ବିଦ୍ୟୁତ୍ ଆଘାତରେ ଯୁବକଙ୍କ ମୃତ୍ୟୁ ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)::: ବାଲେଶ୍ବର ଜିଲ୍ଲା ସୋର ଥାନା ସବିରା ପଞ୍ଚାୟତ ଅନ୍ତର୍ଗତ ସବିରା ଗ୍ରାମ ଜେନା ସାହିରେ ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ସେହି ଗ୍ରାମର ଜେନାସାହିର ଶ୍ରୀକାନ୍ତ ଦାସ। ସୂଚନା ଅନୁସାରେ, ଆଜି ସକାଳେ ଶ୍ରୀକାନ୍ତ ଅଂଧୁଳିରେ ମାଛ ଦେଖିବାକୁ ଯାଇଥିଲେ। ସେଠାରେ ପୂର୍ବରୁ ଖସିପଡ଼ିଥିବା ଏକ ଜୀବନ୍ତ ବିଦ୍ୟୁତ ତାର ସଂସ୍ପର୍ଶରେ ସେ ଆସିଯିବାରୁ ଅଚେତ ହୋଇପଡ଼ିଥିଲେ। ଘଟଣା ସମ୍ପର୍କରେ ଜାଣିବା ପରେ ପରିବାର ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ସୋର ହସ୍ପିଟାଲକୁ ଆଣିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶ୍ରୀକାନ୍ତଙ୍କର ଦୁଇଟି ଛୋଟ କୁନିପିଲା ଅଛନ୍ତି ଏବଂ ସେ ହିଁ ନିଜ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ତାଙ୍କର ଏଭଳି ଅକାଳ ବିୟୋଗରେ ସମ୍ପୂର୍ଣ୍ଣ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବାବେଳେ ପରିବାରବର୍ଗଙ୍କ ମଧ୍ୟରେ କାନ୍ଦବୋବାଳି ପଡ଼ିଛି। ଶ୍ରୀକାନ୍ତ ସମ୍ପର୍କୀୟ ସମ୍ପୃକ୍ତ ପରିବାରକୁ ସରକାରୀ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି।
