ଦୁଇ ଶିଶୁଙ୍କ ଖେଳକୁ ନେଇ ତୁମୁଳକାଣ୍ଡ ସହ ୱାର୍ଡ଼ ମେମ୍ବର ଙ୍କ ବର୍ବର କାଣ୍ଡ: ଗାଁ ରାସ୍ତାରେ ୭ବର୍ଷର ନାବାଳକ କୁ କାଚାଡିଲା
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ମାଣିତ୍ରୀ ପଞ୍ଚାୟତର ରଙ୍ଗବତୀ ଗ୍ରାମରେ ଏକ ଅତ୍ୟନ୍ତ ଅଭାବନୀୟ ଏବଂ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଦୁଇ ଶିଶୁଙ୍କ ସାଧାରଣ ଖେଳକୁ କେନ୍ଦ୍ର କରି ଜଣେ ୱାର୍ଡ ମେମ୍ବର ୭ ବର୍ଷର ଜଣେ ନାବାଳକକୁ ନିର୍ମମ ଭାବେ ପକ୍କା ରାସ୍ତାରେ କଚାଡ଼ି ହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଗ୍ରାମରେ ପିଲାମାନେ ପରସ୍ପର ଭିତରେ ଖେଳୁଥିବା ସମୟରେ କୌଣସି ଏକ କଥାକୁ ନେଇ ପାଟିତୁଣ୍ଡ ଓ ଝଗଡ଼ା ହୋଇଥିଲା। ଏହି ସମୟରେ ଉତ୍କ୍ଷିପ୍ତ ହୋଇ ୱାର୍ଡ ମେମ୍ବର ରମାକାନ୍ତ ଦଳେଇ ପୁରୁଷୋତ୍ତମ ଦାସଙ୍କ ୭ ବର୍ଷର ପୁଅ ଶୁଭଙ୍କରଙ୍କୁ ଅତି ନିର୍ମମ ଭାବେ ପକ୍କା ରାସ୍ତାରେ କଚାଡ଼ି ଦେଇଥିଲେ। ଫଳରେ ଶିଶୁଟି ଗୁରୁତର ଭାବେ ଆହତ ହୋଇ ଅଚେତ ହୋଇପଡ଼ିଥିଲା।ପରିବାର ଲୋକେ ଏବଂ ସ୍ଥାନୀୟ ବାସିନ୍ଦାମାନେ ଗୁରୁତର ଅବସ୍ଥାରେ ଶୁଭଙ୍କରକୁ ଉଦ୍ଧାର କରି ପ୍ରଥମେ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ତାଙ୍କ ଅବସ୍ଥା ଅଧିକ ସାଂଘାତିକ ହେବାରୁ ତାଙ୍କୁ ତୁରନ୍ତ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ବର୍ତ୍ତମାନ ମଧ୍ୟ ଶିଶୁଟିର ସ୍ୱାସ୍ଥ୍ୟ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି। ଜଣେ ଦାୟିତ୍ୱସମ୍ପନ୍ନ ଜନପ୍ରତିନିଧି (ୱାର୍ଡ ମେମ୍ବର) ହୋଇ ମଧ୍ୟ ରମାକାନ୍ତ ଦଳେଇଙ୍କ ଏଭଳି ଅମାନୁଷିକ ଓ କ୍ରୂର ଆଚରଣକୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ନିନ୍ଦା କରାଯାଇଛି। ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା କଥା ଯେଉଁଠି ଜନପ୍ରତିନିଧିଙ୍କର, ସେଠାରେ ଜଣେ ନିରୀହ ଶିଶୁ ପ୍ରତି ଏଭଳି ପଶୁବତ୍ ଆଚରଣ ସମାଜରେ ଗଭୀର ଶୋକ ଏବଂ କ୍ରୋଧର ବାତାବରଣ ସୃଷ୍ଟି କରିଛି। ଘଟଣା ପରେ ସୋର ପୋଲିସ ଖବର ପାଇ ତୁରନ୍ତ ତଦନ୍ତ ଆରମ୍ଭ କରିଛି ଏବଂ ଅଭିଯୁକ୍ତଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।
