ନାଲକୋ ସିପିପି ପ୍ଲାଣ୍ଟରୁ ୫ ଫୁଟିଆ ଅଜଗର ଉଦ୍ଧାର
ତାଳଚେର:୧୧/୯/(ନିପ୍ର) ନାଲକୋ ଥାନା ଅଧୀନ ସିପିପି ପ୍ଲାଣ୍ଟ ପରିସରରୁ ପ୍ରାୟ ୫ ଫୁଟ ଲମ୍ବର ଏକ ଅଜଗର ସାପ ଉଦ୍ଧାର ହୋଇଛି। ଗତକାଲି ରାତି ପ୍ରାୟ ୧୦ଟା ସମୟରେ ପ୍ଲାଣ୍ଟ ପରିସରରେ ଅଜଗର ଥିବା ଜଣାପଡ଼ିବା ପରେ ନାଲକୋର ଘରୋଇ ସୁରକ୍ଷାକର୍ମୀ ଉଗ୍ରସେନ ରାଉତ ଘଟଣାସ୍ଥଳରେ ପହଞ୍ଚିଥିଲେ।
ସେ ସତର୍କତାର ସହ ଅଜଗରଟିକୁ ଉଦ୍ଧାର କରିବା ପରେ ନାଲକୋ ବିଟ୍ ଟାଉନ୍ ସେକ୍ସନର ଅନୁଗୋଳ ରେଞ୍ଜର ଉଦ୍ଧବ ବେହେରାଙ୍କୁ ସୂଚନା ଦେଇଥିଲେ। ପରେ ରେଞ୍ଜରଙ୍କ ତତ୍ତ୍ୱାବଧାନରେ ଶଙ୍କର ଦାସଙ୍କ ସହ ରେସ୍କ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅଜଗରଟିକୁ ନିଜ ହେପାଜତକୁ ନେଇଥିଲେ।
ଉଦ୍ଧାର ହୋଇଥିବା ଅଜଗରର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଯିବା ପରେ ସୁସ୍ଥ ଥିଲେ ତାହାକୁ ମନ୍ଦରଗିରି ପାହାଡ଼ ଅଞ୍ଚଳରେ ସୁରକ୍ଷିତ ଭାବେ ଛାଡ଼ି ଦିଆଯିବ ବୋଲି ରେସ୍କ୍ୟୁ ଟିମ୍ ପକ୍ଷରୁ ସୂଚନା ମିଳିଛି।
ଶିଳ୍ପାଞ୍ଚଳ ଭଳି ଜନଗହଳିପୂର୍ଣ୍ଣ ସ୍ଥାନରୁ ଅଜଗର ଉଦ୍ଧାର ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ବନ୍ୟଜନ୍ତୁଙ୍କୁ ମାରିବା ପରିବର୍ତ୍ତେ ସୂଚନା ଦେଇ ସୁରକ୍ଷିତ ଭାବେ ଉଦ୍ଧାର କରିବା ହିଁ ବନ୍ୟଜନ୍ତୁ ସୁରକ୍ଷାର ସଠିକ୍ ପଦକ୍ଷେପ। ରିପୋର୍ଟ ମନୋଜ ରାଉତ ତାଳଚେର
