ଅଳକୁଣ୍ଡ (ଉତ୍ତମ କୁମାର ଦାସ) : ଆଜିର ଖବରକାଗଜ ଆସନ୍ତା କାଲି ପାଇଁ ଇତିହାସ, ତେଣୁ ଏହାର ମୂଲ୍ୟ ବହୁ ଅଧିକ। ଖବରକାଗଜ ପ୍ରକାଶ ହେବାର କିଛି ଦିନ ପରେ ଆମେ ସେଥିରେ ପ୍ରକାଶିତ ତଥ୍ୟ ଖୋଜିଲେ ପାଇବା ଦୁର୍ବିସହ । ଅତ୍ୟନ୍ତ ଆବଶ୍ୟକତା ଥିଲେ ଖବରକାଗଜ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ ପଡ଼ିବ । ଠିକ ସେହିପରି ଅନେକ ସମୟରେ ବହୁ ଖବରକାଗଜ ପ୍ରକାଶ ହୋଇ ବନ୍ଦ ହେବାର ନଜିର ରହିଛି । ସେଗୁଡ଼ିକ ଖୋଜିଲେ ମଧ୍ୟ ମିଳିବ ନାହିଁ । ଏମିତି ଅନେକ କଥା ଚିନ୍ତା କରି ଜଣେ ବ୍ୟକ୍ତି ଗତ ୨୦୦୦ ମସିହାରୁ ଖବରକାଗଜ ସଂଗ୍ରହ କରୁଛନ୍ତି । ସେ ପ୍ରଥମେ ପ୍ରଥମେ ଓଡ଼ିଆ ଖବରକାଗଜ ସଂଗ୍ରହ ଆରମ୍ଭ କରିଥିଲେ । ପରେ ଓଡ଼ିଶାରୁ ପ୍ରକାଶ ପାଉଥିବା ଅନ୍ୟ ଭାଷାର ଖବରକାଗଜ ଓ ଏହା ପରେ ଭାରତର ବିଭିନ୍ନ ରାଜ୍ୟର ଖବରକାଗଜ ସଂଗ୍ରହ ଆରମ୍ଭ କରିଥିଲେ । ବହୁ ବନ୍ଧୁଙ୍କ ସହଯୋଗରୁ ପରେ ପରେ ଏଥିରେ ଯୋଡ଼ି ହୋଇଥିଲା ବିଦେଶୀ ଖବରକାଗଜ । ଇତିମଧ୍ୟରେ ତାଙ୍କ ନିକଟରେ ମୋଟ ଖବରକାଗଜ ସଂଖ୍ୟା ୧୨୦୦୦ରୁ ଅଧିକ ହୋଇଥିବା ବେଳେ ଏହା ୫୯୦୦ ପ୍ରକାରର ଅଟେ । ଏଗୁଡ଼ିକ ୧୭୨ଟି ଦେଶର ହୋଇଥିବାବେଳେ ୧୦୨ଟି ଭାଷାର ଅଟେ ।
ଏମିତି ଏକ ଭିନ୍ନ ଧରଣର କାର୍ଯ୍ୟ କରିଥିବା ସେହି ବ୍ୟକ୍ତି ଜଣକ ହେଉଛନ୍ତି ଯାଜପୁରର ପୁଅ ଶଶାଙ୍କ ଶେଖର ଦାଶ । ସେ ଖବରକାଗଜ ସଂଗ୍ରହ କରି ଗିନିସ ରେକର୍ଡ଼ ପ୍ରତିଷ୍ଠା କରିଥିବା ବେଳେ ନିଜକୁ ପେପରମ୍ୟାନ ଇଣ୍ଡିଆ ଭାବେ ପରିଚିତ କରାଇପାରିଛନ୍ତି। ଶଶାଙ୍କ ଶେଖର ଦାଶ ପେସାରେ ଜଣେ ସାମାଜିକ କର୍ମୀ ଓ ମୁକ୍ତ ବୃତ ସାମ୍ବାଦିକ। ସେ ୨୦୦୦ ମସିହାରେ ଏକ କ୍ଷୁଦ୍ର ଖବରକାଗଜରେ ସାମ୍ବାଦିକତା କରୁଥିଲେ । ସେହି ସମୟରେ ସେ ଦେଖିଲେ ଅନେକ ଛୋଟ ବଡ଼ ଖବରକାଗଜ ରାଜ୍ୟରେ ପ୍ରକାଶ ପାଉଛି । ଅନେକ ଖବରକାଗଜ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଖବରଗୁଡ଼ିକ ପ୍ରକାଶ କରିବା ସହ ସମାଜରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରଛନ୍ତି ଓ ବଜାରରେ ତିଷ୍ଠି ପାରୁଛନ୍ତି । ତେବେ ଆହୁରି ଅନେକ ଖବରକାଗଜ ବିଭିନ୍ନ କାରଣ ବଶଃତ ବନ୍ଦ ହୋଇଯାଉଛି କିମ୍ବା ସୁପ୍ତ ରହିଯାଉଛି । ଏଗୁଡ଼ିକ ସାଧାରଣ ବ୍ୟକ୍ତି, ସାମ୍ବାଦିକତା ଛାତ୍ର, ସାମ୍ବାଦିକ, ବୁଦ୍ଧିଜିବୀମାନଙ୍କର କାର୍ଯ୍ୟରେ ଲାଗିବ ବୋଲି ସେ ଚିନ୍ତା କଲେ ଓ ଖବରକାଗଜ ସଂଗ୍ରହ ଆରମ୍ଭ ହେଲା ।
ଖବରକାଗଜ ସଂଗ୍ରହ କରିବା ସହ ନିଜ ଗ୍ରାମ ଯାଜପୁର ଜିଲ୍ଲା ବରୀ ବ୍ଲକ ଅରଙ୍ଗାବାଦ ଗ୍ରାମରେ ସେ ତାଙ୍କ ବାପାଙ୍କ ନାମରେ ଦୋଳଗୋବିନ୍ଦ ନ୍ୟୁଜପେପର ମ୍ୟୁଜିୟମ ଆଣ୍ଡ ରିସର୍ଚ୍ଚ ସେଂଟର ପ୍ରତିଷ୍ଠା କରିଛନ୍ତି। ସେଠାରେ ତାଙ୍କର ସଂଗୃହିତ ଖବରକାଗଜ ସେ ସାଇତି ରଖିଛନ୍ତି । ପ୍ରତ୍ୟେକ ଖବରକାଗଜକୁ ଜରି ଦ୍ୱାରା ପ୍ୟାକେଟ କରାଯାଇଛି । ନିଜର ସ୍ୱଳ୍ପ ଆୟରେ ସେ ଯାହା ସମ୍ଭବ କରି ପାରିଛନ୍ତି । ତାଙ୍କ ମତରେ ଖବରକାଗଜର ବଡ଼ ଶତୃ ହେଉଛି ପବନ । ଏହାଦ୍ୱାରା ଖବରକାଗଜ ହଳଦିଆ ହେବା ଆରମ୍ଭ ହୋଇଥାଏ। ତେଣୁ ଏହାର ସଂରକ୍ଷଣ ଦରକାର। ଏଥିପାଇଁ ନିକଟରେ ଶ୍ରୀ ଦାଶ ରାଜ୍ୟ ସରକାରଙ୍କୁ ଏକ ସ୍ୱତନ୍ତ୍ର ଖବରକାଗଜ ମ୍ୟୁଜିୟମ ପ୍ରତିଷ୍ଠା ପାଇଁ ପରାମର୍ଶ ପ୍ରଦାନ କରିଛନ୍ତି । ସେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଏଥିପାଇଁ ଏକ ଇମେଲ କରିଛନ୍ତି । ଯଦି ସରକାର ଏକ ମ୍ୟୁଜିୟମ ପ୍ରତିଷ୍ଠା କରନ୍ତି ତେବେ ଏଗୁଡ଼ିକ ସୁରକ୍ଷିତ ରହିପାରିବ ଓ ସାଧାରଣ ଲୋକଙ୍କ କାର୍ଯ୍ୟରେ ଲାଗି ପାରିବ । ଏହାଛଡ଼ା ତାଙ୍କର ଶ୍ରମ ସାର୍ଥକ ହେବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଶଶାଙ୍କ ପୂର୍ବରୁ ତିନିଥର ଲିମକା ବୁକ ଅଫ ରେକର୍ଡ଼ସ, ଥରେ ଇଣ୍ଡିଆ ବୁକ ଅଫ ରେକର୍ଡ଼ସ, ଥରେ କ୍ରେଡ଼େନ୍ସ ବୁକ ଅଫ ୱାଲ୍ଡ ରେକର୍ଡ଼ସ ଓ ଥରେ ଓଏମଜି ରେକର୍ଡ଼ ବୁକରେ ସାମିଲ ହୋଇଛନ୍ତି ।
ଶଶାଙ୍କଙ୍କ ନିକଟରେ ଓଡ଼ିଶାର ପ୍ରଥମ ଖବରକାଗଜ ଉତ୍କଳ ଦୀପିକାର ୧୯୩୦ ମସିହା ସଂଖ୍ୟା, ପାଟଣା ଦୀପିକାର ୧୯୪୫ ମସିହା ସଂଖ୍ୟା, ମାତୃଭୂମୀର ୧୯୫୩ ମସିହା ସଂଖ୍ୟା, ସମାଜର ୧୯୬୫ ମସିହା ସଂଖ୍ୟା, ପ୍ରଜାତନ୍ତ୍ରର ୧୯୫୬ ମସିହା ସଂଖ୍ୟା ି, ଦୈନିକ ମାତୃଭୂମୀର ୧୯୭୧ ମସିହା କପି, ି, ବିଜୁ ପଟ୍ଟନାୟକଙ୍କ କଳିଙ୍ଗର ୧୯୭୧ ମସିହା କପି ଆଦି ସଂଗୃହିତ ହୋଇ ପାରିଛି ।
ଶଶାଙ୍କଙ୍କ ସଂଗ୍ରହରେ ରହିଥିବା ସମସ୍ତ ଖବରକାଗଜ ମଧ୍ୟରେ ୧୮୪୦ ମସିହାର କାଥିଆୱାଡ଼ା (ଗୁଜୁରାଟୀ) ସବୁଠୁ ପୁରାତନ ଖବରକାଗଜ ଅଟେ । ତାଙ୍କ ନିକଟରେ କଳିଙ୍ଗ, ଓଡ଼ିଶା ଓ ଉତ୍କଳ ନାମ ଥାଇ ୧୦୦ରୁ ଅଧିକ ଖବରକାଗଜ ରହିଥିବାବେଳେ ଓଡ଼ିଶାରୁ ପ୍ରକାଶିତ ୨୧୨ ପ୍ରକାର ଦୈନିକ ଖବରକାଗଜ ରହିଛି । ସେହିପରି ମୋଟ ୧୬୦୦ରୁ ଅଧିକ ଓଡ଼ିଶାର ଖବରକାଗଜ ସେ ସଂଗ୍ରହ କରିପାରିଛନ୍ତି । ଖବରକାଗଜକୁ ନେଇ ତାଙ୍କର କ୍ଷୁଦ୍ର ପୁସ୍ତକ ଖବରକାଗଜ ଅନେକ କଥା ପାଠକମାନଙ୍କ ଦ୍ୱାରା ଆଦୃତ ହୋଇଥିବାବେଳେ ଅଧୁନା ସେ ଅନ୍ୟ ଏକ ପୁସ୍ତକ ପ୍ରକାଶ ନିମନ୍ତେ କାର୍ଯ୍ୟ କରୁଛନ୍ତି ।
ଖବରକାଗଜ ଅନେକ କଥା ପୁସ୍ତକ ସହ ତାଙ୍କର ମୋଟ ୭ଟି କ୍ଷୁଦ୍ର ପୁସ୍ତକ ବିଭିନ୍ନ ସମୟରେ ପ୍ରକାଶ ପାଇଛି । ତାଙ୍କର ବଡ଼ ଲୋକଙ୍କ ପିଲାଦିନ ପୁସ୍ତକଟି ରାଜା ରାମମୋହନ ରାୟ ଲାଇବ୍ରେରୀ କ୍ରୟ କରିଛି । ସେ ଶିଶୁ ପ୍ରତିଯୋଗୀ ନାମକ ଓଡ଼ିଶାର ପ୍ରଥମ ଶିଶୁ ଖବରକାଗଜ ମଧ୍ୟ ପ୍ରକାଶ କରୁଥିଲେ । ଯାହା ଅଧୁନା ବନ୍ଦ ରହିଛି ।
ଯଦି କାହା ପାଖରେ କିଛି ପୁରୁଣା ଓ ନୂଆ ଖବରକାଗଜ ଅଛି ତାହା ସେ ଦାନ କରିବାକୁ ଚାର୍ହୁଛନ୍ତି ତେବେ ତାଙ୍କ ସହ ଯୋଗାଯୋଗ କରିପାରିବେ । ତାଙ୍କ ନମ୍ବର ହେଉଛି- ୯୮୬୧୧୭୨୬୦୫
