସମସ୍ତ ଅଭିଯୋଗ ନିଷ୍ଫଳ ହୋଇଛି। ବିଦ୍ୟାଳୟର ପରିପାଟୀ, ଶିକ୍ଷା ଓ ଶୈଖିକ ବାତାବରଣର ଉନ୍ନତି ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି। ସେ ଅର୍ଥ ଆସୁଛି, ଯାଉଛି କୁଆଡେ, ହେଉଛି କ’ଣ ? ସେ ହିସାବ ଖୋଜିଲେ ଆପଣଙ୍କ ମୁଣ୍ଡ ଚକ୍କର କାଟିବ।ଏହି କେନାଲ୍ ବନ୍ଧ ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବାରୁ ଓ ଏହାକୁ ସଂଯୋଗ କରିଥିବା ସ୍କୁଲ୍ ରାସ୍ତା ଖରାପ୍ ହେଲେ ମଧ୍ୟ ପଞ୍ଚାୟତ ପକ୍ଷରୁ ଏହା ଉପରେ ଦୃଷ୍ଟି ଦିଆଯାଉ ନାହିଁ।ରାସ୍ତାର ଏଭଳି ଦୁରାବସ୍ଥା ପାଇଁ ଛାତ୍ର ଛାତ୍ରୀ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ତେବେ ଦେଖାଯାଉ ଏହି ରାସ୍ତା ଉପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବା ପଞ୍ଚାୟତ ପକ୍ଷରୁ ହେଉ କେବେ ଦୃଷ୍ଟି ପଡୁଛି।ଆଉ ଟାଳ ଟୁଳ ନୀତି ଅବଲମ୍ବନ ନ କରି ଯଥା ଶୀଘ୍ର ରାସ୍ତାର ପୁନନିର୍ମାଣ କରି ଛାତ୍ର ଛାତ୍ରୀ ମାନଙ୍କ ସୁରୁଖୁରୁରେ ଯାତାୟତ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
