*ଗାଇସିଲେଟରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ* ।
(ସ୍ୱାସ୍ଥ୍ୟ ଶିବିର, ଯୋଗ ତାଲିମ ଓ ବୃକ୍ଷରୋପଣ ମାଧ୍ୟମରେ ସଚେତନତାର ବାର୍ତ୍ତା। )
ବରଗଡ , ୦୧/୧୦ (ନି ପ୍ର ): ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ବରିଷ୍ଠ ନାଗରିକ ସଭାଗୃହ ପରିସରରେ ବ୍ଲକ ପ୍ରଶାସନ ଓ ବରିଷ୍ଠ ନାଗରିକ ସଂଘର ମିଳିତ ସହଯୋଗରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ବରିଷ୍ଠ ନାଗରିକଙ୍କ ସମ୍ମାନ, ସ୍ୱାସ୍ଥ୍ୟ ସୁରକ୍ଷା ଓ ସୁସ୍ଥ ଜୀବନଯାପନ ଉପରେ ଏହି ଅବସରରେ ଗୁରୁତ୍ୱାରୋପ କରାଯାଇଥିଲା। ବରିଷ୍ଠ ନାଗରିକ ସଂଘର ସଭାପତି ଡ. ସୁନୀଲ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ଝରଣା ପାଣିଗ୍ରାହୀ, ସାଂସଦ ପ୍ରତିନିଧି ସଞ୍ଜୟ ପୁରୋହିତ, ବନପାଳ ରାଜେନ୍ଦ୍ର ସିଂ ଓ ସଂଘର ସମ୍ପାଦକ ରବୀନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦେଇ ଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ଅତିଥିମାନେ ସ୍ୱର୍ଗତ ଗୋପୀନାଥ ପଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେ ଶ୍ରୀ ଗିରିଶ ଚନ୍ଦ୍ର ପଣ୍ଡାଙ୍କ ଦ୍ୱାରା ବରିଷ୍ଠ ନାଗରିକଙ୍କ ପାଇଁ ଯୋଗ ତାଲିମ ପ୍ରଦାନ କରାଯିବା ସହ ନିୟମିତ ଯୋଗାଭ୍ୟାସର ଉପକାରିତା ସମ୍ପର୍କରେ ସଚେତନ କରାଯାଇଥିଲା। ଏହି ଅବସରରେ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା। ବରିଷ୍ଠ ନାଗରିକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଆବଶ୍ୟକତା ଅନୁଯାୟୀ ମାଗଣା ଔଷଧ ବଣ୍ଟନ କରାଯାଇଥିଲା। ସୁସ୍ଥ ଓ ନିରୋଗ ଜୀବନ ପାଇଁ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ଯୋଗ ଓ ସଚେତନତାର ଆବଶ୍ୟକତା ଉପରେ ମଧ୍ୟ ମତପ୍ରକାଶ କରାଯାଇଥିଲା। କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲା ବୃକ୍ଷରୋପଣ। ପରିବେଶ ସୁରକ୍ଷା ଓ ଆଗାମୀ ପିଢ଼ି ପାଇଁ ସବୁଜ ପରିବେଶ ସୃଷ୍ଟିର ବାର୍ତ୍ତା ଦେଇ ବରିଷ୍ଠ ନାଗରିକ ଓ ଅତିଥିମାନେ ବୃକ୍ଷରୋପଣ କରିଥିଲେ। କାର୍ଯ୍ୟକ୍ରମକୁ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଶିବାନୀ ଭୋଇ ପରିଚାଳନା କରିଥିବା ବେଳେ ଶେଷରେ ସଂଘର ସମ୍ପାଦକ ରବୀନ୍ଦ୍ର ପଣ୍ଡା ଉପସ୍ଥିତ ଅତିଥି, ବରିଷ୍ଠ ନାଗରିକ ଓ ସହଯୋଗୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
