ପ୍ରଧାନମନ୍ତ୍ରୀଙ୍କ ୭୬ତମ ଜନ୍ମଦିବସ: ବନ୍ତ ବ୍ଲକର ବିଭିନ୍ନ ମନ୍ଦିରରେ ବିଜେପି ପକ୍ଷରୁ ଦୀପଦାନ
ବନ୍ତ,୧୮/୯: ମାର୍କଣ୍ଡଧଡ଼ା (ନ୍ରି ପ୍ର) ଭାଜପା ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିବସ ଅବସରରେ ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତସ୍ଥିତ ପ୍ରମୁଖ ମନ୍ଦିରରେ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦଳୀୟ କର୍ମକର୍ତ୍ତା ଓ ସମର୍ଥକମାନେ ଏକତ୍ରିତ ହୋଇ ପ୍ରଧାନମନ୍ତ୍ରୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘାୟୁ କାମନା କରି ପ୍ରଦୀପ ପ୍ରଜ୍ଜ୍ୱଳନ କରିଛନ୍ତି। ବିଟିପୁର ପଞ୍ଚାୟତ ଅନ୍ତର୍ଗତ ପ୍ରସିଦ୍ଧ ଶ୍ରୀ ସାଇରାମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପି ନେତା ତପନ ସିଂହ, ରାଜୀବଲୋଚନ ରାୟ, ବିଶ୍ୱନାଥ ସିଂହଙ୍କ ସମେତ ବହୁ ସଂଖ୍ୟାରେ ମହିଳା ଓ ଦଳୀୟ କର୍ମୀ ଉପସ୍ଥିତ ରହି ଦୀପଦାନ କରିଥିଲେ। ସେହିପରି ଆଡ଼ିଆ ପଞ୍ଚାୟତର କୁଆରନ୍ଦା ଗ୍ରାମସ୍ଥିତ ହନୁମାନ ମନ୍ଦିର ପରିସରରେ ବିଜେପି ଯୁବନେତା କାଶୀନାଥ କର, ଗଣେଶ ପଣ୍ଡା, ପ୍ରଭାତ କର, ପୂର୍ଣ୍ଣଚନ୍ଦ୍ର ପାତ୍ର, ସିପୁନ ମୁଖି ଓ ଭାଗିରଥି ସେଠୀଙ୍କ ନେତୃତ୍ୱରେ ବହୁ କର୍ମୀ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଭକ୍ତିପୂତ ଦୀପ ପ୍ରଜ୍ଜ୍ୱଳନ କରି ପ୍ରାର୍ଥନା କରିଥିଲେ। ଏହା ବ୍ୟତୀତ ମହାନ୍ତିପଡ଼ା, ବଡ଼ମହିଂଶଗୋଠ, ପୁରୁଷଣ୍ଢ, ଗୋପୀନାଥପୁର, ଚାରିଗାଁ ଓ ରାମଚନ୍ଦ୍ରପୁର ସମେତ ବ୍ଲକର ପ୍ରତ୍ୟେକ ପଞ୍ଚାୟତରେ ଦଳୀୟ କର୍ମୀମାନେ ଶ୍ରଦ୍ଧାପୂର୍ବକ ଏହି କାର୍ଯ୍ୟକ୍ରମ ପାଳନ କରିଥିବା ଜଣାପଡ଼ିଛି।
