ଗ୍ରାମାଞ୍ଚଳରେ ବଢ଼ିଲା ପୂଜା ଉତ୍ସାହ; ଦିନରାତି ଏକ କରି ସାଜସଜ୍ଜାରେ ଶେଷ ସ୍ପର୍ଶ ଦେଉଛନ୍ତି ସ୍ଥାନୀୟ ଶିଳ୍ପୀ।
ରିପୋର୍ଟ:- ରାଜକିଶୋର ସାବତ
ଶେରଗଡ଼: ଗଣେଶ ପୂଜା ପାଖେଇ ଆସୁଥିବାରୁ ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ର ବିଭିନ୍ନ ଗ୍ରାମରେ ଏବେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ବ୍ଲକ୍ର ପ୍ରମୁଖ ଗ୍ରାମଗୁଡ଼ିକରେ ଥିବା କୁମ୍ଭାରଶାଳ ଓ ଅସ୍ଥାୟୀ କାରିଗର ମଣ୍ଡପଗୁଡ଼ିକରେ ପ୍ରସ୍ତୁତି ଏବେ ଚରମ ସୀମାରେ ପହଞ୍ଚିଛି। ମୂର୍ତ୍ତି ଗଢ଼ିବା କାମ ପ୍ରାୟ ଶେଷ ହୋଇଥିବା ବେଳେ ଶିଳ୍ପୀମାନେ ପ୍ରଭୁ ଗଜାନନଙ୍କ ମୂର୍ତ୍ତିରେ ରଙ୍ଗ ଓ ସାଜସଜ୍ଜାରେ ଶେଷ ସ୍ପର୍ଶ ଦେବାରେ ଦିନରାତି ଏକ କରିଦେଇଛନ୍ତି।ସାରା ବ୍ଲକ୍ରେ ଶତାଧିକ ଛୋଟ ବଡ଼ ପୂଜା ମଣ୍ଡପ ସାଙ୍ଗକୁ ଶିକ୍ଷାନୁଷ୍ଠାନଗୁଡ଼ିକରେ ପୂଜା ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି। ସମୟ ମଧ୍ୟରେ ପୂଜା କମିଟିଗୁଡ଼ିକୁ ମୂର୍ତ୍ତି ଯୋଗାଇଦେବା ପାଇଁ ଶେରଗଡ଼ର ସ୍ଥାନୀୟ କାରିଗର ଏବଂ ବାହାରୁ ଆସିଥିବା ଶିଳ୍ପୀମାନେ ତୂଳୀ ଧରି ମୂର୍ତ୍ତିଗୁଡ଼ିକୁ ସୁଦୃଶ୍ୟ ରୂପ ଦେବାରେ ବ୍ୟସ୍ତ ରହୁଛନ୍ତି।କଞ୍ଚାମାଲ ଯଥା ମାଟି, କାଠ ଏବଂ ସୁତୁଲିର ଦାମ ବୃଦ୍ଧି ପାଇଥିଲେ ମଧ୍ୟ ଚଳିତ ବର୍ଷ ଭଲ ଦୁଇ ପଇସା ରୋଜଗାର ଆଶାରେ କାରିଗର ମହଲରେ ବେଶ୍ ଉତ୍ସାହ ପ୍ରକାଶ ପାଇଛି।ଗ୍ରାମଗୁଡ଼ିକର ମଣ୍ଡପରେ ଆଲୋକୀକରଣ ଏବଂ ସାଜସଜ୍ଜା ପାଇଁ କମିଟିର ସଦସ୍ୟମାନେ ସ୍ଥାନୀୟ ବଜାରରେ ଭିଡ଼ ଜମାଉଛନ୍ତି।ଗଣେଶ ପୂଜା ସମୟରେ ସାରା ବ୍ଲକ୍ରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସରକାରଙ୍କ ଗାଇଡଲାଇନ ଅନୁଯାୟୀ, ଯଦି କୌଣସି ପୂଜା କମିଟି ନିୟମ ଉଲ୍ଲଙ୍ଘନ କରି ଡିଜେ ବଜାନ୍ତି, ତେବେ ସମ୍ପୃକ୍ତ ସାଉଣ୍ଡ ମାଲିକ ଓ କମିଟି ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସହ ସାମଗ୍ରୀ ଜବତ କରାଯିବ। ଗ୍ରାମୀଣ ଅଞ୍ଚଳରେ ଥିବା ପୋଖରୀଗୁଡ଼ିକର ସୁରକ୍ଷା ପାଇଁ ମାଟି ମୂର୍ତ୍ତିର ବ୍ୟବହାର କରିବାକୁ ସରକାର ଜନସାଧାରଣଙ୍କୁ ନିବେଦନ କରିଛନ୍ତି।
