ନୁଆଁଖାଇ ପରମ୍ପରାକୁ ନୂଆପିଢ଼ି ସହ ଯୋଡ଼ିବାକୁ ପ୍ରୟାସ,
ପ୍ରସ୍ତୁତି ନେଇ ସାମ୍ବାଦିକ ସମ୍ମିଳନୀ, ଲୋକକଳା ଓ ସଂସ୍କୃତିକୁ ମିଳିବ ପ୍ରାଧାନ୍ୟ
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନି:ପ୍ର)
ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୁଆଁଖାଇକୁ ଅଧିକ ଉତ୍ସବମୁଖର କରିବା ସହ ଅଞ୍ଚଳବାସୀଙ୍କ ମଧ୍ୟରେ ଏକତା ଓ ଭାଇଚାରାର ବାର୍ତ୍ତା ପହଞ୍ଚାଇବା ଲକ୍ଷ୍ୟରେ ନୂଆପଡା ଜିଲ୍ଲା ସିନାପାଲିରେ ଆୟୋଜିତ ହେବ ‘ସାମୁହିକ ନୁଆଁଖାଇ ଭେଟଘାଟ–୨୦୨୬’। ଏହି ଆୟୋଜନକୁ ସଫଳ କରିବା ନେଇ କମିଟି ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି। ଏନେଇ ସିନାପାଲି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆୟୋଜକ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ହୋଇଥିଲା। କମିଟି ସଭାପତି ତ୍ରିନାଥ ମେହେରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ସମ୍ମିଳନୀରେ ଭେଟଘାଟର ଆୟୋଜନ, କାର୍ଯ୍ୟକ୍ରମର ରୂପରେଖ, ମଞ୍ଚ ସାଜସଜ୍ଜା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ ବ୍ୟବସ୍ଥା ନେଇ ଆଲୋଚନା କରାଯାଇଥିଲା।
ନୁଆଁଖାଇ ଓଡ଼ିଆ ଜନଜୀବନର ଏକ ଅନନ୍ୟ ପରମ୍ପରା। ନୂଆ ଅନ୍ନକୁ ଦେବଦେବୀଙ୍କ ନିକଟରେ ଅର୍ପଣ କରିବା ସହ ପରିବାର ଓ ବନ୍ଧୁବାନ୍ଧବଙ୍କ ସହ ଖୁସି ବାଣ୍ଟିବା ଏହି ପର୍ବର ମୁଖ୍ୟ ବିଶେଷତ୍ୱ। ଏହି ପରମ୍ପରାକୁ ସାମୁହିକ ଭାବେ ପାଳନ କରିବା ସହ ନୂଆପିଢ଼ିଙ୍କୁ ନିଜ ମାଟି, ଭାଷା ଓ ସଂସ୍କୃତି ସହ ଯୋଡ଼ିବା ଭେଟଘାଟର ଅନ୍ୟତମ ଉଦ୍ଦେଶ୍ୟ ବୋଲି କମିଟି ପକ୍ଷରୁ କୁହାଯାଇଥିଲା।
ଏହି ଅବସରରେ ସ୍ଥାନୀୟ ଲୋକନୃତ୍ୟ, ଲୋକଗୀତ, ସାଂସ୍କୃତିକ ପରିବେଷଣ ସହ ପାରମ୍ପରିକ କଳାକାରଙ୍କୁ ମଞ୍ଚ ଦେବା ଉପରେ ଗୁରୁତ୍ୱ ଦିଆଯିବ। ସିନାପାଲି ଅଞ୍ଚଳର କଳା ଓ ସଂସ୍କୃତିର ଝଲକ ଯେପରି ଭେଟଘାଟରେ ପ୍ରତିଫଳିତ ହେବ, ସେଥିପାଇଁ ଆୟୋଜକମାନେ ଯୋଜନା କରୁଛନ୍ତି।
ସଭାରେ କମିଟି ସଭାପତି ତ୍ରିନାଥ ମେହେର, ଉପସଭାପତି ମନୋରଞ୍ଜନ ମେହେର, ସମ୍ପାଦକ ପ୍ରଭାତ ମେହେର, ସହସମ୍ପାଦକ ନିତିନ ମେହେର, ସାଂସ୍କୃତିକ ସମ୍ପାଦକ ଯତୀନ୍ଦ୍ର ମେହେର ଓ ସଦସ୍ୟ ବିଶ୍ୱାସ ଯୋଶୀ ପ୍ରମୁଖ ଉପସ୍ଥିତ ରହି ଆୟୋଜନକୁ ସଫଳ କରିବା ନେଇ ନିଜ ନିଜ ମତ ରଖିଥିଲେ। ଅଞ୍ଚଳର ସମସ୍ତ ବର୍ଗର ଲୋକଙ୍କୁ ଏକାଠି କରି ଭେଟଘାଟକୁ ଏକ ବୃହତ୍ ସାମାଜିକ ମିଳନ ଉତ୍ସବରେ ପରିଣତ କରିବା ପାଇଁ କମିଟି ପକ୍ଷରୁ ପ୍ରୟାସ ରହିବ। ଶେଷରେ ଉପସଭାପତି ମନୋରଞ୍ଜନ ମେହେର ସାମ୍ବାଦିକମାନଙ୍କୁ ଧନ୍ୟବାଦ ଦେବା ସହ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
