ସିନାପାଲିରେ ବନ୍ଧନ ବ୍ୟାଙ୍କର ଶୁଭାରମ୍ଭ
ଅଞ୍ଚଳବାସୀଙ୍କୁ ମିଳିବ ଆଧୁନିକ ବ୍ୟାଙ୍କିଙ୍ଗ୍ ସେବା
ସିନାପାଲି, ୩୦/୦୯: (ଧର୍ମେନ୍ଦ୍ର କୁମାର ଗହିର) ନୂଆପଡ଼ା ଜିଲ୍ଲା ସିନାପାଲି ସହରର ନାକା ଛକଠାରେ ବନ୍ଧନ ବ୍ୟାଙ୍କର ନୂତନ ଶାଖାର ଶୁଭ ଉଦ୍ଘାଟନ ବୁଧବାର ଅନୁଷ୍ଠିତ ହୋଇଛି। ନୂତନ ଶାଖା ଖୋଲିବା ଫଳରେ ଅଞ୍ଚଳବାସୀଙ୍କୁ ନିକଟରେ ବିଭିନ୍ନ ବ୍ୟାଙ୍କିଙ୍ଗ୍ ସେବା ପାଇବାର ସୁଯୋଗ ମିଳିବ। ଆୟୋଜିତ ଉଦ୍ଘାଟନୀ ସମାରୋହରେ ବରିଷ୍ଠ ଆଇନଜୀବୀ ବୈଷମ୍ପାୟନ ମେହେର, ସିନାପାଲି ଥାନା ଅଧିକାରୀ ମହେଶ୍ୱର ପାଣିଗ୍ରାହୀ ଓ ପୂର୍ବତନ ସିନାପାଲି ପଞ୍ଚାୟତ ସମିତି ଅଧ୍ୟକ୍ଷ ନୀଳମଣି ମେହେର ଯୋଗଦେଇ ନୂତନ ଶାଖାର ଉଦ୍ଘାଟନ କରିଥିଲେ। ଏହି ଅବସରରେ ଉପସ୍ଥିତ ଅତିଥିମାନେ ବ୍ୟାଙ୍କ ପରିସର ପରିଦର୍ଶନ କରିବା ସହ ଗ୍ରାହକଙ୍କ ପାଇଁ ଉପଲବ୍ଧ ବିଭିନ୍ନ ସେବା ଓ ସୁବିଧା ସମ୍ପର୍କରେ ଅବଗତ ହୋଇଥିଲେ। ସମାରୋହରେ ତୁଳସୀରାମ ମେହେର, ଡମ୍ବରୁଧର ମେହେର, ଗୋଲାମଣି ସା, ନାରାୟଣ ପାତ୍ର, ଅରିରଞ୍ଜନ ଯୋଶୀ, ତ୍ରିନାଥ ମେହେର, ନନ୍ଦ କୁମାର ପାତ୍ର, ପ୍ରହଲ୍ଲାଦ ମେହେର, ଭୀଷ୍ମରାଜ ମାଝୀ, ସୁଶାନ୍ତ ମେହେର, ଭୀଷ୍ମ ଦାସ ଓ ଆନନ୍ଦ ମେହେରଙ୍କ ସମେତ ବହୁ ଲୋକ ଉପସ୍ଥିତ ଥିଲେ। ବନ୍ଧନ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କିଂ ୟୁନିଟ୍ ମ୍ୟାନେଜର ଭକ୍ତ ମାଝୀ, ଅପରେସନ୍ ଏକ୍ଜିକ୍ୟୁଟିଭ୍ ଦେବରାଜ ଜଗତ ଏବଂ ରିଲେସନ୍ସିପ୍ ଅଫିସର ଅଶ୍ୱିନ କୁମାର ଜଗତ ଉପସ୍ଥିତ ରହିଥିଲେ। ବ୍ୟାଙ୍କ କର୍ମଚାରୀମାନେ ଉପସ୍ଥିତ ଗ୍ରାହକ ଓ ଅତିଥିମାନଙ୍କୁ ବ୍ୟାଙ୍କର ବିଭିନ୍ନ ସେବା ସମ୍ପର୍କରେ ଜଣାଇଥିଲେ। ସିନାପାଲିରେ ନୂତନ ଶାଖା ଖୋଲିବା ଦ୍ୱାରା ସ୍ଥାନୀୟ ବ୍ୟବସାୟୀ, କୃଷକ, ମହିଳା, ଶ୍ରମଜୀବୀ ଓ ସାଧାରଣ ଗ୍ରାହକଙ୍କ ଦୈନନ୍ଦିନ ଆର୍ଥିକ କାରବାର ସୁବିଧାଜନକ ହେବ ବୋଲି ଆଶା ପ୍ରକାଶ ପାଇଛି। ବ୍ୟାଙ୍କିଙ୍ଗ୍ ସେବା ପାଇଁ ଦୂରସ୍ଥାନକୁ ଯିବାର ଅସୁବିଧା ମଧ୍ୟ ହ୍ରାସ ପାଇବ।
