ରାୟଗଡରେ ଜିଲ୍ଲାସ୍ତରୀୟ ଦିଶା ବୈଠକ ଅନୁଷ୍ଠିତ
ବିଭିନ୍ନ କେନ୍ଦ୍ରୀୟ ଯୋଜନାର ପ୍ରଗତି ଓ କାର୍ଯ୍ୟାନ୍ୱୟନର ସମୀକ୍ଷା
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନି:ପ୍ର)
ରାୟଗଡ, ୧୯/୦୯/୨୦୨୬: ରାୟଗଡ ଜିଲ୍ଲାପାଳ ସମ୍ମିଳନୀ କକ୍ଷଠାରେ ଆଜି ଜିଲ୍ଲାସ୍ତରୀୟ ଦିଶା ବୈଠକ ମାନ୍ୟବର କୋରାପୁଟ ଲୋକସଭା ସାଂସଦ ଶ୍ରୀ ସପ୍ତଗିରି ଶଙ୍କର ଉଲାକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାୟଗଡ ବିଧାୟକ ଶ୍ରୀ କଡ୍ରାକା ଆପାଲା ସ୍ୱାମୀ, ଗୁଣପୁର ବିଧାୟକ ଶ୍ରୀ ସତ୍ୟଜିତ ଗମାଙ୍ଗୋ, ବିଷମକଟକ ବିଧାୟକ ଶ୍ରୀ ନୀଳମାଧବ ହିକକା, ରାୟଗଡ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝୀ, CDO-cum-EO ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ନିହାର ରଞ୍ଜନ କହର, ରାୟଗଡ ଉପଜିଲ୍ଲାପାଳ ସୁଶ୍ରୀ ମୃଣାଳିକା ରାଠୋର, ଗୁଣପୁର ଉପଜିଲ୍ଲାପାଳ ଶ୍ରୀ ଦୁଧାଳ ଅଭିଷେକ ଦିଲ୍ଲୀପଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ ପଦାଧିକାରୀମାନେ ଉପସ୍ଥିତ ଥିଲେ।
ବୈଠକରେ ଜିଲ୍ଲାରେ କାର୍ଯ୍ୟକାରୀ ବିଭିନ୍ନ କେନ୍ଦ୍ରୀୟ ଯୋଜନା, ବିକାଶମୂଳକ ପ୍ରକଳ୍ପ, ଭିତ୍ତିଭୂମି ଉନ୍ନୟନ ଏବଂ ଲୋକକଲ୍ୟାଣମୂଳକ କାର୍ଯ୍ୟର ପ୍ରଗତି ସମୀକ୍ଷା କରାଯାଇଥିଲା। ୨୦୨୩-୨୪ରୁ ୨୦୨୫-୨୬ ଆର୍ଥିକ ବର୍ଷରେ MPLAD ଅଧୀନରେ ଅନୁମୋଦିତ ଓ ଅବଶିଷ୍ଟ କାର୍ଯ୍ୟଗୁଡ଼ିକର ପ୍ରଗତି ନେଇ ସମୀକ୍ଷା କରାଯାଇଥିଲା। ଅବଶିଷ୍ଟ କାର୍ଯ୍ୟଗୁଡ଼ିକୁ ଏକ ମାସ ମଧ୍ୟରେ ସମାପ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ବିଷମକଟକ, ଗୁଣପୁର ଓ ରାୟଗଡ ଅଞ୍ଚଳରେ MPLAD ଅଧୀନରେ ଅନୁମୋଦିତ ଶ୍ରେଣୀଗୃହ ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବାକୁ କୁହାଯାଇଥିଲା।
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଖରିଫ୍ ୨୦୨୬ କାର୍ଯ୍ୟାନ୍ୱୟନ ନେଇ ବିସ୍ତୃତ ସମୀକ୍ଷା କରାଯାଇଥିଲା। ଏହି ଯୋଜନାରେ ଜିଲ୍ଲାର ୪୯,୯୬୬ ଜଣ କୃଷକ ସାମିଲ ହୋଇଥିବା ସୂଚନା ଦିଆଯାଇଥିଲା। କୃଷକମାନଙ୍କୁ ଫସଲ ବୀମାର ସୁବିଧା, ଦାବି ପ୍ରକ୍ରିୟା ଓ ବୀମା ଲାଭ ସମ୍ପର୍କରେ ସଚେତନ କରିବା ପାଇଁ ଅଧିକ ବ୍ୟାପକ ସଚେତନତା ଅଭିଯାନ କରିବାକୁ ଗୁରୁତ୍ୱ ଦିଆଯାଇଥିଲା। ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ସମ୍ପର୍କରେ ମଧ୍ୟ ସମୀକ୍ଷା କରାଯାଇ ଜମି ଚିହ୍ନଟ, ମାଟି ନମୁନା ସଂଗ୍ରହ ଓ ପରୀକ୍ଷଣ ପ୍ରକ୍ରିୟା ନେଇ ଆଲୋଚନା ହୋଇଥିଲା।
National Livestock Mission Entrepreneurship Scheme ଓ କାମଧେନୁ ଯୋଜନାର କାର୍ଯ୍ୟାନ୍ୱୟନ ନେଇ ଆଲୋଚନା ହୋଇଥିଲା। ଏହି ଯୋଜନାଗୁଡ଼ିକ ସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି ସହ ସହରାଞ୍ଚଳ ନିକଟରେ ବୁଲା ଗୋରୁଙ୍କ ପାଇଁ ଗୋଶାଳା ନିର୍ମାଣ ନେଇ ମଧ୍ୟ ପ୍ରସ୍ତାବ ଆଲୋଚନା କରାଯାଇଥିଲା।
ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମର ପ୍ରଗତି ସମୀକ୍ଷା କରାଯାଇଥିଲା। ଜିଲ୍ଲାରେ ୧୬,୪୧୭ ଜଣଙ୍କ ପରୀକ୍ଷା କରାଯାଇଥିବାବେଳେ ୧,୦୩୬ ଜଣ TB ରୋଗୀ ଚିହ୍ନଟ ହୋଇଥିବା ଏବଂ ଜିଲ୍ଲାର ସଫଳତା ହାର ୮୯ ପ୍ରତିଶତ ଥିବା ସୂଚନା ଦିଆଯାଇଥିଲା। ଯକ୍ଷ୍ମା ପ୍ରତିରୋଧ ଓ ନିରାକରଣ ପାଇଁ ସଚେତନତା କାର୍ଯ୍ୟକ୍ରମକୁ ଅଧିକ ସୁଦୃଢ଼ କରିବା ଉପରେ ଆଲୋଚନା ହୋଇଥିଲା।
ରାୟଗଡ DHHରେ ଜଣ୍ଡିସ୍ ସମ୍ପର୍କିତ ସମସ୍ୟା ଏବଂ କୋଲନରା ବ୍ଲକ୍ର ରବାଡ଼ି ଅଞ୍ଚଳରେ ଛାତ୍ରଛାତ୍ରୀ ହେପାଟାଇଟିସ୍-Aରେ ପ୍ରଭାବିତ ହୋଇଥିବା ଘଟଣା ନେଇ ଆଲୋଚନା କରାଯାଇଥିଲା। ସମସ୍ୟାର ସମାଧାନ ପାଇଁ RWSSକୁ ସ୍ଥଳ ପରିଦର୍ଶନ କରି ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।ଏଥିସହ ଛାତ୍ରାବାସର ଶୌଚାଳୟ ପରିମଳ, ପାନୀୟ ଜଳ, ରାଗିଂ ନିରୋଧ, ୱାର୍ଡେନ୍ ବ୍ୟବସ୍ଥା ଏବଂ ବିଦ୍ୟାଳୟ କିଚେନ୍ ହାଉସ୍ ସମ୍ପର୍କରେ ମଧ୍ୟ ସମୀକ୍ଷା କରାଯାଇଥିଲା। ସମ୍ପୃକ୍ତ ବିଭାଗଗୁଡ଼ିକୁ ଆବଶ୍ୟକ ପଦକ୍ଷେପ ନେଇ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱଚ୍ଛ ଓ ସୁରକ୍ଷିତ ପରିବେଶ ସୁନିଶ୍ଚିତ କରିବାକୁ କୁହାଯାଇଥିଲା।
ଜଳ ଜୀବନ ମିଶନର କାର୍ଯ୍ୟ ପ୍ରଗତି ନେଇ ସମୀକ୍ଷା କରାଯାଇଥିଲା। ବିଶେଷକରି ବିଷମକଟକ ଅଞ୍ଚଳରେ ଅବଶିଷ୍ଟ କାର୍ଯ୍ୟ ଶୀଘ୍ର ସମାପ୍ତ କରିବାକୁ କୁହାଯାଇଥିଲା। ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ସମାପ୍ତ ନକରୁଥିବା ଠିକାଦାରଙ୍କ ବିରୋଧରେ ନିୟମାନୁସାରେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଅଙ୍ଗନବାଡି କେନ୍ଦ୍ରଗୁଡ଼ିକରେ ଅପପୁଷ୍ଟିଜନିତ ମୃତ୍ୟୁ ସମ୍ପର୍କିତ ତଥ୍ୟ, ଛତୁଆର ଗୁଣବତ୍ତା ଏବଂ ଅଙ୍ଗନବାଡି କେନ୍ଦ୍ରରେ ରାନ୍ଧୁଣୀ ଓ ସହାୟକ ନିଯୁକ୍ତି ନେଇ ସମୀକ୍ଷା କରାଯାଇଥିଲା।
Digital India Land Records Modernisation Programme (DILRMP) ଓ SVAMITVA ଯୋଜନାର ପ୍ରଗତି ନେଇ ଆଲୋଚନା ହୋଇଥିଲା। ଆଧୁନିକ ପ୍ରଯୁକ୍ତି ମାଧ୍ୟମରେ ଗ୍ରାମାଞ୍ଚଳରେ ସର୍ଭେ ଓ ମ୍ୟାପିଂ କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ ଚନ୍ଦ୍ରପୁର ଅଞ୍ଚଳର ମୋବାଇଲ୍ ନେଟୱର୍କ ସମସ୍ୟା ନେଇ ମଧ୍ୟ ଆଲୋଚନା କରାଯାଇଥିଲା।
ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (PMGSY) ଓ PMGSY-IVର କାର୍ଯ୍ୟ ପ୍ରଗତି ନେଇ ସମୀକ୍ଷା କରାଯାଇଥିଲା। ମିନାଝୋଲା ବହୁମୁଖୀ ହଲ୍ର Technical Fitness Report ଦାଖଲ, କେରେଡ଼ା-ଭବାନୀପାଟଣା ୪-ଲେନ୍ ସଡ଼କ, ପିତାମହଲ-ସିରିକୋଣା ସଡ଼କ ଏବଂ ଗୁଡ଼ାରୀ ରାସ୍ତାର ରକ୍ଷଣାବେକ୍ଷଣ ସମ୍ପର୍କରେ ଆଲୋଚନା ହୋଇଥିଲା। ଜାତୀୟ ରାଜପଥ ସମ୍ପର୍କରେ ଗୁମ୍ମା ଘାଟି ରାସ୍ତା ସମସ୍ୟା, କପିଳାସ -ଜେକେ ରୋଡ୍ର ରକ୍ଷଣାବେକ୍ଷଣ ଏବଂ ମୋହନା-କୋରାପୁଟ ରାସ୍ତାର ପ୍ରଶସ୍ତୀକରଣ ନେଇ ଆଲୋଚନା ହୋଇଥିଲା।
Department for Promotion of Industry and Internal Trade (DPIIT), MSME ଏବଂ MSE-CDP Schemeର କାର୍ଯ୍ୟାନ୍ୱୟନ ଓ ଜିଲ୍ଲାରେ ଶିଳ୍ପ ବିକାଶ ସମ୍ଭାବନା ନେଇ ଆଲୋଚନା କରାଯାଇଥିଲା। ମହିଳା ସଶକ୍ତିକରଣ ଓ ଜୀବିକା ବିକାଶ ସମ୍ପର୍କରେ ଆଲୋଚନା ସମୟରେ ରାୟଗଡ ଜିଲ୍ଲାରେ ବର୍ତ୍ତମାନ ୫୫,୫୮୫ ଜଣ ‘ଲକ୍ଷପତି ଦିଦି’ ଥିବା ସୂଚନା ଦିଆଯାଇଥିଲା।
ବୈଠକରେ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ଅବଶିଷ୍ଟ କାର୍ଯ୍ୟଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାପ୍ତ କରିବା, ଯୋଜନାଗୁଡ଼ିକର ସୁଫଳ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଏବଂ ଭୂମିସ୍ତରରେ କାର୍ଯ୍ୟାନ୍ୱୟନର ଗୁଣବତ୍ତା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
