*ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ବୃନ୍ଦାବନ ଚନ୍ଦ୍ରପୁରରେ ନିମ୍ନମାନର ଖାଦ୍ୟ ଅଭିଯୋଗ: ଛାତ୍ରଛାତ୍ରୀଙ୍କ ଦ୍ୱାରା ରାସ୍ତାରୋକ ଓ ୧୦ କି.ମି. ଚାଲି ଚାଲି ଗଲେ*
(ଭଞ୍ଜଦୂତ ଖବର) : ମୟୁରଭଞ୍ଜ ଖୁଣ୍ଟା ବ୍ଲକରେ ଥିବା
ବୃନ୍ଦାବନ ଚନ୍ଦ୍ରପୁର ସ୍ଥିତ ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାର୍ଥୀମାନଙ୍କୁ ପ୍ରଦାନ କରାଯାଉଥିବା ଭୋଜନ (ପୋକରା ଚାଉଳ)ର ମାନ ଅତି ନିମ୍ନମାନର, ପାନୀୟ ଜଳ ଯୋଗାଣ ସମସ୍ୟା, ବିଦ୍ୟୁତ୍ ସମସ୍ୟା ହୋଇଥିବା ଅଭିଯୋଗ କରି ଛାତ୍ରଛାତ୍ରୀମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଖାଦ୍ୟର ଗୁଣବତ୍ତା ନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ ବିଦ୍ୟାଳୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନ ନେବାରୁ ଶେଷରେ ବାଧ୍ୟ ହୋଇ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ୧୦୦ ଅନ୍ତେବାସୀ ଛାତ୍ର ଓ ୧୫୦ ଅନ୍ତେବାସୀ ଛାତ୍ରୀମାନେ ରାସ୍ତାରୋକ କରି ପ୍ରତିବାଦ ଜଣାଇଛନ୍ତି। ସେଥି ମଧ୍ୟରୁ କିଛି ଛାତ୍ର ଛାତ୍ରୀ ଅଭିଯୋଗ ଜଣାଇବାକୁ ପ୍ରାୟ ୧୦ କି.ମି. ଚାଲି ଚାଲି ଖୁଣ୍ଟା ବ୍ଲକକୁ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।
ଛାତ୍ରଛାତ୍ରୀମାନଙ୍କ କହିବା ଅନୁଯାୟୀ, ବିଦ୍ୟାଳୟରେ ଅଗଷ୍ଟ ମାସରୁ ପ୍ରତିଦିନ ଦିଆଯାଉଥିବା ଖାଦ୍ୟ ଅତ୍ୟନ୍ତ ନିମ୍ନମାନର, ଅପରିଷ୍କାର ଏବଂ ଖାଇବା ଅନୁପଯୋଗୀ।
ଏହି ସମସ୍ୟା ବାବଦରେ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଜଣାଯାଇଥିଲା ଏବଂ ପରିଚାଳନା କମିଟି ମଧ୍ୟ ଏହାକୁ ସୁଧାରିବା ପାଇଁ କୌଣସି ପଦକ୍ଷେପ ନେଇନଥିଲେ।
ପିଲାମାନଙ୍କ ସ୍ୱାସ୍ଥ୍ୟ ସହ ଖେଳାଯାଉଥିବା ଅଭିଯୋଗ ଆଣି ଶେଷରେ ସେମାନେ ରାସ୍ତା ଉପରେ ବସି ବିକ୍ଷୋଭ ପ୍ରଦର୍ଶନ କରିବା ସହ କିଛି ଛାତ୍ର ଛାତ୍ରୀ ପ୍ରାୟ ୧୦ କି.ମି. ଚାଲି ଚାଲି ଖୁଣ୍ଟା ବ୍ଲକକୁ ଯାଉଥିବା ଅବସ୍ଥାରେ ପ୍ରଶାସନ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ଛାତ୍ର ଛାତ୍ରୀ ମାନେ ଦୌଡ଼ି ପଳାଇଥିବାର ଦେଖିବାକୁ ମିଳିଛି।
ଏହି ପ୍ରତିବାଦ ଫଳରେ ରାସ୍ତାରେ କିଛି ଘଣ୍ଟା ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା ଏବଂ ଉଭୟ ପାର୍ଶ୍ୱରେ ଗାଡ଼ିଗୁଡ଼ିକ ଅଟକି ରହିଥିଲା। ଘଟଣାସ୍ଥଳରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା।
ପାଠ ପଢ଼ିବା ବୟସରେ ନିଜ ଅଧିକାର ଓ ଖାଦ୍ୟର ଗୁଣବତ୍ତା ପାଇଁ ଏଭଳି ଘଟଣା ଶିକ୍ଷା ବ୍ୟବସ୍ଥା ଓ ବିଦ୍ୟାଳୟର ପରିଚାଳନା କମିଟିକୁ ନେଇ ଅନେକ ପ୍ରଶ୍ନ ଉଠାଇବା ସହିତ ଏହି ଘଟଣା ପରେ ଅଞ୍ଚଳର ଅଭିଭାବକ ମହଲରେ ମଧ୍ୟ ଗଭୀର ଅସନ୍ତୋଷ ଦେଖାଦେଇଛି।
