ଗ୍ରାମସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ
ବାଲ୍ୟ ବିବାହ, ଶିଶୁ ଶ୍ରମ ଓ ଶିଶୁ ଚାଲାଣ ରୋକିବା ନେଇ ସଚେତନତା
ବଅଁରପାଳ:(ନିପ୍ର) ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କଲଣ୍ଡାପାଳ, ରାମିମୁଣ୍ଡା, ଅରାହାଟ, ବଉଳିଗୋଡ଼ ଓ କଙ୍କିନାଳୀ ଗ୍ରାମରେ ଗ୍ରାମସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱ ଯୁବ କେନ୍ଦ୍ର, ବଣିନାଳୀ, ଅନୁଗୋଳ ଦ୍ୱାରା ପରିଚାଳିତ ‘ଜଷ୍ଟ ରାଇଟ୍ ଫର୍ ଚିଲଡ୍ରେନ୍’ କାର୍ଯ୍ୟକ୍ରମ ଅଧୀନରେ ଏହି ବୈଠକଗୁଡ଼ିକ ଆୟୋଜିତ ହୋଇଥିଲା।
ବୈଠକରେ ଶିଶୁଙ୍କ ସୁରକ୍ଷା, ଅଧିକାର ଓ କଲ୍ୟାଣ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବିଶେଷକରି ଶିଶୁଙ୍କୁ ସେମାନଙ୍କ ମୌଳିକ ଅଧିକାରରୁ ବଞ୍ଚିତ କରୁଥିବା ବାଲ୍ୟ ବିବାହ, ଶିଶୁ ଚାଲାଣ, ଶିଶୁ ଯୌନ ନିର୍ଯାତନା, ଶିଶୁ ଶ୍ରମ ଏବଂ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ବିଭିନ୍ନ କାର୍ଯ୍ୟର ଭୟାବହତା ଓ ଏହାକୁ ରୋକିବାର ଉପାୟ ଉପରେ ସଚେତନତା ସୃଷ୍ଟି କରାଯାଇଥିଲା।
ଏଥିସହ ବାଲ୍ୟ ବିବାହ ଓ ଶିଶୁଙ୍କୁ ଶ୍ରମରେ ନିୟୋଜିତ କରିବା ଆଇନଗତ ଭାବେ ଦଣ୍ଡନୀୟ ଅପରାଧ ବୋଲି ସୂଚନା ଦିଆଯାଇଥିଲା। ଭାରତୀୟ ଆଇନ ଅନୁଯାୟୀ ବାଲ୍ୟ ବିବାହ ସମ୍ପର୍କିତ ଦଣ୍ଡବିଧାନ, ନିୟମାବଳୀ ଏବଂ ଶିଶୁ ସୁରକ୍ଷା ସମ୍ପର୍କିତ ଆଇନ ବିଷୟରେ ଉପସ୍ଥିତ ଅଂଶଗ୍ରହଣକାରୀଙ୍କୁ ଅବଗତ କରାଯାଇଥିଲା।
ପ୍ରତ୍ୟେକ ଶିଶୁଙ୍କର ରହିଥିବା ଚାରୋଟି ପ୍ରାଥମିକ ଅଧିକାର—ବଞ୍ଚିବାର ଅଧିକାର, ବିକାଶର ଅଧିକାର, ସୁରକ୍ଷାର ଅଧିକାର ଏବଂ ଅଂଶଗ୍ରହଣର ଅଧିକାର ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଶିଶୁଙ୍କ ଅଧିକାର ଓ ସୁରକ୍ଷା ପାଇଁ ପରିବାର ସହିତ ସମାଜର ପ୍ରତ୍ୟେକ ବର୍ଗର ଦାୟିତ୍ୱ ରହିଥିବା ବୈଠକରେ ମତପ୍ରକାଶ ପାଇଥିଲା।
ଏହି କାର୍ଯ୍ୟକ୍ରମରେ ନାଏବ ସରପଞ୍ଚ, ୱାର୍ଡମେମ୍ବର, ଅଙ୍ଗନୱାଡ଼ି କର୍ମୀ, ଆଶାକର୍ମୀ, କିଶୋରୀମାନଙ୍କ ସମେତ ବିଭିନ୍ନ ବର୍ଗର ଲୋକେ ଉପସ୍ଥିତ ରହି ଶିଶୁ ସୁରକ୍ଷା ଓ କଲ୍ୟାଣ ସମ୍ପର୍କିତ ବିଷୟରେ ଆଲୋଚନା କରିଥିଲେ।
ବିଶ୍ୱ ଯୁବ କେନ୍ଦ୍ରର ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର ଓ ପୂଜା ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ଏହି ବୈଠକ ଆୟୋଜିତ ହୋଇଥିଲା। ପ୍ରକଳ୍ପ ସହଯୋଗୀ ଲକ୍ଷ୍ମୀ ବେହେରା ସଭା ପରିଚାଳନା କରିଥିଲେ।
ଶିଶୁଙ୍କ ପ୍ରତି ହେଉଥିବା ଯେକୌଣସି ଅନ୍ୟାୟ, ନିର୍ଯାତନା ଓ ଅଧିକାର ହନନ ବିରୋଧରେ ସମସ୍ତେ ଏକଜୁଟ ହୋଇ ସଚେତନ ରହିବା ସହ ଶିଶୁଙ୍କ ପାଇଁ ଏକ ସୁରକ୍ଷିତ ଓ ଶିଶୁ-ବନ୍ଧୁ ପରିବେଶ ଗଠନ କରିବାକୁ ବୈଠକରେ ଆହ୍ୱାନ ଦିଆଯାଇଥିଲା। ରିପୋର୍ଟ ମନୋଜ ରାଉତ
