ବାଲେଶ୍ଵର ଜିଲା ରକ୍ତଦାତା ସଂଘର ବାର୍ଷିକ ସମ୍ମିଳନୀରେ ସମ୍ମାନିତ ହେଲା ଆଦର୍ଶ ଯୁବ ପରିଷଦ, ସୋର
ସୋର (ଭଞ୍ଜଦୂତ, ନିପ୍ର) : ରକ୍ତଦାନ ଦ୍ୱାରା କେବଳ ଆମର ସ୍ୱାସ୍ଥ୍ୟର ଉନ୍ନତି ଘଟେ ନାହିଁ ବରଂ ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁ ମୁଖରୁ ଆମେ ଟାଣି ଆଣୁ।ରକ୍ତର ବିକଳ୍ପ ନାହିଁ, କେବଳ ରକ୍ତଦାନ ଦ୍ୱାରା ରକ୍ତ ଅଭାବ ଦୂର କରାଯାଇଥାଏ। ବାଲେଶ୍ଵର ଜିଲା ରକ୍ତଦାତା ସଂଘର ୧୫ତମ ବାର୍ଷିକ ସମ୍ମିଳନୀରେ ଯୋଗଦେଇ ଅତିଥି ଓ ବକ୍ତାମାନେ ଏହି ମତ ରଖିଛନ୍ତି । ସମ୍ମିଳନୀକୁ ଆନୁଷ୍ଠାନିକଭାବେ ବାଲେଶ୍ବରର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥ୍ ଭାବେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ ଅଧ୍ୟକ୍ଷ ତଥା “ଆମ ଓଡ଼ିଶା’ର ଅଧ୍ଯକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କ ସମେତି ସମ୍ମାନନୀୟ ଅତିଥି ଓ ବକ୍ତା ଭାବେ ଜଳେଶ୍ଵର ବିଧାୟକ ଅଶ୍ୱିନୀ କୁମାର ପାତ୍ର, ରେମୁଣା ବିଧାୟକ ତଥା ସରକାରୀ ଦଳ ଉପ ମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, ବସ୍ତା ବିଧାୟିକା ସୁବାସିନୀ ଜେନା, ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ ଏବଂ ଜିଲ୍ଲା ରକ୍ତ କେନ୍ଦ୍ର ଅଧିକାରୀ ଡା ବସନ୍ତ କୁମାର ଉପାଧ୍ୟାୟ ଯୋଗଦେଇ ରକ୍ତଦାନ କ୍ଷେତ୍ରରେ ସମଗ୍ର ରାଜ୍ୟରେ ବାଲେଶ୍ଵର ଜିଲ୍ଲାର ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିଲ୍ଲା ରକ୍ତଦାତା ସଂଘର ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିଥିଲେ। ସଭା କାର୍ଯ୍ୟ ଆରମ୍ଭରେ ଅତିଥିମାନେ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ବିଗ୍ରହରେ ଓ ରକ୍ତବର୍ଗର ଉଦଭାବକ ତଥା ନୋବେଲ ବିଜେତା ବୈଜ୍ଞାନିକ କାର୍ଲ ଲ୍ୟାଣ୍ଡଷ୍ଟେନରଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ସଂଗଠନର ମୁଖପତ୍ର ‘ସ୍ଵନ୍ଦନ’କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଗତ ବର୍ଷ ସର୍ବାଧିକ ରକ୍ତଦାନ ଶିବିର ଆୟୋଜକ, ସର୍ବାଧିକ ରକ୍ତ ସଂଗ୍ରହ କରିଥିବା ବ୍ୟକ୍ତି ଓ ସଂଗଠନମାନଙ୍କୁ ସଂଘ ପକ୍ଷରୁ ଅତିଥିମାନେ ପୁରସ୍କୃତ କରିଥିଲେ। ଏହି ପରିପ୍ରେକ୍ଷୀରେ ରାଜ୍ୟ ତଥା ଜିଲ୍ଲାରେ ରକ୍ତଦାନ ଶିବିର କରି ରେକର୍ଡ଼ ସଂଖ୍ୟକ ରକ୍ତ ସଂଗ୍ରହ କରିଥିବା ସୋରର ସାମାଜିକ ସ୍ବେଛାସେବୀ ସେବା ସଂଗଠନ ଆଦର୍ଶ ଯୁବ ପରିଷଦକୁ ସମ୍ବର୍ଦ୍ଧନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପରିଷଦ ତରଫରୁ ବରିଷ୍ଠ ସଦସ୍ୟ ଶ୍ରୀଧର ପତ୍ରି, କାର୍ତ୍ତିକ ରାଉଳ,ରଞ୍ଜିତା ଅଗସ୍ତି ପ୍ରମୁଖ ଉପସ୍ଥିତ ରହି ସମ୍ବର୍ଦ୍ଧନା ଗ୍ରହଣ କରିଥିଲେ। ଏହି ସମ୍ମାନ ପାଇଁ ପରିଷଦ ତରଫରୁ ସଭାପତି ପୃଥିବୀ ରଞ୍ଜନ ବେହେରା ଜିଲ୍ଲା ରକ୍ତଦାତା ସଂଘକୁ କୃତଜ୍ଞତା ପୂର୍ବକ ଧନ୍ୟବାଦ ଜଣାଇଛନ୍ତି।
