ରାମେଶ୍ୱର ଯାତ୍ରା କମିଟି ପକ୍ଷରୁ ରକ୍ତଦାନ ଶିବିର
ସଂଗ୍ରହ ହେଲା ୪୪ ୟୁନିଟ୍ ରକ୍ତ
ତାଳଚେର:(ନିପ୍ର) ରକ୍ତଦାନ ମହାଦାନ—ଏହି ମହତ୍ ବାର୍ତ୍ତାକୁ ନେଇ ରାମେଶ୍ୱର ଯାତ୍ରା କମିଟି ଓ ତାଳଚେର ଉପଖଣ୍ଡ ଚିକିତ୍ସାଳୟର ମିଳିତ ଆୟୋଜନରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା।
ଶିବିରକୁ କେନ୍ଦ୍ରାଞ୍ଚଳର ପୂର୍ବତନ ସାଂସଦ ମହେଶ ସାହୁ, ତାଳଚେର ଉପଖଣ୍ଡ ଚିକିତ୍ସାଳୟ ଅଧୀକ୍ଷକ ରଞ୍ଜନ ସାହୁ, ବଳରାମ ପଟି ଓ ରାମେଶ୍ୱର ଯାତ୍ରା କମିଟି ସଭାପତି ବିଜୟ ପ୍ରଧାନ ପ୍ରମୁଖ ଉଦ୍ଘାଟନ କରିଥିଲେ।
ଆକସ୍ମିକ ସମୟରେ ରକ୍ତର ଅଭାବ ଦୂର କରିବା ସହ ଲୋକଙ୍କ ମଧ୍ୟରେ ରକ୍ତଦାନ ପ୍ରତି ସଚେତନତା ବଢ଼ାଇବା ଥିଲା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ। ଶିବିରରେ ସ୍ୱେଚ୍ଛାସେବୀ ରକ୍ତଦାତାମାନେ ଉତ୍ସାହର ସହ ରକ୍ତଦାନ କରିଥିବା ବେଳେ ମୋଟ ୪୪ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।
ଏହି ଅବସରରେ ଯାତ୍ରା କମିଟିର ଉପଦେଷ୍ଟା ମହେଶ ସାହୁ, ପ୍ରାକ୍ତନ ଅଧ୍ୟକ୍ଷ ପ୍ରଭାତ ରଥ, ସରୋଜ ରଥ, ଉପସଭାପତି ଗଣେଶ୍ୱର ମହାନ୍ତି, ସମ୍ପାଦକ ସହଦେବ ସାମଲଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ସ୍ୱେଚ୍ଛାସେବୀ ଉପସ୍ଥିତ ଥିଲେ।
ରକ୍ତଦାତାମାନଙ୍କ ଏହି ମହତ୍ ଅବଦାନ ପାଇଁ ଆୟୋଜକଙ୍କ ପକ୍ଷରୁ ସମସ୍ତଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଯାଇଥିଲା। ରିପୋର୍ଟ ମନୋଜ ରାଉତ ତାଳଚେର
