ଧରାକୋଟ ବ୍ଲକରେ ବିଡିଓ ପଦବୀ ଖାଲି: ୫ ମାସ ହେଲା ଅଚଳାବସ୍ଥା, ୧୨ ଦିନ ଧରି ବିଦ୍ୟୁତ ବିଭ୍ରାଟରେ ହନ୍ତସନ୍ତ ଲୋକେ ।
ଧରାକୋଟ, ୨୨/୦୯/୨୦୨୬: ସାଧାରଣ ଲୋକଙ୍କ ପାଇଁ ଧରାକୋଟ ବ୍ଲକ କାର୍ଯ୍ୟାଳୟ ଏବେ ଅଭିଯୋଗ ଓ ଦୁର୍ଦ୍ଦଶାର କେନ୍ଦ୍ର ପାଲଟିଛି। ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଲୋକେ ବାରମ୍ବାର ବ୍ଲକ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଉଥିଲେ ମଧ୍ୟ ଆଶାନୁରୂପ ସୁଫଳ ମିଳୁନଥିବା ଅଭିଯୋଗ ହେଉଛି। ଏହାକୁ ନେଇ ଧରାକୋଟ ବ୍ଲକ ପ୍ରଶାସନ ଉପରେ ଲୋକଙ୍କ ଆସ୍ଥା କ୍ରମଶଃ କମୁଥିବା ସ୍ଥାନୀୟ ଲୋକେ କହିଛନ୍ତି।ଗତ ମେ ମାସଠାରୁ ପ୍ରାୟ ପାଞ୍ଚ ମାସ ହେଲା ଧରାକୋଟ ବିଡିଓ ପଦବୀ ଖାଲି ପଡ଼ିଛି। ବର୍ତ୍ତମାନ ଶେରଗଡ଼ ବିଡିଓଙ୍କୁ ଧରାକୋଟ ବ୍ଲକର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଫଳରେ ସେ ନିଜ ବ୍ଲକର ଦାୟିତ୍ୱ ସମ୍ଭାଳିବା ସହ ସମୟ ଓ ସୁବିଧା ଅନୁସାରେ ଧରାକୋଟ ଆସୁଥିବାରୁ ବ୍ଲକର ବିଭିନ୍ନ ପ୍ରଶାସନିକ କାର୍ଯ୍ୟ ପ୍ରଭାବିତ ହେଉଥିବା ଅଭିଯୋଗ ରହିଛି।ଅନ୍ୟପଟେ, ଗତ ୯ ତାରିଖରେ ସର୍ଟ ସର୍କିଟ ଯୋଗୁଁ ସୁଇଚ୍ ବୋର୍ଡରେ ନିଆଁ ଲାଗିଯିବା ପରେ ବିଡିଓ, ଏବିଡିଓ ଓ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟାଳୟରେ ବିଦ୍ୟୁତ ସମସ୍ୟା ଦେଖାଦେଇଛି। ଏହାର ପ୍ରଭାବରେ ପ୍ରାୟ ୧୨ ଦିନ ଧରି ବ୍ଲକର ବହୁ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ଜଣାପଡ଼ିଛି। ସମସ୍ୟାର ତୁରନ୍ତ ସମାଧାନ କରିବା ପରିବର୍ତ୍ତେ ବିଡିଓ ନଥିବାକୁ ଦାୟୀ କରି ପ୍ରଶାସନିକ ଅଧିକାରୀମାନେ ନିରବ ରହୁଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି।ବିଡିଓଙ୍କ ଅନୁପସ୍ଥିତିର ପ୍ରଭାବ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ମଧ୍ୟ ପଡ଼ୁଥିବା କୁହାଯାଉଛି। ଉନ୍ନୟନ କାର୍ଯ୍ୟର ବିଲ୍ ପୈଠରେ ବିଳମ୍ବ ହେଉଥିବା ବେଳେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ମଧ୍ୟ ଆବଶ୍ୟକ ପ୍ରଶାସନିକ ଉପସ୍ଥିତି ରହୁନଥିବା ଅଭିଯୋଗ ରହିଛି। ବ୍ଲକରେ ହେଉଥିବା ଜନସଚେତନତା କାର୍ଯ୍ୟକ୍ରମ ଓ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନାର କାର୍ଯ୍ୟାନ୍ୱୟନ ମଧ୍ୟ ପ୍ରଭାବିତ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।ଦୂରଦୂରାନ୍ତରୁ ନିଜର ବ୍ୟକ୍ତିଗତ ଓ ସାମୂହିକ ସମସ୍ୟା ନେଇ ବ୍ଲକ କାର୍ଯ୍ୟାଳୟକୁ ଆସୁଥିବା ଲୋକେ ବିଡିଓଙ୍କ ଅନୁପସ୍ଥିତି ଯୋଗୁଁ ନିରାଶ ହୋଇ ଫେରୁଥିବା କୁହାଯାଉଛି। ରାସନ କାର୍ଡ, ପାନୀୟ ଜଳ, ବାର୍ଦ୍ଧକ୍ୟ ଭତ୍ତା ଓ ଗମନାଗମନ ଭଳି ମୌଳିକ ସମସ୍ୟା ନେଇ ଲୋକେ ନିଜର ଅଭିଯୋଗ ଜଣାଇବାରେ ମଧ୍ୟ ଅସୁବିଧା ଭୋଗୁଥିବା ଅଭିଯୋଗ ହୋଇଛି।ବିଶେଷକରି, ଦୀର୍ଘଦିନ ଧରି ବାର୍ଦ୍ଧକ୍ୟ ଭତ୍ତା ମଞ୍ଜୁର ହୋଇଥିଲେ ମଧ୍ୟ ବିଡିଓଙ୍କ ଦସ୍ତଖତ ନହେବାରୁ କେତେକ ଭତ୍ତା ବଣ୍ଟନ ହୋଇପାରୁନଥିବା ଅଭିଯୋଗ ଆସିଛି। ଅନ୍ୟପକ୍ଷରେ, ଅନେକ ବୃଦ୍ଧବୃଦ୍ଧା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ମାସ ମାସ ଧରି ଟଙ୍କା ଜମା ହେଉନଥିବା ଏବଂ କେତେକଙ୍କ ଫିଙ୍ଗରପ୍ରିଣ୍ଟ ସମସ୍ୟା ନେଇ ଅଭିଯୋଗ ରହିଛି। ସମସ୍ୟା ନେଇ ବ୍ଲକକୁ ଆସିଲେ ମଧ୍ୟ ଉପଯୁକ୍ତ ଅଧିକାରୀଙ୍କୁ ଅଭିଯୋଗ ଜଣାଇ ନପାରି ହିତାଧିକାରୀମାନେ ଫେରୁଥିବା କୁହାଯାଉଛି।ଏଥିସହ ୧୮ଟି ପଞ୍ଚାୟତ ପାଇଁ ଆବଶ୍ୟକ ୬ ଜଣ କନିଷ୍ଠ ଯନ୍ତ୍ରୀଙ୍କ ସ୍ଥାନରେ ମାତ୍ର ୨ ଜଣ କନିଷ୍ଠ ଯନ୍ତ୍ରୀ କାର୍ଯ୍ୟରତ ଅଛନ୍ତି। ୪ଟି କନିଷ୍ଠ ଯନ୍ତ୍ରୀ, ଜଣେ କନିଷ୍ଠ କିରାଣୀ ଓ ୪ ଜଣ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ପଦବୀ ଖାଲି ରହିଥିବା ଜଣାପଡ଼ିଛି। ଏଭଳି କର୍ମଚାରୀ ଅଭାବ ମଧ୍ୟରେ ବ୍ଲକର ଉନ୍ନୟନ କାର୍ଯ୍ୟ କିପରି ଚାଲିଛି, ତାହା ନେଇ ପ୍ରଶ୍ନ ଉଠିଛି।ବିଭିନ୍ନ ବିଭାଗର ଫାଇଲରେ ବିଡିଓଙ୍କ ଦସ୍ତଖତ ଆବଶ୍ୟକ ହେଉଥିବାରୁ ଅଧିକାରୀ ଓ କର୍ମଚାରୀଙ୍କୁ ବାରମ୍ବାର ଶେରଗଡ଼ ଯିବାକୁ ପଡ଼ୁଥିବା ଅଭିଯୋଗ ରହିଛି। ଏହାଦ୍ୱାରା ସମୟ ଓ ସରକାରୀ କାର୍ଯ୍ୟରେ ବିଳମ୍ବ ହେଉଥିବା ମଧ୍ୟ କୁହାଯାଉଛି।ପାଞ୍ଚ ମାସ ଧରି ବିଡିଓ ପଦବୀ ଖାଲି ରହିବା ସହ ୧୨ ଦିନ ଧରି ବିଦ୍ୟୁତ ସମସ୍ୟା ଯୋଗୁଁ ବ୍ଲକ କାର୍ଯ୍ୟାଳୟର କାମ ପ୍ରଭାବିତ ହେବା ଏବଂ ବିଭିନ୍ନ ପଦବୀ ଖାଲି ରହିବା ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ଏଭଳି ସ୍ଥିତିରେ ଧରାକୋଟ ବ୍ଲକରେ ଖାଲି ପଡ଼ିଥିବା ପଦବୀଗୁଡ଼ିକ ଶୀଘ୍ର ପୂରଣ କରିବା ସହ ବିଡିଓ ପଦବୀରେ ନିୟମିତ ଅଧିକାରୀ ନିଯୁକ୍ତି ଏବଂ ବିଦ୍ୟୁତ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ଧରାକୋଟରୁ ବାପୁନି ସେଠୀଙ୍କ ରିପୋର୍ଟ ଭଞ୍ଜଦୁତ ନିୟୁଜ୍ ।
