ବାଲିଗୁଡ଼ାରେ ଚିତାବାଘ ଛାଲ ଜବତ, ଜଣେ ଗିରଫ।
ବାଲିଗୁଡ଼ା, ୧୮/୦୯/୨୦୨୬ (ନି.ପ୍ର.)
ବାଲିଗୁଡ଼ା ବସ୍ଷ୍ଟାଣ୍ଡ ନିକଟରେ ବନ ବିଭାଗ ଓ ପୋଲିସର ମିଳିତ ଚଢ଼ାଉ। ବନ୍ୟଜନ୍ତୁ ସାମଗ୍ରୀର ବେଆଇନ ଚାଲାଣ ଓ ରଖିବା ସମ୍ପର୍କିତ ବିଶ୍ୱସନୀୟ ସୂଚନା ଆଧାରରେ ଗତ ୧୭ ସେପ୍ଟେମ୍ବର ୨୦୨୬ରେ ଏହି ଅଭିଯାନ କରାଯାଇଥିଲା।ବାଲିଗୁଡ଼ା ଏସିଏଫ୍ ଶ୍ରୀ ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ବାଲିଗୁଡ଼ା ରେଞ୍ଜ ଅଫିସର ଶ୍ରୀ ଡି. ସୁଭାଷ ଚନ୍ଦ୍ର, କେ. ନୂଆଗାଁ ରେଞ୍ଜ ଅଫିସର ଶ୍ରୀ ରମାକାନ୍ତ କହଁର, ଫରେଷ୍ଟର ଶ୍ରୀ ପ୍ରଭାତ କୁମାର ଦୋରାଙ୍କ ସମେତ କୋଟଗଡ଼, ତୁମୁଡ଼ିବନ୍ଧ ଓ ବ୍ରାହ୍ମଣୀଗାଁ ରେଞ୍ଜର କର୍ମଚାରୀମାନେ ଏହି ସନ୍ଧାନ ଅଭିଯାନରେ ସାମିଲ ହୋଇଥିଲେ।ଅଭିଯାନ ସମୟରେ ରତଙ୍ଗା ଗ୍ରାମର ଜିବର୍ଦ୍ଧନ ମାଝିଙ୍କ ପୁଅ ପ୍ରାୟ ୩୮ ବର୍ଷୀୟ ଉତ୍ତମ ମାଝିଙ୍କୁ ଧରାଯାଇଥିବା ବେଳେ, ତାଙ୍କ ନିକଟରୁ ୨ଟି ଚିତାବାଘ ଛାଲ ଜବତ କରାଯାଇଛି।ଏହି ଘଟଣାକୁ ନେଇ ବାଲିଗୁଡ଼ା ରେଞ୍ଜରେ OR କେସ୍ ନମ୍ବର ୪୩/୨୦୨୬-୨୭ ରୁଜୁ ହୋଇଛି। ବନ୍ୟଜନ୍ତୁ ସୁରକ୍ଷା ଆଇନ, ୧୯୭୨ର ଧାରା ୩୯(ବି), ୪୮(ଏ), ୪୯(ବି) ଅନୁଯାୟୀ ମାମଲା ରୁଜୁ ହୋଇଥିବା ପ୍ରେସ୍ ନୋଟ୍ରେ ଉଲ୍ଲେଖ ରହିଛି।
ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି ବାଲିଗୁଡ଼ା ବନଖଣ୍ଡର ଡିଭିଜନାଲ ଫରେଷ୍ଟ ଅଫିସର ତଥା ବନ୍ୟଜନ୍ତୁ ସଂରକ୍ଷକଙ୍କ ପକ୍ଷରୁ ପ୍ରକାଶିତ ପ୍ରେସ୍ ନୋଟ୍ରେ କୁହାଯାଇଛି।
