ବିଂଝାରପୁରରେ ପିଲାଙ୍କ ପୋଷାକ ଯୋଗାଣରେ ଟେଣ୍ଡର ଫିକ୍ସିଙ୍ଗ୍ ଆଶଙ୍କା
(ମଣ୍ଡଳ ଶିକ୍ଷାଧିକାରୀ ଆର ଟି ଆଇ ତଥ୍ୟ ନଦେବା ଅଭିଯୋଗ)
ଯାଜପୁର (ସରୋଜ ଧଳ)
: ବିଦ୍ୟାଳୟରେ ପିଲାଙ୍କୁ ମାଗଣା ପୋଷାକ ବଣ୍ଟନ ହେବ | ଏ ନେଇ ୬ ଜୁଲାଇ ରେ ବିଜ୍ଞପ୍ତି ପ୍ରକାଶ ପାଇଛି | କିଏ ବାଣ୍ଟିବ, କାହାକୁ ମିଳିବ ଦାୟିତ୍ଵ, କିଏ କରିବ ଆବେଦନ ତାହାକୁ ନେଇ ଦେଖାଦେଲାଣି ଚଳଚଞ୍ଚଳ |
ବିଂଝାରପୁର ବ୍ଲକରେ ଗତବର୍ଷ (୨୦୨୪ /୨୦୨୫) ପୋଷାକ ସ୍କାମ ଅଭିଯୋଗ ପରେ ବିଭାଗୀୟ ଅଧିକାରୀ ନିରବୀ ଯାଇଥିଲେ | ନାଁ ହେଲା ତଦନ୍ତ , ନାଁ ପିଲାଙ୍କୁ ମିଳିଲା ଭଲ ପୋଷାକ ? ନିମ୍ନ ମାନର ପୋଷାକ ଦେଇ ବାଟ ମାରଣା ହେଲା ସରକାରୀ ଟଙ୍କା | ଏମିତି ପୋଷାକ ବଣ୍ଟନ ହେଲାଯେ ଗୋଟିଏ ବର୍ଷ ବି ପିଲା ପିନ୍ଧି ପାରିଲେନି | ତଳରୁ ଉପର ଯାଏ ସମସ୍ତେ ଲୁଟି ଖାଇଲେ | ତଦନ୍ତ ବାଟବଣା ହୋଇ ରହିଲା | ଏମିତିକି ବିଂଝାରପୁର ବ୍ଲକର ସିଂହପୁର ପ୍ରାଥମିକ ବିଦ୍ୟାଳୟ କଥା ଯଦି ଦେଖିବା ଏଠାରେ ଗତବର୍ଷ (୨୦୨୪/୨୦୨୫) ବର୍ଷ ପିଲାମାନଙ୍କୁ ବହୁତ ବିଳମ୍ବରେ ପୋଷାକ ବଣ୍ଟନ କରାଯାଇଥିଲା ,ତାହା ଅତି ନିମ୍ନ ମାନର ଥିଲା , ଏନେଇ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଅଜୟ ମଲ୍ଲିକ ବହୁ ଅଭିଯୋଗ କଲେ ମଧ୍ୟ୍ୟ ବିଭାଗୀୟ ଅଧିକାରୀ କେହି କର୍ଣ୍ଣପାତ କରି ନଥିଲେ | ସେ ଜିଲ୍ଲାପାଳ ଙ୍କୁ ବିଂଝାରପୁର ଜନଶୁଣାଣୀ ରେ ବିଦ୍ୟାଳୟର ବିଭିନ୍ନ ଅସୁବିଧା ସମ୍ପର୍କରେ , ମୁଖ୍ୟମନ୍ତୀ ଓ ଜିଲ୍ଲା ଶିକ୍ଷାଧିକାରୀ ଙ୍କୁ ଜଣାଇବା ପରେ ମଧ୍ୟ୍ୟ କିଛି ସନ୍ତୋଷ ଜନକ ଉତ୍ତର ପାଇନଥିଲେ | ଶେଷରେ ସେ ବିଦ୍ୟାଳୟ ବିଷୟରେ କିଛି ଆର ଟି ଆଇ ରେ ତଥ୍ୟ ବିଷୟରେ ଜାଣିବାପାଇଁ ବିଂଝାରପୁର ମଣ୍ଡଳ ଶିକ୍ଷାଧିକାରୀ ଙ୍କୁ ଆବେଦନ କରିଥିଲେ ମଧ୍ୟ୍ୟ ଏ ପର୍ଯ୍ୟନ୍ତ ତାକୁ କୌଣସି ତଥ୍ୟ ଦିଆଯାଇ ନାହିଁ ବୋଲି ସେ କହିବା ସହିତ ଜୁଲାଇ ମାସରେ ଭୁବନେଶ୍ୱର ରେ ମୁଖ୍ୟମନ୍ତ୍ରୀ ଙ୍କ ଜନଶୁଣାଣୀରେ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ପୁଣି କିଛି ଅଭିଯୋଗ କରିଛନ୍ତି | ପୁଣି ଚଳିତ ବର୍ଷ ଲୁଟିବାକୁ ଆରମ୍ଭ ହେଲାଣି ପ୍ରତିଯୋଗିତା , ୨୦୨୫ – ୨୦୨୬ ବର୍ଷର ପୋଷାକ ବଣ୍ଟନ ପାଇଁ ସରକାର ବିଜ୍ଞପ୍ତି ପ୍ରକାଶ କରି ମାର୍ଗଦର୍ଶିକା ଦେଲେଣି, ବିଂଝାରପୁର ବ୍ଲକରେ ପ୍ରାୟ ୧୮ ହଜାର ରୁ ଅଧିକ ପିଲାଙ୍କ ପୋଷାକ ବଣ୍ଟନ ପାଇଁ ଅଣ୍ଟା ଭିଡ଼ିଲେଣି ବ୍ୟବସାୟୀ ଓ ମହିଳା ଗୋଷ୍ଟୀ | ଏପଟେ ଟେଣ୍ଡର ଫିକ୍ସିଙ୍ଗ୍ ପାଇଁ ପ୍ରସ୍ତୁତ ହେଲାଣି ବ୍ଲୁ ପ୍ରିଣ୍ଟ ….. ଯାହା ଦ୍ୱାରା ସରକାରୀ ଗାଇଡ୍ ଲାଇନ୍ ଉଲଂଘନ ହେବା ଆଶଙ୍କା ବଢିଲାଣି | ଏପଟେ ବିଂଝାରପୁର ବ୍ଲକର ବର୍ତ୍ତମାନର ବିଧାୟିକା ପ୍ରମିଳା ମଲ୍ଲିକ ଓ ବିଜେପି ନେତ୍ରୀ ବବିତା ମଲ୍ଲିକ ଙ୍କ କତ୍ତୃତ୍ୱ ରହୁଛି , ଏଣୁ ନିଜ ସମର୍ଥକଙ୍କୁ ଯେପରି ପୋଷାକ ବଣ୍ଟନ ଦାୟିତ୍ଵ୍ ମିଳିବ ସେ ନେଇ ଶିକ୍ଷା ଅଧିକାରୀଙ୍କୁ ଚାପ ପଡିଲାଣି ବୋଲି ଆଲୋଚନା ହେଲାଣି | ଯାହା ସୂଚନା ମିଳୁଛି ଚଳିତବର୍ଷ ପିଲାଙ୍କୁ ମାଗଣା ପୋଷାକ ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହେଲାଣି , ଜୁଲାଇ ୧୫ ତାରିଖ ସୁଦ୍ଧା ସମସ୍ତ ସ୍କୁଲ ପିଲାଙ୍କୁ ବାଣ୍ଟାଯିବ ମାଗଣା ୟୁନିଫର୍ମ୍ | ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡିକରେ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ମାଗଣା ପୋଷାକ ଦିଆଯିବ | ଏନେଇ ମାର୍ଗଦର୍ଶିକା ଜାରି କରାଯାଇଛି | ପୂର୍ବବର୍ଷ ପରି ଚଳିତ ବର୍ଷ ମଧ୍ୟ ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ର ମାନଙ୍କୁ ଦୁଇହଳ ନିର୍ଦିଷ୍ଟ ରଙ୍ଗର ପ୍ୟାଣ୍ଟ ଓ ଧଳା ସାର୍ଟ ଛାତ୍ରୀ ମାନଙ୍କୁ ଦୁଇହଳ ଫ୍ରକ୍ ପୋଷାକ ଦିଆଯିବ | ଏହା ସହିତ ଷଷ୍ଟରୁ ଅଷ୍ଟମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଦୁଇହଳ ସାଲଓ୍ବାର୍ କମିଜ ଓ ଓଢଣୀ ଦିିଆଯିବ | ପୋଷାକର ରଙ୍ଗ ଓ ଗୁଣବତ୍ତା ଉପରେ ବିଶେଷ ଧ୍ୟାନ ଦିଆଯିବ | ପୋଷାକ ବଣ୍ଟନ ସମୟରେ ସଠିକ ଭାବେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ନାମ ଶ୍ରେଣୀ ୱାରୀ ଖାତାରେ ଲିପିବଦ୍ଧ କରାଯିବା ସହିତ ସେମାନଙ୍କର ଦସ୍ତଖତ ନିଆଯିବ | ପୋଷାକ ବଣ୍ଟନ ପ୍ରକ୍ରିୟା ଜୁଲାଇ ୧୫ ତାରିଖ ସୁଦ୍ଧା ଶେଷ କରାଯିବ , ହେଲେ ଏଠି ପ୍ରଶ୍ନ ଉଠୁଛି ବିଂଝାରପୁର ବ୍ଲକରେ ଗତବର୍ଷ (୨୦୨୪/୨୦୨୫) ଭଳି ନିର୍ଦ୍ଦିଷ୍ଟ ଗୋଷ୍ଟିକୁ ପୋଷାକ ବଣ୍ଟନ ଦାୟିତ୍ଵ ଦେବାକୁ ଷଡଯନ୍ତ୍ର ଚାଲିଥିବା ବେଳେ ପିଲାଙ୍କ ପୋଷାକ ବଣ୍ଟନ ପାଇଁ ଆରମ୍ଭ ହୋଇ ଯାଇଛି ରାଜନୀତି | କିଏ ପାଇବା ଦାୟିତ୍ୱ , କିଏ ଗୋଟି ଚାଳନାରେ ସଫଳ ହେବେ ତାହା ସମୟକୁ ଅପେକ୍ଷା |
