ଓଦା କାନ୍ଥ ପଡ଼ି ମୃତ୍ୟୁ ଘଟଣା: ଶୋକସନ୍ତପ୍ତ ପରିବାରକୁ ବିଜେଡି ନେତାଙ୍କ ସମବେଦନା
______________
ସାରସକଣା,(୩୦/୯/୨୬)(ନି.ପ୍ର):
ଗତ ଲଘୁଚାପଜନିତ ଲଗାଣ ବର୍ଷା ସମୟରେ ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ଜାଲଦା ପଞ୍ଚାୟତର ପୁନାଶିଆ ଗ୍ରାମରେ ଓଦା କାନ୍ଥ ପଡ଼ି ଶ୍ରୀହରି ନାଏକଙ୍କ ସ୍ତ୍ରୀ ଟୁନୀ ନାଏକଙ୍କ ମୃତ୍ୟୁ ଘଟିଥିଲା। ଏହି ଦୁଃଖଦ ଘଟଣାରେ ତାଙ୍କ ସ୍ୱାମୀ ଶ୍ରୀହରି ନାଏକଙ୍କ ପରିବାର ଶୋକସନ୍ତପ୍ତ ହୋଇପଡ଼ିଛି। ଏହି ଘଟଣା ପରେ ଆଜି ସାରସକଣା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ମୟୂରଭଞ୍ଜ-୨ ଜିଲ୍ଲା ସଭାପତି ଡ. ଦେବାଶିଷ ମାରାଣ୍ଡି ଶ୍ରୀହରି ନାଏକଙ୍କ ଘରେ ପହଞ୍ଚି ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ଏହି ଅବସରରେ ଦଳ ପକ୍ଷରୁ ପରିବାରକୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଥିଲା। ଡ. ମାରାଣ୍ଡି ପରିବାରର ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହିତ ତହସିଲଦାରଙ୍କ ସହିତ ଫୋନ ଯୋଗେ କଥା ହୋଇ ଶୀଘ୍ର ସରକାରୀ ଅନୁଦାନ ପ୍ରଦାନ କରିବା ପାଇଁ କହିଥିଲେ । ଏହାପରେ ଡ. ମାରାର୍ଣ୍ଡି ସେହି ଗ୍ରାମରେ ଅନ୍ୟ କିଛି ପରିବାର ସହିତ ଭେଟି ଗ୍ରାମର ସମସ୍ୟା ବିଷୟରେ ଶୁଣିଥିଲେ ଏବଂ ଶୀଘ୍ର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଅବଗତ କରାଇବେ ବୋଲି କହିଥିଲେ । ଡ. ମାରାର୍ଣ୍ଡି ସହିତ ବିଜେଡି ରାଜ୍ୟ ସମ୍ପାଦକ ଦୀପକ ମଢୁଆଳ, ସାରସକଣା ବ୍ଲକ ସଭାପତି ମଣି ଶଙ୍କର ବାରିକ, ଅଜୟ ମଣ୍ଡଳ, ରାଧାକାନ୍ତ ବେରା, ମାନସ ନାଏକଙ୍କ ସମେତ ଦଳର ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଅନିଲ କୁମାର ସାହୁ ସାରସକଣା ପ୍ରତିନିଧି ଭଞ୍ଜଦୂତ ଖବର ।
