ବାଲିଗୁଡ଼ାରେ କବିବର ରାଧାନାଥ ରାୟଙ୍କ ଜୟନ୍ତୀ ପାଳିତସାହିତ୍ୟ ଆଲୋଚନାରେ ଝଙ୍କୃତ ହେଲା ଓଡ଼ିଆ ଭାଷା ଓ ସାହିତ୍ୟର ଗୌରବଗାଥା।
ବାଲିଗୁଡ଼ା:(ନି.ପ୍ର )୩୦/୯
ଅଖିଳ ଭାରତୀୟ ସାହିତ୍ୟ ପରିଷଦର ସୌଜନ୍ୟରେ ଏବଂ ଶାଳବଣ ସାହିତ୍ୟ ସଂସଦର ସଂଯୋଜନାରେ ବାଲିଗୁଡ଼ାସ୍ଥିତ ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ପରିସରରେ ମହାସମାରୋହରେ କବିବର ରାଧାନାଥ ରାୟଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଶାଳବଣ ସାହିତ୍ୟ ସଂସଦର ସଭାପତି ଡ଼. ମଧୁସୂଦନ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସାହିତ୍ୟିକ ସମାରୋହରେ ବରିଷ୍ଠ ଆଇନଜୀବୀ କୌଶିକ ସାହୁ ଓ ରବୀନ୍ଦ୍ରନାଥ ରଥ ମୁଖ୍ୟ ଅତିଥି ଭାବେ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମରେ କବିବର ରାଧାନାଥ ରାୟଙ୍କ ଜୀବନୀ, ସାହିତ୍ୟ ସୃଷ୍ଟି, ଚିନ୍ତାଧାରା ଏବଂ ଓଡ଼ିଆ ସାହିତ୍ୟ ପ୍ରତି ତାଙ୍କର ଅମୂଲ୍ୟ ଅବଦାନ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ରାଧାନାଥଙ୍କ ସାହିତ୍ୟକୃତି କିପରି ଓଡ଼ିଆ ସାହିତ୍ୟକୁ ଏକ ନୂତନ ଦିଗ ଦେଇଥିଲା, ସେନେଇ ଆଲୋଚକମାନେ ମତବ୍ୟକ୍ତ କରିଥିଲେ। ଶିକ୍ଷକ ତୀର୍ଥବାସୀ ଘଡ଼େଇ ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ। ଆଲୋଚକ ଭାବେ କୈଳାଶ ବେହେରା, ବିଶ୍ୱେଶ୍ୱର ଆଚାର୍ଯ୍ୟ, ସ୍ନେହଲତା, ସୁଲୋଚନା କଁହରଙ୍କ ସମେତ ଅନ୍ୟ ସାହିତ୍ୟପ୍ରେମୀ ଓ ବୁଦ୍ଧିଜୀବୀମାନେ ଯୋଗଦେଇ ରାଧାନାଥଙ୍କ ସାହିତ୍ୟ ଓ ଓଡ଼ିଆ ଭାଷା ପ୍ରତି ତାଙ୍କ ଅବଦାନ ଉପରେ ମତ ରଖିଥିଲେ।
