ଢେଙ୍କାନାଳ ଜିଲ୍ଲା ପରିଷଦର ସାଧାରଣ ବୈଠକ ଅନୁଷ୍ଠିତ
ଢେଙ୍କାନାଳ, (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ଭଞ୍ଜଦୂତ ଖବର) 18/09/2026
ଢେଙ୍କାନାଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଆଜି ଜିଲ୍ଲା ପରିଷଦର ଦ୍ୱାଦଶ ସାଧାରଣ ବୈଠକ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ହିନ୍ଦୋଳ ବିଧାୟିକା ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷା ଶ୍ରୀମତୀ ସୀମାରାଣୀ ନାୟକ, ପରଜଙ୍ଗ ବିଧାୟକ ଶ୍ରୀ ବିଭୂତି ଭୂଷଣ ପ୍ରଧାନ, କାମାକ୍ଷାନଗର ବିଧାୟକ ଶ୍ରୀ ଶତ୍ରୁଘ୍ନ ଜେନା, ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ, ଡି.ଏଫ.ଓ ଶ୍ରୀ ଲଳିତ କୁମାର ପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଦୀପ୍ତି ରଞ୍ଜନ ସେଠୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ବିଳାସିନୀ ସେଠୀ, ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ ଶ୍ରୀମତୀ ସୌଦାମିନୀ ସାହୁଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ଜିଲ୍ଲା ପରିଷଦ ସଦସ୍ୟ/ସଦସ୍ୟାମାନେ ଯୋଗଦେଇଥିଲେ।
ବୈଠକରେ ବିଭିନ୍ନ ବିଭାଗ ପକ୍ଷରୁ ସେମାନଙ୍କ ଅଧୀନରେ କାର୍ଯ୍ୟକାରୀ ହେଉଥିବା ସରକାରୀ ଯୋଜନା, କାର୍ଯ୍ୟକ୍ରମ ଓ ଉନ୍ନୟନମୂଳକ କାର୍ଯ୍ୟର ସ୍ଥିତି ସମ୍ପର୍କରେ ଜିଲ୍ଲା ପରିଷଦ ସଦସ୍ୟମାନଙ୍କୁ ଅବଗତ କରାଯାଇଥିଲା।
ବୈଠକରେ କୃଷି ଓ କୃଷକ କଲ୍ୟାଣ, ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍ ସେବା, ସ୍ୱାସ୍ଥ୍ୟ ଓ ଶିକ୍ଷା, ଗୃହ ନିର୍ମାଣ, ରାସ୍ତା ଓ ଅନ୍ୟାନ୍ୟ ଭିତ୍ତିଭୂମି ବିକାଶ, ଜଳସେଚନ, ସାମାଜିକ ସୁରକ୍ଷା, ମହିଳା ଓ ଶିଶୁ କଲ୍ୟାଣ, ଖାଦ୍ୟ ସୁରକ୍ଷା, ଜୀବିକା ଏବଂ ବିଭିନ୍ନ ଯୋଜନାର ଅଗ୍ରଗତି ସମ୍ପର୍କରେ ଆଲୋଚନା ହୋଇଥିଲା।
ଗ୍ରାମାଞ୍ଚଳରେ ମୌଳିକ ସୁବିଧାର ବିକାଶ, ଉନ୍ନତ ଯୋଗାଯୋଗ ବ୍ୟବସ୍ଥା, ପାନୀୟ ଜଳ ଉପଲବ୍ଧତା, ଗୁଣାତ୍ମକ ଶିକ୍ଷା ଓ ସ୍ୱାସ୍ଥ୍ୟସେବା, କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଜୀବିକା ସୁଯୋଗ ସୃଷ୍ଟି ଏବଂ ସାମାଜିକ ସୁରକ୍ଷା ଯୋଜନାର ସୁଚାରୁ କାର୍ଯ୍ୟାନ୍ୱୟନ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।
ବୈଠକରେ ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ଯେପରି ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରିବ, ସେଥିପାଇଁ ବିଭାଗୀୟ ସମନ୍ୱୟ ଓ ନିୟମିତ ସମୀକ୍ଷାର ଆବଶ୍ୟକତା ଉପରେ ମଧ୍ୟ ଆଲୋଚନା ହୋଇଥିଲା l ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ଶିକ୍ଷା ବ୍ୟବସ୍ଥା ଓ ଭିତ୍ତିଭୂମିକୁ ଆହୁରି ଉନ୍ନତ କରିବା ଉପରେ ହିନ୍ଦୋଳ ବିଧାୟିକା ଗୁରୁତ୍ୱ ଦେଇଥିଲେ।
କାମାକ୍ଷାନଗର ବିଧାୟକ ଶ୍ରୀ ଜେନା ଅଚଳ ନଳକୂପଗୁଡ଼ିକର ଶୀଘ୍ର ମରାମତି ଓ ପୁନଃକାର୍ଯ୍ୟକ୍ଷମ ଓ ନୂତନ ନଳକୂପ ଉପରେ ଗୁରୁତ୍ୱ ଦେଇଥିଲେ।
ଗୁଡ଼ିଆକାଟେଣୀ–ହିନ୍ଦୋଳ ରାସ୍ତାଗୁଡ଼ିକର ମରାମତି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ।
ବୈଠକରେ ବିଧାୟକ ମାନେ ସରକାରଙ୍କ ବିଭିନ୍ନ ଯୋଜନା ଯୋଗ୍ୟ ହିତାଧିକାରୀମାନେ ଯେପରି ସରକାରୀ ସୁବିଧାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।
ଜନସାଧାରଣଙ୍କ ଆବଶ୍ୟକତାକୁ ପ୍ରାଥମିକତା ଦେଇ ବିକାଶମୂଳକ କାର୍ଯ୍ୟର ଗୁଣବତ୍ତା ଓ ସମୟବଦ୍ଧ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ଉପରେ ବୈଠକରେ ଆଲୋଚନା ହୋଇଥିଲା।
