ପୂଜାର ଆଲୋକରେ ଝଲସୁଛି ତାଳଚେର, ମୁଖ୍ୟ ରାସ୍ତା ଅନ୍ଧାର!
ବାଇପାସ୍ରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଆଲୋକୀକରଣ ନେଇ ଉଠିଲା ପ୍ରଶ୍ନ
ତାଳଚେର:(ମନୋଜ ରାଉତ)(ନିପ୍ର): ତାଳଚେରରେ ଗଣେଶ ପୂଜାକୁ ନେଇ ଚାରିଆଡ଼େ ଉତ୍ସବର ମାହୋଲ। ସହରର ବିଭିନ୍ନ ମଣ୍ଡପ ସମେତ ବସଷ୍ଟାଣ୍ଡ ଅଞ୍ଚଳରେ ମୀନାବଜାର ଓ ବିଭିନ୍ନ ଦୋଳି ଲୋକଙ୍କୁ ଆକର୍ଷିତ କରୁଛି। ପୂଜା ଓ ମେଳା ଦେଖିବା ପାଇଁ ଦୂରଦୂରାନ୍ତରୁ ଲୋକେ ତାଳଚେର ଆସୁଛନ୍ତି।
ହେଲେ ଏହି ଉତ୍ସବ ସମୟରେ ବାଇପାସ୍ରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାର ଅନ୍ଧାର ଚିତ୍ର ଏବେ ସାଧାରଣଙ୍କ ଚିନ୍ତା ବଢ଼ାଇଛି। ରାତି ସମୟରେ ଏହି ରାସ୍ତାରେ ଲୋକଙ୍କ ଯାତାୟାତ ବଢ଼ୁଥିବା ବେଳେ ପର୍ଯ୍ୟାପ୍ତ ଷ୍ଟ୍ରିଟ୍ ଲାଇଟ୍ ନଥିବାରୁ ଅନେକ ସ୍ଥାନ ଅନ୍ଧାରରେ ରହୁଛି।
ଗୋଟିଏ ପଟେ ଗଣେଶ ପୂଜାର ଆଲୋକମାଳାରେ ସହର ଝଲସୁଥିବା ବେଳେ, ଅନ୍ୟପଟେ ସହରର ଏକ ପ୍ରମୁଖ ରାସ୍ତା ଅନ୍ଧାରରେ ରହିବାକୁ ନେଇ ଉଠିଛି ପ୍ରଶ୍ନ। ବିଶେଷକରି ପୂଜା ସମୟରେ ରାତିରେ ଛୋଟ ପିଲା, ମହିଳା, ବୟସ୍କ ଓ ଦୂରଦୂରାନ୍ତରୁ ଆସୁଥିବା ଲୋକଙ୍କ ଯାତାୟାତ ଦୃଷ୍ଟିରୁ ରାସ୍ତାରେ ପର୍ଯ୍ୟାପ୍ତ ଆଲୋକୀକରଣ ଅତ୍ୟନ୍ତ ଆବଶ୍ୟକ।
ତେଣୁ ଗଣେଶ ପୂଜାର ଭିଡ଼କୁ ଦୃଷ୍ଟିରେ ରଖି ତାଳଚେର ପ୍ରଶାସନ ଓ ପୌର ପରିଷଦ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ବାଇପାସ୍ରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା ସୁଧାରିବାକୁ ସାଧାରଣରେ ଦାବି ହେଉଛି।
ପୂଜାର ଆଲୋକରେ ଯେତେବେଳେ ତାଳଚେର ଝଲସୁଛି, ସେତେବେଳେ ସହରର ମୁଖ୍ୟ ରାସ୍ତା ଅନ୍ଧାରରେ କାହିଁକି?—ଏହି ପ୍ରଶ୍ନ ଏବେ ସାଧାରଣଙ୍କ ମନରେ।
