*ନୂଆଁ ଅନ୍ନରେ ନୂଆ ସଂକଳ୍ପ:*
ମାଝୀ ସମାଜ ସହ ନୂଆଁଖାଇ ପାଳିଲେ ଜିଲ୍ଲାପାଳ ମଧୁସୂଦନ ଦାଶ; ଶିକ୍ଷା, ସଚେତନତା ଓ ସାମାଜିକ ପରିବର୍ତ୍ତନର ଦେଲେ ବାର୍ତ୍ତା। !
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନି:ପ୍ର)
ନୂଆପଡ଼ା:* ନୂଆଁ ଅନ୍ନର ସୁଗନ୍ଧରେ ମହକି ଉଠିଲା ଦ୍ୱାରସନୀ ମନ୍ଦିର ପରିସର। ପାରମ୍ପରିକ ରୀତିନୀତି ଓ ନୂଆଁଖାଇର ଆନନ୍ଦ ମଧ୍ୟରେ ମାଝୀ ସମାଜର ଲୋକଙ୍କ ସହ ନୂଆଁଖାଇ ପାଳନ କରିଛନ୍ତି ନୂଆପଡ଼ା ଜିଲ୍ଲାପାଳ *ମଧୁସୂଦନ ଦାଶ*। ସାରାବଙ୍ଗସ୍ଥିତ ଦ୍ୱାରସନୀ ମନ୍ଦିରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଯୋଗଦେଇ ପାରମ୍ପରିକ ପୂଜାର୍ଚ୍ଚନାରେ ସାମିଲ ହୋଇଥିଲେ। ପରେ ମାଝୀ ସମାଜର ଲୋକଙ୍କ ସହ ବସି ନୂଆ ଅନ୍ନ ଗ୍ରହଣ କରିବା ସହ ପର୍ବର ଆନନ୍ଦ ବାଣ୍ଟିଥିଲେ।
ନୂଆଁଖାଇର ଏହି ଅବସରକୁ ଜିଲ୍ଲାପାଳ ଏକ ସାମାଜିକ ସଂକଳ୍ପର ମଞ୍ଚରେ ପରିଣତ କରିଥିଲେ। ନୂଆପଡ଼ାକୁ *ପ୍ରବାସ ମୁକ୍ତ, ନିଶା ମୁକ୍ତ ଓ ସିଙ୍ଗଲ୍-ୟୁଜ୍ ପ୍ଲାଷ୍ଟିକ ମୁକ୍ତ* କରିବା ଦିଗରେ ସାମୂହିକ ପ୍ରୟାସ ଆବଶ୍ୟକ ବୋଲି ସେ କହିଥିଲେ। ପ୍ରଶାସନର ପଦକ୍ଷେପ ସହ ସମାଜର ପ୍ରତ୍ୟେକ ବର୍ଗ ଯୋଡ଼ିହେଲେ ହିଁ ଏହି ଲକ୍ଷ୍ୟ ପୂରଣ ସମ୍ଭବ ବୋଲି ସେ ମତ ଦେଇଥିଲେ।
ଜିଲ୍ଲାପାଳ ଶ୍ରୀ ଦାଶ ବିଶେଷ ଭାବେ ଶିଶୁଙ୍କ ଶିକ୍ଷା ଉପରେ ଗୁରୁତ୍ୱ ଦେଇ ‘ପ୍ରତ୍ୟେକ ଶିଶୁ ବିଦ୍ୟାଳୟରେ’ ବାର୍ତ୍ତା ଦେଇଥିଲେ। କୌଣସି ଶିଶୁ ଯେପରି ଶିକ୍ଷାରୁ ବଞ୍ଚିତ ନହୁଏ, ସେଥିପାଇଁ ଅଭିଭାବକ, ଶିକ୍ଷକ ଓ ସମୁଦାୟ ମିଳିତ ଭାବେ ଦାୟିତ୍ୱ ନେବାକୁ ସେ ଆହ୍ୱାନ କରିଥିଲେ। ଶିକ୍ଷା ହେଉଛି ଶିଶୁର ଭବିଷ୍ୟତ ଗଠନ ସହ ଏକ ସଶକ୍ତ ସମାଜ ନିର୍ମାଣର ମୁଖ୍ୟ ଆଧାର ବୋଲି ସେ କହିଥିଲେ।
ନୂଆଁଖାଇ ପର୍ବରେ ଜିଲ୍ଲାପାଳଙ୍କ ଲୋକଙ୍କ ସହ ସିଧାସଳଖ ଯୋଗାଯୋଗ ଓ ସାମାଜିକ ବାର୍ତ୍ତା ଅବସରକୁ ଆହୁରି ଗୁରୁତ୍ୱପୂର୍ଣ୍ଣ କରିଥିଲା। ପରମ୍ପରା ସହ ବିକାଶର ସଂକଳ୍ପକୁ ଯୋଡ଼ି ଏହି ଅବସରରେ ଏକ ସଚେତନ ଓ ଦାୟିତ୍ୱଶୀଳ ନୂଆପଡ଼ା ଗଠନର ଆହ୍ୱାନ ଦିଆଯାଇଥିଲା।
କାର୍ଯ୍ୟକ୍ରମରେ ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ସନ୍ଦୀପ କୁମାର ଚନ୍ଦ୍ରାକର, ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢ଼ାଇ, ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ଆର୍ଯ୍ୟ କୁମାର ମୁଦୁଲି ଏବଂ କ୍ଷୀପ୍ର ଲେଖକ ଅନିଲ କୁମାର ଦାସଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।
ନୂଆଁଖାଇର ନୂଆ ଅନ୍ନ ସହ ଜିଲ୍ଲାପାଳଙ୍କ ଏହି ନୂଆh ସଂକଳ୍ପ—‘ପ୍ରତ୍ୟେକ ଶିଶୁ ବିଦ୍ୟାଳୟରେ, ପ୍ରତ୍ୟେକ ପରିବାର ସଚେତନ, ନୂଆପଡ଼ା ପ୍ରବାସ, ନିଶା ଓ ପ୍ଲାଷ୍ଟିକରୁ ମୁକ୍ତ’—ପର୍ବର ସାମାଜିକ ବାର୍ତ୍ତାକୁ ଆହୁରି ବ୍ୟାପକ କରିଥିଲା।
