ଯାଜପୁର (ସରୋଜ କୁମାର ଧଳ) : ରାଜ୍ୟବାସୀ ବିଜେପିକୁ ଭୋଟ ଦେଇ କ୍ଷମତାକୁ ଆଣିଲେ। ବର୍ଷେ ବିତିଗଲା ପଛକେ ଯଦି ସୁଭଦ୍ରା ଯୋଜନାକୁ ଉନ୍ନତିମୂଳକ କାର୍ଯ୍ୟ ବୋଲି ଧରାଯିବ ତେବେ କୋଟି କୋଟି ମହିଳାଙ୍କୁ ଟଙ୍କା ବାଣ୍ଟି ଦେବା ବ୍ୟତୀତ ରାଜ୍ୟରେ କୌଣସି ପ୍ରକାର ଉନ୍ନତିମୂଳକ କାମ କରିପାରିଲା ନାହିଁ। ବଡବଡ ଶିଳ୍ପ କରିବା ତ ଦୂରର କଥା ରାସ୍ତାରେ ଚାରିଆଡେ ହୋଇଯାଇଥିବା ଖାଲଖମା ସବୁକୁ ମରାମତି କରିବାକୁ ସକ୍ଷମ ହୋଇପାରୁ ନାହାଁନ୍ତି। ଏଇଟା ଗୋଟେ ଅପାରଗ, ଅକର୍ମା ଓ ଦୁର୍ନୀତିଗ୍ରସ୍ତ ସରକାର ବୋଲି ଲୋକଙ୍କ ଭିତରେ ଗୋଟେ ଧାରଣା ସୃଷ୍ଟି ହୋଇଗଲାଣି ବୋଲି ଆଜି ଖଟିରେ ଯଦୁ ଭାଇ କହିଲେ।
ସେ କହିଲେ ଉଭୟ ବିଜେପି ଓ ବିଜେଡି ଭିତରେ ଚୋରା ପୀରତି ଚାଲିଥିବା କଥା କାହାରିକୁ ଅଛପା ନାହିଁ। ଏମିତି ଚୋରା ପୀରତି କାହିଁକି ଚାଲିଥିବ ବରଂ ବାହା ହୋଇଯାଇ ଘର ସଂସାର କରିଦିଅନ୍ତୁ। ଲିଭ୍ ଇନ୍ ରିଲେସନସିପ୍ରେ ଥାଇ ଏକାଠି ଖାଉଛ, ଏକାଠି ଶୋଉଛ ସେଇ କାମ ତ କରୁଛ। ତେଣୁ ରାଜ୍ୟବାସୀଙ୍କ ସ୍ୱାର୍ଥ ଓ ସମାଗ୍ରୀକ ବିକାଶ ଲାଗି ଦୁଇଦଳ ମିଶି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସରକାର ଗଢି ପାରିଲେ ରାଜ୍ୟର ମଙ୍ଗଳ ହୋଇପାରନ୍ତା।
ଏକଥା ଶୁଣି ବାବୁଲି ଭାଇ କହିଲେ କଂଗ୍ରେସକୁ ଅଟକାଇବା ପାଇଁ ବିଜେପି ରାଜ୍ୟରେ ଗୋଟେ ବିରୋଧି ଦଳ ତିଆରି କରିବାକୁ ଚାହୁଁଛି। ଦୁହେଁ ସଲାକୁସ୍ତି କରିବେ। ଆଗରୁ ବାହା ହୋଇ ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ଗୋଟିଏ ବେଡ୍ରେ ଶୋଉଥିଲେ। ତାପରେ ଛାଡପତ୍ର ହୋଇଗଲା। ହେଲେ ଭିତିରି ଭିତିରି ପ୍ରୀତି ଚାଲିଥିଲା। ଆଜିକାଲି ଯେମିତି ପୁଅ-ଝିଅମାନେ ବାହା ନହୋଇ ଗୋଟିଏ କ୍ୱାଟରରେ ସ୍ୱାମୀ-ସ୍ତ୍ରୀ ଭଳି ଲିଭ୍ ଇନ୍ରେ ରହୁଛନ୍ତି ସେମିତି ବିଜେପି ଓ ବିଜେଡି ବର୍ତ୍ତମାନ ସୁଦ୍ଧା ବାହାନହୋଇ ଲିଭ୍ଇନ୍ରେ ଅଛନ୍ତି। ସବୁକିଛି ଚାଲିଛି କେବଳମାତ୍ର ବୈବାହିକ ବନ୍ଧନରେ ବାନ୍ଧି ହୋଇନାହାଁନ୍ତି। ଚୋରା ପୀରତି ଚାଲିଛି। ହେଲେ ସେମାନେ କେବେବି ଏକାଠି ହେବେନି। କାହିଁକି ଜାଣିଛନ୍ତି ଏକାଠି ହେଲେ କଂଗ୍ରେସଟା ରାଜ୍ୟରେ ଉଠିଯିବ।
ସେ କହିଲେ ବିଜେପି ଚାହିଁଲେ ବିଭିନ୍ନ ଏଜେନ୍ସିକୁ ଲଗେଇ ବିଜେଡିକୁ ଛିନ୍ଛତ୍ର କରିଦେବ। ହେଲେ ଷ୍ଟ୍ରାଟେଜି ପାଇଁ ବିଜେପି ତାହା କରିବ ନାହିଁ। ବିଜେପି ହେଉଛି ଏକ ରାଷ୍ଟ୍ରୀୟ ଦଳ ଓ କଂଗ୍ରେସ ହେଉଛି ତାର ଏକମାତ୍ର ଶତ୍ରୁ। ମୋଟ 147 ଏକର ଜାଗାରୁ କଂଗ୍ରେସର ମାତ୍ର 14 ଏକର ଆଉ ବାକି ଜାଗା ସବୁକୁ ବିଜେପି ଓ ବିଜେଡି ମିଶି ମାଡି ବସିଛନ୍ତି। ଇଏ ଜାଗା ଛାଡିଲା ମାତ୍ରେ କଂଗ୍ରେସ ପଳାଇ ଆସି ଏକର ଏକର କରି ସବୁ ଜାଗା ନେଇଯିବ। ମିଶିକରି ସରକାର କଲେ ସରକାରକୁ ଆଉ ବିରୋଧ କରି ନପାରିବାରୁ ଗୋଟିଏ ଦଳ ବୋଲି ଗଣାହେବେ। ଏକୁଟିଆ କଂଗ୍ରେସ ବିରୋଧ କରି ଲୋକମାନଙ୍କର ଅସନ୍ତୋଷରୁ ଫାଇଦା ନେଇଯିବ। ନିର୍ବାଚନ ବେଳକୁ ଯଦି ଉଭୟ ବିଜେପି ଓ ବିଜେଡି ହାରିଯିବାର ସମ୍ଭାବନା ଦେଖାଦେବ ତେବେ ଯାଇ ଉଭୟ ମେଣ୍ଟ ସରକାର କରିପାରନ୍ତି। ଏବେ ଯଦି ଚୋରା ପୀରତି ନକରି ବିବାହ ବନ୍ଧନରେ ବାନ୍ଧି ହୋଇଯିବେ ତେବେ ସରକାରଙ୍କ ବିରୁଦ୍ଧରେ ଯେଉଁ ଅସନ୍ତୋଷଟା ଉଠୁଛି ସେଥିପାଇଁ ଦୁଇଜଣ ଯାକ ଦାୟି ହେବେ। କଂଗ୍ରେସ ଏକ ରାଷ୍ଟ୍ରୀୟ ଦଳ ହୋଇଥିବାରୁ ତା ପାଖରେ ପର୍ଯ୍ୟାପ୍ତ ଅର୍ଥ ସାଙ୍ଗକୁ ଲୋକବାକ ଓ କ୍ୟାଡର୍ ଆଦି ସବୁ ରହିଛି। ଯେମିତି ବିଜେପି ଥରେ ପଶି ଯିବାରୁ ତାକୁ ବାହାର କରିବା ସହଜ ହେଉନିି ସେମିତି ଥରେ ଯଦି କଂଗ୍ରେସ ପଶିଯିବ ତେବେ ବିଜେପିକୁ ଲଢିବା ଲାଗି ଭାରୀ କଷ୍ଟ ହେବ। ତେଣୁ ବିଜେଡି ସହିତ ଏମିତି ସଲାକୁସ୍ତି ଚାଲିଥିବ। ବିଜେଡି ବିଜେପି ବିରୁଦ୍ଧରେ ଭାଷଣବାଜି କରି ଗର୍ଜ୍ଜନ ତର୍ଜ୍ଜନ କରିବ ହେଲେ ତାର କୌଣସି ପ୍ରଭାବ ସରକାର ଉପରେ ପଡିବନି।
*ସେ କହିଲେ ବିଜେପି ନେତାମାନେ ଫୋନ୍ କରି ବିଜେଡି ନେତାଙ୍କୁ କହୁଛନ୍ତି ଆରେ ଘରେ କଅଣ ଶୋଇ ରହିଛ? ରାସ୍ତାକୁ ଆସି ଆମ ସରକାରକୁ ଗାଳିଗୁଳଜ କର।* ନହେଲେ ଭକ୍ତ ଦାସ କହିଲେ ସେ ସବୁ ମାଇଲେଜ୍ ନେଇଯିବ !!
ସରକାରରେ ଏମିତି ସବୁ ଡ୍ରାମା ହୁଏ। ଲୋକେ ଏସବୁ କିଛି କିଛି ବୁଝନ୍ତିନି। ତେଣୁ ବିଜେପି ଓ ବିଜେଡି ଏହି ଅବସ୍ଥାରେ ରହିବେ। ବିଜେପିର ଯାହା ଦରକାର ତାକୁ ବିଜେଡି ଦେବ ଆଉ ବିଜେଡିର ଯାହା ଦରକାର ହେବ ସେବସୁକୁ ବିଜେପି ପୂରଣ କରିବ। ୱାକଫ୍ ବିଲରେ ବିଜେପିର ଲୋକ ଦରକାର ପଡିଲା ତାକୁ ବିଜେଡି ଦେଲା। ଏମିତି ସବୁବେଳେ ଦେଇଚାଲିଛି କେବେବି ମନା କରିନି। ସେମିତି ବିଜେଡି ଚାହୁଁଛି ସେମାନଙ୍କର ୨୪ ବର୍ଷ ଶାସନ କାଳ ଭିତରେ ଅନେକ ଦୁର୍ନୀତି ହୋଇଛି l ତେଣୁ ଭାଇ ଆମକୁ ଟିକଏ ପ୍ରୋଟେକ୍ସନ୍ ଦିଅ। ବିଜେଡି ପ୍ରୋଟେକ୍ସନ୍ ଚାହୁଁଛି ଆଉ ବିଜେପି ଚାହୁଁଛି ଦରକାର ବେଳେ ସମର୍ଥନ।
ଦୁଇଜଣ ଯାକ ଭଲ ଆରେଞ୍ଜମେଣ୍ଟରେ ଅଛନ୍ତି। ବିଜେଡି ବେଳର ଟାର୍ଗେଟରେ ଥିବା କିଛି ଅଫିସର ଆରମରେ ଦିଲ୍ଲୀ ପଳାଇଗଲେ। ବିଜେଡିର କୌଣସି ଜଣାଶୁଣା ଦୁର୍ନୀତିଗ୍ରସ୍ତ ନେତାଙ୍କ ଉପରେ ଇଡି, ସିବିଆଇ ଅଥବା ଭିଜିଲାନ୍ସ ଭଳି କିଛି ଆଟାକ୍ ହେଉଛି କି ବୋଲି ପଚାରିଥିଲେ। ବରଂ ସେମାନଙ୍କୁ ବିଜେପି ପ୍ରୋଟେକ୍ସନ୍ ଦେଉଛି। ଏଭଳି ସବୁ ନେତାଙ୍କର ଯଦି କେହି ଅନେଷ୍ଟଲି ଫାଇଲ ଖୋଲି ତଦନ୍ତ କରିବ ତେବେ ଅନେକ ଲୁକ୍କାୟିତ ତଥ୍ୟ ପଦାକୁ ଆସିପାରିବ। ତାପରେ ଯାହା ହେବ ତାକୁ ବୁଝିପାରୁଥିବେ l ରାଜ୍ୟରେ ବସ୍ତୁତଃ ଗୋଟେ ଅଘୋଷିତ ମେଣ୍ଟ ସରକାରରେ ଡ୍ରାମାବାଜି ଚାଲିଛି। ଏମିତି ଦୁହେଁ ସଲାକୁସ୍ତି କରି ଦର୍ଶକମାନଙ୍କୁ ଭୁଆଁ ବୁଲାଉଥିବେ ବୋଲି କହିଥିଲେ।
