ବିଞ୍ଝାରପୁର ବ୍ଲକର ବାଇଶଟି ବିଦ୍ୟାଳୟରେ ଆର୍ଥିକ ଅନୀୟମିତତା
ଡିପିସି ଙ୍କ ତାଗିଦ୍ ,ବାଇଶଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଫେରାଇବେ ପାଖାପାଖି ଚାରିଲକ୍ଷ ଟଙ୍କା!
ବିଂଝାରପୁର ୧୪/୭ (ସ୍ମୃତିରେଖା ମଲ୍ଲିକ) : ଯାଜପୁର ଜିଲ୍ଲାର ବିଞ୍ଝାରପୁର ବ୍ଲକର ୨୨ଟି ପ୍ରାଥମିକ, ଉଚ୍ଚ, ପ୍ରାଥମିକ, ଉଚ୍ଚ ଓ ଉଚ୍ଚତର ବିଦ୍ୟାଳୟ ମାନଙ୍କୁ ଯୋଗାଇ ଦିଆ ଯାଇଥିବା ଅନୁଦାନର ବିନିଯୋଗ ପ୍ରମାଣପତ୍ରରେ ବ୍ୟାପକ ଜାଲିଆତି ହୋଇଥିବାରୁ ଯାଜପୁର ଜିଲ୍ଲା ସମଗ୍ର ଶିକ୍ଷା ପ୍ରକଳ୍ପ ଅଧିକାରୀ ଏହି ସବୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନଙ୍କୁ ମୋଟ ପାଖାପାଖି ୪ଲକ୍ଷ ଟଙ୍କା ଫେରସ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣା ଯାଇଛି । ପ୍ରକାଶ ଯେ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ ସମଗ ୍ରଶିକ୍ଷା, ଯାଜପୁରଙ୍କ ଚିଠିସଂଖ୍ୟା ୨୨୮୧ ତା ୧୦ା୦୭ା୨୦୨୫ରିଖରେ ବିଞ୍ଝାରପୁର ଗୋଷ୍ଠୀଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରାଯାଇଥିବା ଚିଠିରେ ଦର୍ଶା ଯାଇଛି କି ବିଞ୍ଝାରପୁର ବ୍ଲକର ଅରେଇ ଠାରେ ଅନୁଷ୍ଠିତ ବିନିଯୋଗପତ୍ର ଆଦାୟ ଶିବିରରେ ବ୍ଲକର ୨୨ଟି ସ୍କୁଲ ଦାଖଲ କରିଥିବା ବିନିଯୋଗ ପତ୍ର ଓ ତତ୍ ସଂଲଗ୍ନ ଭାଉଚର ଯାଂଚବେଳେ ଅର୍ଥ ବିଭାଗର କର୍ମକର୍ତାଙ୍କ ନଜରରେ ୨୦୨୪ – ୨୫ ବର୍ଷର ଅନୁଦାନର ବ୍ୟୟ ବିବରଣୀରେ ବିଭିନ୍ନ ଅନୀୟମିତତା ପରିଦୃଷ୍ଟ ହୋଇଥିଲା । ତଦନୁଯାୟୀ କେତେକ ପ୍ରଧାନ ଶିକ୍ଷକ ଙ୍କ ନିମନ୍ତେ କ୍ୟାସମେମୋ, ନନ୍ ଜିଏସଟି ବିଲ୍, ମିଥ୍ୟା ଭାଉଚର ଆଦି ସମସ୍ୟା ସୃଷ୍ଟି କରିଥିଲା । ସମସ୍ତ କାଗଜପତ୍ର ଯାଂଚ ପରେ ଡିପିସି ଙ୍କ ଦ୍ୱାରା ପ୍ରେରିତ ଆର୍ଥ ବିଭାଗ ତରଫରୁ ଏହି ୨୨ଟି ସ୍କୁଲର ପ୍ରଧାନ ଶିକ୍ଷକମାନେ ଉଠାଇଥିବା ଅନୁଦାନ ମଧ୍ୟରୁ ମୋଟ ପାଖାପାଖି ୪ଲକ୍ଷ ଟଙ୍କା ଫେରସ୍ତ ଆଣିବା ନିମନ୍ତେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ପ୍ରକାଶ । ତେବେ ବିଞ୍ଝାରପୁର ବ୍ଲକର ଏହି ସ୍କୁଲ ମଧ୍ୟରେ ରାଁଶ ପ୍ରାଥମିକ ବିଦ୍ୟାଳୟ, ଝିଙ୍କିରୀ ପ୍ରାଥମିକ ବିଦ୍ୟାଳୟ, ବ୍ରାହ୍ମଣୀ ଗାଁ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗିରିଧାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବରୁଣେଶ୍ୱର ପ୍ରାଥମିକ ବିଦ୍ୟାଳୟ, ରାମଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ, ତଳବନ୍ଧ ସରକାରୀ ଉଚ୍ଚ ବିଦ୍ୟାଳୟ, କେ.ସି. ହାଇସ୍କୁଲ, ଟିଣା, ମଇଁନ୍ଦା ୟୁ.ଜି.ଏମ.ଇ, ସ୍କୁଲ, ଉତଙ୍ଗରା ସରକାରୀ ହାଇସ୍କୁଲ, ସିଦ୍ଧେଶ୍ୱର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପି.କେ. ୟୁଜି ଏମ.ଇ.ସ୍କୁଲ, ଏ.ସି, ହାଇସ୍କୁଲ, ଫଳପୁର, ପ୍ରହଲାଦ ସରକାରୀ ହାଇସ୍କୁଲ, ମଲ୍ଲୀପୁର ଚନ୍ଦ୍ରମୁଁ ପ୍ରାଥମିକ ବିଦ୍ୟାଳୟ, କାଣ୍ଡିସାହି ପ୍ରାଥମିକ ବିଦ୍ୟାଳୟ, ବରକୋଟି ପ୍ରାଥମିକ ବିଦ୍ୟାଳୟ, ରାମଚନ୍ଦ୍ରପୁର ସରକାରୀ ଉଚ୍ଚ ବିଦ୍ୟାଳୟ, ମନେଇଶୁଣୀନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗଣ୍ଡକୂଳ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ, ଖରସ୍ରୋତା ହାଇସ୍କୁଲ (ଭୋକେସନାଲ ), ଏସ.ଜି. ହାଇସ୍କୁଲ ଆଦି ରହିଥିବା ଦେଖିବାକୁ ମିଳିଛି । ଡିପିସିଙ୍କ ଚିଠି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଂଚିବା ପରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ମେମୋ ସଂଖ୍ୟା – ୮୯୫ ତା ୧୪.୭.୨୦୨୫ ରିଖ ଅନୁଯାୟୀ ସମସ୍ତ ପ୍ରଧାନ ଶିକ୍ଷକ ମାନଙ୍କୁ ଏହି ମର୍ମରେ ଏହା ଜଣାଇ ଦିଆଯାଇଛି ।
