ବୌଦ୍ଧରୁ ବରିଷ୍ଠ ନାଗରିକଙ୍କ ଆଯୋଧ୍ୟା ବାରଣାସୀ ତୀର୍ଥଯାତ୍ରା, କଣ୍ଟାମାଳ ବିଧାୟକ ପତାକା ଦେଖାଇ ଯାତ୍ରା ଶୁଭାରମ୍ଭ କଲେ l
ବୌଦ୍ଧ, ୧୦/୦୯
ବୌଦ୍ଧ ଜିଲ୍ଲାର ୫୫ ଜଣ ବରିଷ୍ଠ ନାଗରିକ ଓଡ଼ିଶା ସରକାରଙ୍କ” ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା” , ୨୦୨୬-୨୭ ଅଧୀନରେ ବାରାଣସୀ-ଅଯୋଧ୍ୟା ଆଜି ତୀର୍ଥଯାତ୍ରାରେ ବାହାରିଛନ୍ତି । ୬୦ରୁ ୭୫ ବର୍ଷ ବୟସର ଏହି ବରିଷ୍ଠ ନାଗରିକମାନେ ସରକାରଙ୍କ ପର୍ଯ୍ୟଟନ ବିଭାଗର ସହଯୋଗରେ ଟ୍ରେନ୍ ଯୋଗେ ବ୍ରହ୍ମପୁରରୁ ତୀର୍ଥଯାତ୍ରାରେ ଯିବେ।
ବୌଦ୍ଧ କଲେକ୍ଟରେଟ୍ ପରିସରରେ ଆୟୋଜିତ ଫ୍ଲାଗ୍-ଅଫ୍ କାର୍ଯ୍ୟକ୍ରମରେ ମାନ୍ୟବର କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀଯୁକ୍ତ କହ୍ନାଇ ଚରଣ ଡାଙ୍ଗ ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅନିରୁଦ୍ଧ ପ୍ରଧାନ ପତାକା ହଲାଇ ଦୁଇଟି ବସ୍ ରେ ତୀର୍ଥଯାତ୍ରାର ଶୁଭାରମ୍ଭ କରିଥିଲେ। ସମସ୍ତ ଯାତ୍ରୀ ମାନଙ୍କ ସ୍ବାସ୍ଥ୍ଯ ପରୀକ୍ଷା ସହିତ ଖାଦ୍ୟପେୟ ଵ୍ୟଵସ୍ଥା କରାଯାଇଥିଲା l ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ପ୍ରଭାକର କହଁର ଯାତ୍ରାର ସମସ୍ତ ବ୍ୟବସ୍ଥା ଓ ସମନ୍ୱୟ କରିଥିଲେ। ଡେପୁଟି କଲେକ୍ଟର ତଥା ଜିଲ୍ଲା କ୍ରୀଡ଼ା ଅଧିକାରୀ ଜ୍ୟୋତିରଞ୍ଜନ ଭୁଏ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡାଙ୍କ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ରହି ତୀର୍ଥଯାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ବରିଷ୍ଠ ନାଗରିକମାନଙ୍କ ସୁବିଧା ଓ ସୁରକ୍ଷିତ ତୀର୍ଥଯାତ୍ରା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କନିଷ୍ଠ ସହାୟକ ନେତ୍ରାନନ୍ଦ ପ୍ରଧାନ ଏବଂ ସାନନ୍ଦ ସାହୁ ଗାଇଡ୍ ଅଫିସର ଭାବେ ଯାତ୍ରୀମାନଙ୍କ ସହ ଯାତ୍ରା କରିଛନ୍ତି।
ତୀର୍ଥଯାତ୍ରା ସମୟରେ ବରିଷ୍ଠ ନାଗରିକମାନେ ବାରାଣସୀ ଓ ଅଯୋଧ୍ୟାର ବିଭିନ୍ନ ପବିତ୍ର ତୀର୍ଥସ୍ଥାନ ଦର୍ଶନ କରିବେ। ସେମାନଙ୍କ ତୀର୍ଥଦର୍ଶନ ଆନନ୍ଦମୟ, ସୁଖଦ ଓ ସ୍ମରଣୀୟ ହେଉ ବୋଲି ଜିଲ୍ଲାପାଳ ଶ୍ରୀ ବିଭୁତି ଭୂଷଣ ନାୟକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।
ଏହି ଯୋଜନା ମାଧ୍ୟମରେ ବରିଷ୍ଠ ନାଗରିକମାନଙ୍କ ଦୀର୍ଘଦିନର ତୀର୍ଥଦର୍ଶନ ଇଚ୍ଛା ପୂରଣ ସହ ସେମାନଙ୍କୁ ଆଧ୍ୟାତ୍ମିକ ଓ ଆନନ୍ଦମୟ ଅନୁଭୂତି ପ୍ରଦାନ କରିବା ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ରହିଛି।
